ଭଦ୍ରକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଆଜି ପ୍ରଥମେ ଚାନ୍ଦବାଲି ବ୍ଲକକୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିବା ମିଶନ କାଫେ ପରିଦର୍ଶନ କରି ପାଣ୍ଡିଆନ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ । ଜନସାଧାରଣ ଓ ବିଭିନ୍ନ ସଂଗଠନର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ ନୂଆ ବର୍ଷ ପୂର୍ବରୁ ଶେଷ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । କୌଣସି ପ୍ରକଳ୍ପପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହିଥିଲେ । ଅନୁମୋଦନ ଅପେକ୍ଷାରେ ଥିବା ପ୍ରଦତ୍ତ ସମସ୍ତ ପ୍ରକଳ୍ପକୁ ମଞ୍ଜୁର କରାଯିବ ବୋଲି କହିଥିଲେ । ତିନିତର ଘାଟ ବ୍ରିଜର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଚାନ୍ଦବାଲିବାସୀଙ୍କ ବହୁଦିନର ଆଶା ମନ୍ତେଇ ବ୍ରିଜ ନିର୍ମାଣ ଯୋଗୁଁ ଚାନ୍ଦବାଲିରୁ ଧାମରା ଗମନାଗମନରେ ୪ ଘଣ୍ଟା ସମୟ ବଦଳରେ ମାତ୍ର ୪୫ ମିନିଟ୍ ସମୟ ଲାଗିବା କଥା ପ୍ରକାଶ କରିଥିଲେ। ଚାନ୍ଦବାଲି, ଧାମନଗର, ତିହିଡି ଓ ବାସୁଦେବପୁର ଚାରିଟି ବ୍ଲକର ୯୨ ଗ୍ରାମ ପଞ୍ଚାୟତର ଲବଣାକ୍ତ ଅଞ୍ଚଳରେ ଥିବା ୫୨୬ ଗ୍ରାମର ଘରକୁ ଘର ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣ ପାଇଁ ନିର୍ମିତ ମେଗା ପାଇପ ୱାଟର ସପ୍ଲାଇ ପ୍ରକଳ୍ପ ପରିଦର୍ଶନ କରି ସହରାଞ୍ଚଳପାଇଁ ମଧ୍ୟ ଏହିଭଳି ପ୍ରକଳ୍ପ ନିର୍ମାଣ କରାଯାଇ ଘରକୁ ଘର ଜଳ ଯୋଗାଇ ଦିଆଯିବାପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।ଚାନ୍ଦବାଲିରୁ ଯାଇ ବାସୁଦେବପୁର ଯାଦବ ପଡିଆରେ ପହଞ୍ଚି ପାଣ୍ଡିଆନ ସାଢେ ପାଞ୍ଚ କୋଟିରୁ ଉର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ହେଉଥିବା ବି-ଟାଇପ ମଡେଲ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ବିଷୟରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ଆମ ହସ୍ପିଟାଲ ଯୋଜନାରେ ବାସୁଦେବପୁର ସି.ଏଚ.ସି ର ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରି ନିର୍ମାଣାଧୀନ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାପାଇଁ କହିଥିଲେ । ଡାକ୍ତରଖାନାର ୱାର୍ଡ ବୁଲି ରୋଗୀ, ଡାକ୍ତର ଓ ନର୍ସମାନଙ୍କସହ ମତ ବିନିମୟ କରିଥିଲେ । ବି.ସି.ସି.ୟୁ.ବି.ବି ହାଇ ସ୍କୁଲ ପଡିଆ, ମନ୍ଦାରୀରେ ପହଞ୍ଚି ପାଣ୍ଡିଆନ ତୃତୀୟ ଦଫାର ହାଇ ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ୫-ଟି ଉପକ୍ରମରେ ଶିକ୍ଷାର ଉନ୍ନତ୍ତି, ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ଖେଳପଡିଆ, ଶୌଚାଳୟ ଆଦିର ପ୍ରଭାବ ବିଷୟରେ ପିଲାଙ୍କସହ ମତ ବିନିମୟ କରିଥିଲେ । ପରେ ପରେ ବାସୁଦେବପୁର ଗସ୍ତର ଅନ୍ତିମ କାର୍ଯ୍ୟକ୍ରମ ରକ୍ତତୀର୍ଥ ଇରମରେ ପହଞ୍ଚି ଶହୀଦ ସୃତି ସ୍ତମ୍ଭ ଓ ଶହୀଦ ସୃତି ପୀଠରେ ପୁଷ୍ପ ଗୁଚ୍ଛ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସୃତି ପୀଠର ଉନ୍ନତି କାମ ସମୀକ୍ଷା କରିଥିଲେ । ଇରମକୁ ଓଡିଶାର ଅଗ୍ରଗଣ୍ୟ ସହିଦ ପୀଠ କରିବାପାଇଁ ଭିତ୍ତିଭୂମିର ବିକାଶ କରାଯିବାନେଇ ଘୋଷଣା କରିଥିଲେ । ବାସୁଦେବପୁରରୁ ଧାମନଗର ବ୍ଲକକୁ ଗସ୍ତରେ ଯାଇ ଇନଡୋର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ଓ ଗୁଣାତ୍ମକମାନରେ କାର୍ଯ୍ୟ କରିବାକୁ ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ପୂର୍ବଦିନ ଜୁନ୍ ୧୧ ତାରିଖରେ ପାଣ୍ଡିଆନ କେନ୍ଦୁଝର ଗସ୍ତ ଶେଷ କରି ଭଦ୍ରକରେ ପହଞ୍ଚି ଥିଲେ । ସେଠାରେ ସେ ଷ୍ଟାଡିୟମର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଷ୍ଟାଡିୟମର ଉନ୍ନତି ପାଇଁ ଥିବା ଯୋଜନା ବିଷୟ ଗୁଡିକୁ ୫ଟି ସଚିବଙ୍କୁ ଜିଲ୍ଲାପାଳ ଅବଗତ କରାଇବା ପରେ ପାଣ୍ଡିଆନ ଭଲ କ୍ରିକେଟ ଗ୍ରାଉଣ୍ଡ ପାଇଁ ଫ୍ଲଡ ଲାଇଟର ସୁବିଧା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ବ୍ୟାଡମିଣ୍ଟନ , ଭଲିବଲ , ବାସ୍କେଟବଲ ଖେଳ ପାଇଁ ଲୋକେ ଦାବି କରିବାରୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସବୁ ସୁବିଧା କରାଯିବ ବୋଲି ପ୍ରକାଶ କରିଥିଲେ । ଧାମରା ବନ୍ଦର ଭଦ୍ରକ ପାଇଁ ସବୁଠୁ ବଡ ଅଦଦାନ ଏବଂ ଧାମରାଠାରେ ଶିଳ୍ପ ପ୍ରାର୍କ, ଧାମନଗର ଛକଠାରେ ଟେକ୍ସଟାଇଲ ପ୍ରକଳ୍ପ ପାଇଁ ପ୍ରତିଷ୍ଠା ଚାଲିଛି ।
ତାହା ଦିନେ କେବଳ ଭଦ୍ରକ ନୁହେଁ ସାରା ରାଜ୍ୟ ଅର୍ଥନୀତି ପାଇଁ ପ୍ରଭାବ ହେବବୋଲି ପ୍ରକାଶ କରିଥିଲେ । ଆନନ୍ଦପୁର ବ୍ୟାରେଜ ପାଇଁ ଅକ୍ଟେବର ସୁଦ୍ଧା ସାଳନ୍ଦୀରେ ଅଧିକ ପାଣି ଆସିବ । ନାଜର ନାଳ ପାଇଁ ଅତିଶିଘ୍ର କାର୍ଯ୍ୟ ଆରମ୍ଭ ହେବାନେଇ ମଧ୍ୟ ସୁଚନା ଦେଇଥିଲେ । ପ୍ରଥମ ଦିନର ଗସ୍ତର ଶେଷ କାର୍ଯକ୍ରମ ମା ଭଦ୍ରକାଳୀ ମନ୍ଦିରକୁ ଗସ୍ତ କରି ମା ଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚନା କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ନିଆଯାଇଥିବା ଓ ନିଆଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ମନ୍ଦିର ଫେଜ -୧ କାମ ସମାପ୍ତ ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ ଏବଂ ଫେଜ-୨ ପାଇଁ ସବିଶେଷ ପ୍ରକଳ୍ପ ରିପୋର୍ଟ ତିଆରି କରି ଅବିଳମ୍ବେ ପଠାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମା ଭଦ୍ରକାଳୀ ମନ୍ଦିରକୁ ଭଦ୍ରକ ସହରରୁ ଯିବା ପାଇଁ ଉପଯୁକ୍ତ ମାର୍ଗକୁ ଜିଲ୍ଲାପାଳ ଚିହ୍ନଟ କରି ସୁପାରିଶ କଲେ ସେହି ରାସ୍ତାର ଉନ୍ନତିକରଣ ପାଇଁ ପ୍ରଶାସନିକ ମଞ୍ଜୁରୀ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ।