ଖୋର୍ଦ୍ଧା: ଖୋର୍ଦ୍ଧାରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ବିଜୁ ଜନତା ଦଳ ପକ୍ଷରୁ ପଞ୍ଚାୟତିରାଜ ଓ ଲୋକସେବା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ସ୍ୱାଗତ ଭାଷଣ ଓ ସଭାର ସଂଯୋଜନା କରିଥିଲେ। ଏହି ଅବସରରେ ପଞ୍ଚାୟତର ବିକାଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପଞ୍ଚାୟତ ଗୁଡ଼ିକୁ ଆର୍ଥିକ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କୃତ ହୋଇଥିବା ପଞ୍ଚାୟତ ଗୁଡ଼ିକ ମଧ୍ୟରେ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ ଭାବେ ବୋଲଗଡ଼ର ପାଟପୁର ଶାସନ, ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ଭାବେ ଜଟଣୀର ଯାଁଳା, ସ୍ୱଭିତ୍ତିଭୂମି ବିକାଶରେ ଜଟଣୀର ତରାବୋଇ, ସୁସ୍ଥ ପଞ୍ଚାୟତରେ ବୋଲଗଡ଼ର ବୋମକେଇଦେଶ, ଦାରିଦ୍ର୍ୟଦୂରୀକରଣ ଓ ଜୀବିକା ବିକାଶରେ ବୋଲଗଡ଼ ପାଟପୁରଶାସନ, ଶିଶୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ପଞ୍ଚାୟତ ଭାବେ ଖୋର୍ଦ୍ଧା ବରସାହି, ସାମାଜିକ ସୁରକ୍ଷିତ ପଞ୍ଚାୟତ ଭାବେ ଟାଙ୍ଗୀର ବାଲିପାଟପୁର, ଉତ୍ତମ ପ୍ରଶାସନରେ ବୋଲଗଡ଼ ଖଂଗୁରିଆ, ମହିଳା ସୌହାର୍ଦ୍ଦ୍ୟପୂର୍ଣ୍ଣ ପଞ୍ଚାୟତ ଭାବେ ବୋଲଗଡ଼ କଳାଙ୍ଗକୁ ପୁରସ୍କୃତ କରାଯାଇଥିବା ବେଳ ସର୍ବୋକ୍ରୃଷ୍ଟ ପଞ୍ଚାୟତ ଭାବେ ଚିଲିକା ବ୍ଲକର ଚଣ୍ଡେଶ୍ୱର, ବୋଲଗଡ଼ର ବୋମକେଇଦେଶ ଓ ବାଲିଅନ୍ତାର ବାଇଁଚୁଆ ପଞ୍ଚାୟତକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଏହାପରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ରୂପଶ୍ରୀରାଣୀ ଗୁମାନସିଂହ, ପୁରସ୍କୃତ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ଓ ଜିଲ୍ଲା ପରିଷଦର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଥିଲେ। ସେହିଭଳି ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ସକାଳେ ଦଳର ବିଧାୟକ, ବିଭିନ୍ନ ଛାମୁଆ ସଂଗଠନର କାର୍ଯ୍ୟକର୍ତା, ସଦସ୍ୟମାନେ ବିଜୁ ପଟ୍ଟନାୟକ ପାର୍କ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଜୟୀ ରାଜଗୁରୁଭବନ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାଁ, ଓଡ଼ିଶା ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ରାଜ୍ୟ ମହିଳା ବିଜେଡି ବରିଷ୍ଠ ଉପସଭାନେତ୍ରୀ ବାସନ୍ତୀ ମହାପାତ୍ର, ଜିଲ୍ଲା ସଭାପତି ବିଭୂତି ବଳବନ୍ତରାୟ, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟଙ୍କ ସମେତ ଅନ୍ୟ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Khordha-Zillastariya-Biju-pattnaik-Jayanti-palita.jpeg)