ସଫେଇ କର୍ମଚାରୀଙ୍କୁ ପାଦ ଧୋଇ ସମ୍ମାନିତ କଲେ ଡାବୁଗାଁ ବିଧାୟକ, ସମସ୍ତେ କଲେ ଉଚ୍ଚ ପ୍ରଶଂସା

ଡାବୁଗାଁ/ନବରଙ୍ଗପୁର: ପଞ୍ଚାୟତର ସଫେଇ କର୍ମଚାରୀଙ୍କୁ ପାଦ ଧୋଇ ସେମାନଙ୍କୁ ସମ୍ମାନିତ କରି ଜଣେ ବିଧାୟକ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଏହି ମହତ୍‌ କାମକୁ ନେତା, ଜନତା, ପ୍ରଶାସନିକ ଅଧିକାରୀ ଓ ସର୍ବସାଧାରଣ ଲୋକେ ପ୍ରଶଂସା କରୁଛନ୍ତି। ସ୍ୱଚ୍ଛ ଓଡ଼ିଶା ଓ ସୁସ୍ଥ ଓଡ଼ିଶା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଅଭିଯାନରେ ବିଧାୟକ ମନୋହର ରନ୍ଧାରୀ ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନିତ କରିଥିବା ରବିବାର ଜଣାପଡ଼ିଛି।

ବିଧାୟକ ଶ୍ରୀ ରନ୍ଧାରି ପାପଡାହାଣ୍ଡି ଓ ଡାବୁଗାଁ ବ୍ଲକ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୪ ଜଣ ଝାଡ଼ୁଦାରଙ୍କୁ ପାଦ ଧୋଇ ସମ୍ବର୍ଦ୍ଧିତ କରିଛନ୍ତି। ଝାଡ଼ୁଦାରମାନେ ସ୍ୱାସ୍ଥ୍ୟ ଓ ପରିବେଶ ସଫା ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ସମାଜ ପାଇଁ ସେମାନଙ୍କ ଅବଦାନ ଅତୁଳନୀୟ ଭୁଲି ହେବନାହିଁ। ସେମାନେ ଆମ ସମସ୍ତଙ୍କ ପୂଜ୍ୟ। ଝାଡ଼ୁଦାରମାନେ ସବୁଦିନ ପରିବେଶ ସ୍ୱଚ୍ଛ ରଖୁଛନ୍ତି। ଏପରି ସ୍ଥଳେ ବେଳ ଆସିଛି ଆମେ ସମସ୍ତେ ମିଶି ତାଙ୍କର ମହତ କାର୍ଯ୍ୟ ପାଇଁ ତାଙ୍କୁ ସମ୍ବର୍ଦ୍ଧନା କରିବା ।

ଆଜି ଡାବୁଗାଁରେ ସ୍ୱଚ୍ଛ ଭାରତ ଅଭିଯାନରେ ପ୍ଲାଷ୍ଟିକ ମୁକ୍ତ ଅଞ୍ଚଳ କରିବା ପାଇଁ ଏକ ସଚେତନ ରାଲିର ଆୟୋଜନ ହୋଇଥିଲା। ଆଜି ଡାବୁଗାଁ ଭୈରବ ମହାବିଦ୍ୟାଳୟରୁ ମଶାଲ ଲଗାଇ ଏକ ସଚେତନ ରାଲି ବାହାରିଥିଲା। ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗ ଦେଇ ଭୈରବ ମହାବିଦ୍ୟାଳୟରୁ ଡାବୁଗାଁ ନୂତନ ବସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲେ। ଏହାପରେ ବସଷ୍ଟାଣ୍ଡ ପରିସରକୁ ସଫାଇ କରାଯାଇଥିଲା। ଏହି ଅବସରରେ ପାପାଡ଼ାହାଣ୍ଡି ଓ ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଝାଡ଼ୁଦାର ତୁଳସା ଭତରା, ସୁନାମଣି ନାୟକ, ଯୁଗ ସିକ୍ରି ଓ ଦିଲୀପ ହରିଜନଙ୍କୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ସମ୍ମାନିତ କରିଥିଲେ।

ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଜଳ ଓ ପରିମଳ ମିଶନ ତରଫରୁ ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା କାର୍ଯ୍ୟକ୍ରମର ଡାବୁଗାଁରେ ଆୟୋଜନ କରାଯାଇଛି। ସଂପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଢ଼ିବା ଉଦ୍ଦେଶ୍ୟ ନେଇ ଏହି ଅଭିଯାନ ଚାଲିଛି। ତେବେ ଏହି କାମରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କର ପରିବେଶ ପ୍ରତି ଥିବା ଅବଦାନକୁ ବିଧାୟକ ମନୋହର ରନ୍ଧାରୀ ଗୁରୁତ୍ୱପୂର୍ଣ୍ଣ ମନେକରିଛନ୍ତି। ସେଥିପାଇଁ ସେ ସଫେଇ କର୍ମଚାରୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପାଦଧୋଇ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର