ଭୁବନେଶ୍ୱର/ଗଜପତି: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଆଜି ତାଙ୍କର ଗଜପତି ଗସ୍ତର ଦ୍ବିତୀୟ ଦିନରେ ଛେଳିଗଡ ଜଳସେଚନ ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ସେ ଟନେଲ କାର୍ଯ୍ୟ ପରିଦର୍ଶନ କରିଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ପାଣ୍ଡିଆନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଛେଳିଗଡ ଜଳସେଚନ ପ୍ରକଳ୍ପ ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକ୍‌ସ୍ଥିତ ଛେଳିଗଡ ଗ୍ରାମରେ କାର୍ଯ୍ୟକାରୀ କରାଯାଉଛି । ଏଥିପାଇଁ ୯୩୬.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ୧୨୮୦ ମିଟର ଦୀର୍ଘ ଏକ ଲମ୍ବା ଟନେଲ ଖୋଳାଯାଇଛି । ଏହାଦ୍ବାରା ଗଞ୍ଜାମ ଜିଲ୍ଲାକୁ ପାଣି ଯାଇପାରିବ। ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବାପରେ ଏଥିରେ ୫୨୦୧ ହେକ୍ଟର ମିଟର ପାଣି ସଂରକ୍ଷିତ କରି ରଖାଯାଇପାରିବ ଏବଂ ଗଞ୍ଜାମ ଜିଲ୍ଲାର ୫୭୬୦ ହେକ୍ଟର ଓ ଗଜପତିର ୫୦୦ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିପାରିବ । ଏହାଦ୍ବାରା ବ୍ରହ୍ମପୁର ସହରକୁ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯିବ।

Advertisment

ବ୍ରହ୍ମପୁର ସହରକୁ ପ୍ରତି ସେକେଣ୍ଡରେ ଏକ କ୍ୟୁବିକ୍‌ ମିଟର ପାଣି ମିଳିପାରିବ। ଏହାସହିତ ଗଜପତି ଜିଲ୍ଲାର ଶିଆଳି ଲଟି, କନକତା ଓ ଡେକିଲି ଆଦି ୩ଟି ସ୍ଥାନରେ ମିନି ହାଇଡେଲ ପ୍ରକଳ୍ପ ଜରିଆରେ ୩୬ ମେଗାୱାଟ ବିଦ୍ୟୁତ ମଧ୍ୟ ଉତ୍ପାଦନ କରାଯାଇପାରିବ । ଏଥିରେ ୧୫ଟି ଗାଁର କ୍ଷତିଗ୍ରସ୍ତ ଲୋକମାନଙ୍କ ପାଇଁ ୭ଟି ପୁନର୍ବାସ ଓ ଥଇଥାନ କଲୋନୀ କରାଯିବ ଏବଂ ୩ଟି ଥଇଥାନ କଲୋନୀର କାର୍ଯ୍ୟ ସଂପୂର୍ଣ୍ଣ ହେବା ସହିତ ଏଠାରେ ଲୋକମାନେ ରହିବା ଆରମ୍ଭ କଲେଣି। ବାକି ୪ଟିର ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ଖୁବଶୀଘ୍ର ସଂପୂର୍ଣ୍ଣ କରିବାକୁ ପାଣ୍ଡିଆନ ପରାମର୍ଶ ଦେଇଥିଲେ । ୨୦୨୫-୨୬ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବ । ଏହାପରେ ପାଣ୍ଡିଆନ ଗୁମ୍ମାରେ ନିର୍ମାଣାଧୀନ ଏକ ବସଷ୍ଟାଣ୍ଡର କାର୍ଯ୍ୟ ଦେଖିଥିଲେ ଏବଂ ଏହାର କାର୍ଯ୍ୟର ମାନକୁ ଉଚ୍ଚକୋଟୀର କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଗୁମ୍ମାରେ ଏକ ରୂପାନ୍ତରିତ ହାଇସ୍କୁଲକୁ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ ।

publive-image

ଏହାପରେ ସେ ପ୍ରସ୍ତାବିତ ପାରଳାଖେମୁଣ୍ଡି ବାଇପାସ୍‌ ରୋଡ ଅଞ୍ଚଳକୁ ଯାଇଥିଲେ ଏବଂ ଏହାର କାମ ଯେପରି ଶୀଘ୍ର ଆରମ୍ଭ ହେବ, ସେଥିପାଇଁ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ବାଇପାସ୍ ପାଇଁ ଚାଳିଶ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି | ପରେ ସେଠାରେ ନିର୍ମାଣାଧୀନ ଏକ ନୂତନ ଟାଉନ ହଲ୍‌କୁ ମଧ୍ୟ ବୁଲି ଦେଖିଥିଲେ । ଟାଉନ ହଲ୍ କାମ ଶେଷ କରିବା ପାଇଁ ଦେଢ଼ କୋଟି ଟଙ୍କା ଯୋଗାଇଦିଆଯିବ ବୋଲି ପାଣ୍ଡିଆନ୍ ସୂଚନା ଦେଇଥିଲେ | ସେହିପରି ରାମସାଗର ଓ କୃଷ୍ଣସାଗର କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଜଳସେଚିତ ଅଞ୍ଚଳର ଚାଷୀମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ପାଇଁ ଅଧିକ ସୁବିଧା କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ରାମ ସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ | ଏଥିପାଇଁ ୧୫ ଦିନ ଭିତରେ ଡିପିଆର ପ୍ରସ୍ତୁତ କରିବା ପାଇଁ ୫-ଟି ସଚିବ ପରାମର୍ଶ ଦେଇଥିଲେ |