ବଗପାଟିଆକୁ ଯିବେ ପଞ୍ଚୁବରାହୀ:ମାର୍ଚ୍ଚରେ ହେବ ସ୍ଥାନାନ୍ତର

ରାଜନଗର: ରାଜନଗର ବ୍ଲକର ସାତଭାୟା ଗାଁରେ ବଙ୍ଗୋପସାଗର କୂଳରେ ପୂଜା ପାଇ ଆସୁଥିବା ମା’ ପଞ୍ଚୁବରାହୀଙ୍କ ମନ୍ଦିର କାମ ବଗପାଟିଆରେ ଚାଲିଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତବର୍ଷ ଡିସେମ୍ବରରେ କାମ ଆରମ୍ଭ ହୋଇଥିଲା। ଫେବ୍ରୁଆରି ସୁଦ୍ଧା ଶେଷ ହେବ। ଆସନ୍ତାବର୍ଷ ଦୋଳ ପୂର୍ଣ୍ଣିମାରେ ମା’ଙ୍କୁ ନୂତନ ମନ୍ଦିରରେ ପ୍ରତିଷ୍ଠିତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।
ନବମ-ଦଶମ ଶତାବ୍ଦୀରେ ବଙ୍ଗୋପସାଗର କୂଳରେ ପୂଜା ପାଇଆସୁଛନ୍ତି ମା’ ପଞ୍ଚୁବରାହୀ। ୫ଜଣ ବରାହୀମୁଖୀ ମାତୃଶକ୍ତି ଏକତ୍ର ୫ ଭଉଣୀ ରୂପରେ ପୂଜାପାଇବାର ଦୃଷ୍ଟାନ୍ତ ଅନ୍ୟ କୌଣସିଠାରେ ନାହିଁ। ଲୋକମୁଖରେ ଏହି ୫ ଭଉଣୀଙ୍କ ନାଁ ପଞ୍ଚୁରେଇ, ବିମଳେଇ, କମଳେଇ, ଜାଳୀ ଓ ବାଟକୁମାରୀ। ୪ ଭଉଣୀ ଗୋଟିଏ ଆସ୍ଥାନ ଉପରେ ସ୍ଥାପିତ ହୋଇଥିବା ବେଳେ ଅନ୍ୟଜଣେ ଭଉଣୀ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଉପରେ ସ୍ଥାପିତ ହୋଇ ପୂଜା ପାଉଛନ୍ତି। ଉପକୂଳ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ମା’ ପଞ୍ଚୁବରାହୀ ପୀଠର ମହିମା ରହିଛି। ସୂଚନା ଥାଉ କି, ବଙ୍ଗୋପସାଗର ସାତଭାୟା ପଞ୍ଚାୟତକୁ ଗର୍ଭସ୍ଥ କରିସାରିଛି। ଏବେ ଜୁଆର ସମୟରେ ସମୁଦ୍ର ଲହଡି ମା’ଙ୍କ ମନ୍ଦିରର ପାହାଚ ଛୁଉଁଛି।

ବିପନ୍ନ ସାତଭାୟାବାସୀଙ୍କୁ ବଗପାଟିଆଠାରେ ଥଇଥାନ କରାଯାଉଛି। ସାତଭାୟାର ୫୭୧ ମଧ୍ୟରୁ ୩ଶହରୁ ଉର୍ଦ୍ଧ୍ୱ ପରିବାର ବଗପାଟିଆରେ ବସତି ସ୍ଥାପନ କରିସାରିଲେଣି। ଆସନ୍ତା ବର୍ଷାଦିନ ପୂର୍ବରୁ ସାତଭାୟାର ସମସ୍ତ ପରିବାର ସେଠାରେ ସ୍ଥାୟୀ ଭାବେ ବସବାସ କରିବେ। ବିପନ୍ନ ସାତଭାୟାବାସୀ ମା’ଙ୍କ ବିନା ବଗପାଟିଆରେ ରହିବା ପାଇଁ ଅମଙ୍ଗ ହୋଇଥିଲେ। ଶେଷରେ ମା’ଙ୍କ ମନ୍ଦିର ସେଠାରେ ସ୍ଥାପନ କରିବା ପାଇଁ ନିଷ୍ପତ୍ତିି ହୋଇଥିଲା। ଗତବର୍ଷ ଡିସେମ୍ବରରେ ଆରମ୍ଭ ହୋଇଥିବା ମା’ଙ୍କ ମନ୍ଦିର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଫେବ୍ରୁଆରି ସୁଦ୍ଧା କାମ ଶେଷ ହେବ। ମାର୍ଚ୍ଚ ମାସରେ ଦୋଳ ପୂର୍ଣ୍ଣିମାରେ ମା’ଙ୍କୁ ବଗପାଟିଆର ନୂତନ ମନ୍ଦିରରେ ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ପ୍ରତିବର୍ଷ ଭଳି ଦୋଳପୂର୍ଣ୍ଣିମାରେ ମା’ଙ୍କ ପାଖରେ ଯଜ୍ଞ କରାଯିବା ବେଳେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ହେବ। ଗତ ରବିବାର ବିଶ୍ୱଶାନ୍ତିି ଯଜ୍ଞ କମିଟି ଓ ସାତଭାୟାବାସୀଙ୍କ ବୈଠକ ବସିଥିଲା। ଯଜ୍ଞକମିଟିର ସଭାପତି ଅକ୍ଷୟ କୁମାର ପରିଡାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ସଂପାଦକ କରୁଣାକର ସ୍ୱାଇଁ, ସରପଞ୍ଚଙ୍କ ପ୍ରତିନିଧି ସଂଗ୍ରାମ କେଶରୀ ସାହାଣୀ, ଗାଁର ଜ୍ଞାନ ରଂଜନ ପଣ୍ଡା, ସୁଦର୍ଶନ ରାଉତ, ମଙ୍ଗୁଳି ଚରଣ ଦାସ, ନୃସିଂହ ଚରଣ ପ୍ରଧାନ, ମଥୁରାନନ୍ଦ ମଲ୍ଲିକ, ସୁରଥ ମଳିକ, ରବିନ୍ଦ୍ର ରାଉତ, ମଧୁସୂଦନ ମୁଦୁଲି, କାଶିନାଥ ବେହେରା, ବୀରେନ୍ଦ୍ର ପୃଷ୍ଟି, ବିପ୍ରବର ଜେନା ପ୍ରମୁଖ ଯୋଗଦେଇ ମନ୍ଦିର ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ମା’ ପଞ୍ଚୁବରାହୀ ମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଅଛି। ଦେବୋତ୍ତର ବିଭାଗର ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟି କନିକା ରାଜପରିବାରକୁ ମନ୍ଦିରର ପରିଚାଳନା ଭାର ଦିଆଯାଇଛି। ହେଲେ, ପ୍ରକୃତପକ୍ଷେ ସାତଭାୟା ଯଜ୍ଞକମିଟି ଓ ଗ୍ରାମବାସୀ ମା’ଙ୍କ ସମସ୍ତ ପୂଜାନୀତି କାର୍ଯ୍ୟ ସମାପନ କରିଥାନ୍ତିି । କମିଟି ପକ୍ଷରୁ ଏକ ଟିମ୍‌ କନିକା ରାଜାଙ୍କୁ ଭେଟି ମା’ଙ୍କ ସ୍ଥାନାନ୍ତର ଓ ନୂତନ ମନ୍ଦିର ପ୍ରତିଷ୍ଠା ସଂପର୍କରେ ଆଲୋଚନା କରିବା ସହ ପ୍ରତିଷ୍ଠା ଉତ୍ସବକୁ ରାଜାଙ୍କୁ ଆମନ୍ତ୍ରଣ କରିବେ।

ସମ୍ବନ୍ଧିତ ଖବର