ମୟୂରଭଞ୍ଜରେ ପ୍ରାକ୍‌-ପଞ୍ଚାୟତ ନିର୍ବାଚନ ବାସ୍ନା! ବିଜେଡିର ମିସନ ମୟୂରଭଞ୍ଜ

ବାରିପଦାରେ କର୍ମୀଙ୍କୁ ମନ୍ତ୍ର ଦେଲେ ବରିଷ୍ଠ ପର୍ଯ୍ୟବେକ୍ଷକ ମହେଶ୍ବର ମହାନ୍ତି , ୪ ନିର୍ବାଚନମଣ୍ଡଳୀର ସାଂଗଠନିକ ସ୍ଥିତିର ସମୀକ୍ଷା କଲେ

ବାରିପଦା : ମୟୂରଭଞ୍ଜରେ ଦେଖାଦେଇଛି ପ୍ରାକ-ପଞ୍ଚାୟତ ନିର୍ବାଚନ ପରିବେଶ। ଜିଲ୍ଲାରେ ବିଜେଡି, ବିଜେପି, ଜେଏମଏମ ଓ କଂଗ୍ରେସ ଭଳି ରାଜନୈତିକ ଦଳଗୁଡ଼ିକ ଧୀରେ ଧୀରେ ସେମାନଙ୍କର ରାଜନୈତିକ ଗତିବିଧିକୁ ତ୍ବରାନ୍ବିତ କଲେଣି। ତେବେ ଏହି ପ୍ରସ୍ତୁତିରେ ସବୁଠୁ ଆଗରେ ରହିଛି ବିଜେଡି। ଜିଲ୍ଲାରେ ଦଳ ପକ୍ଷରୁ ଘନଘନ ବୈଠକ, କର୍ମୀ ସମ୍ମିଳନୀ ସହିତ ଛାମୁଆ ସଂଗଠନ ଛାତ୍ର, ଯୁବ ସଂଗଠନକୁ କ୍ରିୟାଶୀଳ କରିବାକୁ ସମସ୍ତ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ଆଜି ମୟୂରଭଞ୍ଜ ଜିଲ୍ଲା ଦାୟିତ୍ବରେ ଥିବା ବରିଷ୍ଠ ପର୍ଯ୍ୟବେକ୍ଷକ ମହେଶ୍ବର ମହାନ୍ତି ଜିଲ୍ଲା ଗସ୍ତରେ ଆସି ବାରିପଦାରେ କର୍ମୀଙ୍କୁ ମନ୍ତ୍ର ଦେଇଛନ୍ତି। ଆଜି ଶ୍ରୀ ମହାନ୍ତି ଜିଲ୍ଲାର ମୋରଡ଼ା, ବଡ଼ସାହି, ଉଦଳା ଏବଂ ବାରିପଦା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଥିଲେ। ଏଥିସହିତ ନୂତନ ଭାବେ ନିଯୁକ୍ତି ପାଇଥିବା ନିର୍ବାଚନ ମଣ୍ଡଳୀ, ବ୍ଲକ୍‌ ଓ ଜୋନାଲ୍‌ ସଂଯୋଜକମାନଙ୍କ ସହିତ ମଧ୍ୟ ବୈଠକ କରିଥିଲେ। ଘରକୁ ଘର ଯାଇ ରାଜ୍ୟ ସରକାରଙ୍କ ସମସ୍ତ ଜନକଲ୍ୟାଣମୂଳକ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ବରିଷ୍ଠ ବିଜେଡି ନେତା ମହେଶ୍ବର ଦଳୀୟ ନେତୃମଣ୍ଡଳୀଙ୍କୁ ପରାମର୍ଶ ଦେଇଥିଲେ। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏଥର ପ୍ରତିପକ୍ଷ ରାଜନୈତିକ ଦଳ ସହିତ ଡିଜିଟାଲ୍‌ ପ୍ଲାଟ୍ଟଫର୍ମରେ ଲଢ଼େଇ ହେବା ଏକପ୍ରକାର ସ୍ପଷ୍ଟ । ତେଣୁ କର୍ମୀଙ୍କଠାରୁ ଆରମ୍ଭ କରି ନେତା, ଛାତ୍ର ଯୁବଙ୍କ ଠାରୁ ଆରମ୍ଭ କରି ବରିଷ୍ଠଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କ ସହିତ ବିଭିନ୍ନ ଡିଜିଟାଲ୍‌ ପ୍ଲାଟ୍ଟଫର୍ମ ମାଧ୍ୟମରେ ସବୁବେଳେ ଯୋଡ଼ି ହୋଇ ରହିବାକୁ ଗୁରୁତ୍ବାରୋପ କରିଥିଲେ। ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ଜିଲ୍ଲା ପରିଷଦ ଆସନକୁ ସର୍ବାଧିକ ଗୁରୁତ୍ବ ଦେବ ବୋଲି ମହେଶ୍ବର ସ୍ପଷ୍ଟ କରିଥିଲେ। ଅର୍ଥାତ ଚଳିତ ଥର ବିଜେଡି ମୟୂରଭଞ୍ଜ ଜିଲ୍ଲା ପରିଷଦ ଆସନ ଦଖଲ କରିବାକୁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ କରିଛି। ତଦନୁଯାୟୀ ଦଳୀୟ ନେତୃବୃନ୍ଦ ଏବଂ କର୍ମୀ କାମ କରିବାକୁ ମହେଶ୍ବର ପରୋକ୍ଷରେ ସଫା ଇସାରା ଦେଇଛନ୍ତି। ସେହିପରି ଚଳିତ ଥର ଜିଲ୍ଲାରେ ଗୋଷ୍ଠୀକନ୍ଦଳର କୌଣସି ସ୍ଥାନ ନାହିଁ। ସବୁ ନେତା ଏକାଠି କାମ କରିବାକୁ ପଡ଼ିବ। ଆଜି ମହେଶ୍ବରଙ୍କ ଏପରି ବାର୍ତ୍ତା ବିଜେଡିର ମିସନ ମୟୂରଭଞ୍ଜ ଯୋଜନାକୁ ଦଳୀୟ ନେତା ଏବଂ କର୍ମୀଙ୍କ ସାମ୍ନାରେ ସ୍ପଷ୍ଟ କରିଛି। ଉଲ୍ଲେଖଯୋଗ୍ୟଯେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ପଞ୍ଚାୟତ ସମିତିକୁ ଅଧିକ ଗୁରୁତ୍ବ ଦେଇ ଜିଲ୍ଲା ପରିଷଦ ଆସନଗୁଡ଼ିକରେ ଚିତ୍‌ପଟ୍ଟାଙ୍ଗ୍‌ ମାରିଥିଲା। ୫୬ ଆସନ ବିଶିଷ୍ଟ ମୟୂରଭଞ୍ଜ ଜିଲ୍ଲାପରିଷଦରେ ବିଜେଡି ଏକ ଅଙ୍କରେ ସିମୀତ ରହିଥିଲା। ୪୯ ଆସନ ସହିତ ବିଜେପି ବିପୁଳ ବିଜୟ ହାସଲ କରିଥିଲା। ଅବଶ୍ୟ ପରେ ଦଳ ଦୁଇଟି ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜୟ ଲାଭ କରିଥିଲା। ଗତ ପଞ୍ଚାୟନ ନିର୍ବାଚନର ବିଫଳତାକୁ ଆଉ ‌ନଦୋହରାଇବା ଲକ୍ଷ୍ୟରେ ଜିଲ୍ଲାରେ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ବିଭିନ୍ନ ରଣନୀତି ପ୍ରସ୍ତୁତ କରି ଆଗକୁ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ତେବେ  ଦଳ ପାଇଁ ଆଗାମୀ ପଞ୍ଚାୟତନ ନିର୍ବାଚନରେ ସଫଳତା ହାସଲ କରିବା ଏତେ ସହଜ ହେବ ନାହିଁ । କାରଣ ଜିଲ୍ଲାର ୯ ବିଧାନସଭା ଆସନରୁ ୬ଟିରେ ବିଜେପି ବିଧାୟକ ଅଛନ୍ତି। ସେହିପରି ଏକମାତ୍ର ଲୋକସଭା ଆସନରୁ ଜିତିଥିବା ବିଜେପି ନେତା ବିଶ୍ବେଶ୍ବର ଟୁଡୁ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଜେଏମଏମ ମଧ୍ୟ ପୂର୍ବାପେକ୍ଷା ଅଧିକ ସଂଗଠିତ ହୋଇ କାମ କରୁଛି। ଆଉ କଂଗ୍ରେସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରକୁ ଘେରିବାକୁ ଚେଷ୍ଟା କରୁଛି। ତେଣୁ ଜିଲ୍ଲାରେ ଚଳିତ ନିର୍ବାଚନରେ ଚର୍ତୁମୁଖୀ ପ୍ରତିଦ୍ବନ୍ଦିତା ହେବ ଏକରକମ ସ୍ପଷ୍ଟ। ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଂଯୋଜନା ଅନୁଷ୍ଠିତ ବୈଠକରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ଚିନ୍ମୟ ସାହୁ, ଗଣେଶ୍ବର ପାତ୍ର, ଶ୍ରୀନାଥ ସୋରେନ, ଦେବାଶିଷ ମାର୍ଣ୍ଡି, ଜିଲ୍ଲା ମହିଳା ସଭାନେତ୍ରୀ ଦିପ୍ତୀଲତା ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦିକା ସୀମା ଦାସ, ସବିତା ହାଁସଦା, ରାଜ୍ୟ ସମ୍ପାଦିକା ଶ୍ରାବଣୀ ଦାସ, ଯୁବ ସଭାପତି ଅରୁଣ ବରାଡ଼, ଛାତ୍ର ସଭାପତି ସୁନୀଲ ନାୟକ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ। ରାଜସ୍ବ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି କୋଭିଡ୍‌ ପରବର୍ତ୍ତୀ ବିଶ୍ରାମ କାରଣରୁ ବୈଠକରେ ଅନୁପସ୍ଥିତ ଥିଲେ। ତେଣୁ ତାଙ୍କ ନିର୍ବାଚନମଣ୍ଡଳୀ ବାଙ୍ଗିରିପୋଷିର ସମୀକ୍ଷା ହୋଇପାରିନାହିଁ। ‌ମହେଶ୍ବର ଆସନ୍ତାକାଲି ବିଜେଡିର ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସମୀକ୍ଷା କରିବାର କାର୍ଯ୍ରକ୍ରମ ରହିଛି।

 

ସମ୍ବନ୍ଧିତ ଖବର