ଝିଣ୍ଟିକା ପ୍ରଜାତିର ପ୍ରାଣୀକୁ ନେଇ ମୟୂରଭଞ୍ଜରେ ପଙ୍ଗପାଳ ଆସିବା ଚର୍ଚ୍ଚା: ଖାଇଗଲେ ଅରଖ ଗଛ, ଉଡ଼ିଗଲା ପରେ ସଫା ହୋଇଗଲା

ବାରିପଦା: ମୟୂରଭଞ୍ଜଜିଲ୍ଲା ସଦରମହକୁମା ବାରିପଦାରୁ ମାତ୍ର ଅଳ୍ପ କିଛି କିଲୋମିଟର ଦୂରରେ ଦେଉଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଚାଖାଳି ବନ୍ଧ ନିକଟରେ କିଛି ଝିଣ୍ଟିକା ଭଳି ଦିଶୁଥିବା ପ୍ରାଣୀଙ୍କୁ ନେଇ ଜିଲ୍ଲାକୁ ପଙ୍ଗପାଳ ଆସିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶାଗୁଆ, ଧୂସର ଭଳି ବିଭିନ୍ନ ରଙ୍ଗର ଏହି ପ୍ରାଣୀମାନେ ବନ୍ଧ କଡ଼ରେ ଥିବା ଅରଖ ଭଳି ଗଛଗୁଡ଼ିକର ପତ୍ରକୁ ଖାଇ ପୁରା ନଣ୍ଡା କରିଦେଇଥିବା ଦୃଷ୍ଟିଗୋଚର ହୋଇଥିଲା। ଏହି ଦୃଶ୍ୟ ଦେଖିବାକୁ ବାରିପଦା-ଦେଉଳି ରାସ୍ତାରେ ପଡ଼ୁଥିବା ଏହି ସ୍ଥାନରେ ଏକାଧିକ ଲୋକ ଜମା ହୋଇଥିଲେ।

ଏକକାଳୀନ ଏହି ପ୍ରାଣୀମାନେ ଗଛରେ ବସୁଥିଲେ। ପରେ ପତ୍ର ଓ ଛେଲି ଖାଇ ଗଛକୁ ପୁରା ପରିସ୍କାର କରିଦେଉଥିଲେ। ଫଳରେ ସାଧାରଣରେ ଏହା ପଙ୍ଗପାଳଙ୍କ କାଣ୍ଡ ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ମାତ୍ର ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀ ଏହା ପଙ୍ଗପାଳ ନ‌ୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଏହା ଏକ ଝିଣ୍ଟିକା ପ୍ରଜାତିର ପ୍ରାଣୀ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଜିଲ୍ଲାକୁ ପଙ୍ଗପାଳ ଅତୀତରେ କେବେ ଆସିନାହାନ୍ତି କିମ୍ବା ଆସିବାର ସମ୍ଭାବନା ମଧ୍ୟ ନାହିଁ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି। ଏହି ଝିଣ୍ଟିକା ଭଳି ପ୍ରାଣୀମାନେ କେବଳ ଅରଖ ଭଳି ପତ୍ର ଆଦି ଖାଇ ବଞ୍ଚନ୍ତି। ଏମାନଙ୍କର ଏକ ନିର୍ଦ୍ଦିଷ୍ଟ ଜୀବନସୀମା ରହିଛି। ଏହି ପ୍ରାଣୀମାନେ ଶସ୍ୟକ୍ଷେତ୍ର କିମ୍ବା କୌଣସି ଫସଲର କିଛି କ୍ଷତି କରନ୍ତି ନାହିଁ। ଏମାନଙ୍କର ଆକାର ମଧ୍ୟ ଛୋଟ। ମାତ୍ର ପଙ୍ଗପାଳମାନେ ୧୦ଇଞ୍ଚ୍ ଭଳି ଲମ୍ବା ହୋଇଥାଆନ୍ତି। ପକ୍ଷୀ ଭଳି ଏମାନେ ଉଡ଼ପାରନ୍ତି। ଲକ୍ଷ ଲକ୍ଷ କୋଟି କୋଟି ସଂଖ୍ୟାରେ ଏମାନେ ଏକାଥରେ ଆସି ଶସ୍ୟକ୍ଷେତ୍ର, ବଡ଼ବଡ଼ ଗଛ ଆଦି ଉପରେ ବସିଥାଆନ୍ତି।

ସାଧାରଣତଃ ଶୁଷ୍କ ଅଞ୍ଚଳରେ ଏମାନେ ଅଧିକ ସକ୍ରିୟ ଥାଆନ୍ତି। ଚଳିତ ଥର ଏମାନେ ରାଜସ୍ତାନ ଅତିକ୍ରମ କରି ମଧ୍ୟପ୍ରଦେଶ ପରେ ଛତିଶଗଡ଼ ପହଞ୍ଚିସାରିଛି। ତେବେ ମୟୂରଭଞ୍ଜ ପାଇଁ ବିଶେଷ ଚିନ୍ତାର କାରଣ ନାହିଁ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଛତିଶଗଡ଼, ମଧ୍ୟପ୍ରଦେଶ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏମାନଙ୍କର ପ୍ରଭାବ ପଡ଼ିପାରେ। ତଥାପି ମୟୂରଭଞ୍ଜରେ ସମ୍ଭାବ୍ୟ ପଙ୍ଗପାଳ ଜନିତ କ୍ଷୟକ୍ଷତିକୁ ନେଇ ମାର୍ଗଦର୍ଶିକା ଜାରି ହୋଇଛି। ବ୍ଲକ୍ ସ୍ତରରେ ସମସ୍ତ ଅଧିକାରୀଙ୍କୁ ଏନେଇ ସଜାଗ ରହିବାକୁ କୁହାଯାଇଛି। ପଙ୍ଗପାଳଙ୍କ ଅବସ୍ଥିତିର ସ୍ଥାନକୁ ପ୍ରତି ମିନିଟ୍ରେ ନିରୀକ୍ଷଣ କରିବା ସହିତ କ୍ଷେତରେ ଥିବା ଫସଲ ଉପରେ ପ୍ରତିଷେଧକ ବ୍ୟବସ୍ଥା ହିସାବରେ ୫ ପ୍ରତିଶତ ନିମ୍ବମଞ୍ଜି ଉଦ୍ଧୃତାଂଶ ର ଦ୍ରବଣକୁ ଏକର ପ୍ରତି ୨୦୦ ଲିଟର ହିସାବରେ ଉପରବେଳା ସିଂଚନ କରିବାକୁ ପରାମର୍ଶ ଦିଆଯାଇଛି।

ଜିଲ୍ଲାରେ ଆଜିକା ଦିନରେ ୪ହଜାର ହେକ୍ଟର ଧାନ ଏବଂ ଅଣଧାନ ଫସଲ ରହିଛି। ପଙ୍ଗପାଳ ଦଳ ଫସଲ କିଆରୀରେ ପହଂଚି ଯାଇଥିଲେ, ସେଗୁଡ଼ିକୁ ଟିଣ ବାଡ଼େଇ, କଂଟାଯୁକ୍ତ ଡାଳରେ ପିଟି ଘଉଡାଇବାର ବ୍ୟବସ୍ଥା କରାଯିବାକୁ କୁହାଯାଇଛି। ସଂଧ୍ୟା ସମୟରେ ପଙ୍ଗପାଳ ବସିଥିବା ବଡ଼ ବଡ଼ ଗଛ ତଳେ ପଲିଥିନ୍ ଜରି ବିଛାଇ ଡାଳଗୁଡ଼ିକୁ ହଲାଇଦେଲେ, ସେମାନେ ଜରି ଉପରେ ଗଳିପଡ଼ିବେ । ସେଗୁଡ଼ିକୁ ସଂଗ୍ରହ କରି କିରୋସିନି ମିଶ୍ରିତ ପାଣିରେ ବୁଡ଼ାଇ ମାରି ଦିଆଯିବାକୁ କୁହାଯାଇଛି। ଏତଦ୍ବ୍ୟତୀତ କୀଟମାନଙ୍କ ଦ୍ୱାରା ଆକ୍ରାନ୍ତ ଫସଲ ଉପରେ ପରାମର୍ଶ ଅନୁଯାୟୀ କୀଟନାଶକ ସିଞ୍ଚନ କରାଯାଇପାରେ। ପଙ୍ଗପାଳମାନେ ପ୍ରାୟ ୨ଶହ କିମି ପର୍ଯ୍ୟନ୍ତ ଉଡ଼ିପାରନ୍ତି। ଏମାନେ କେବେ ତଳେ ବସନ୍ତି ନାହିଁ। ତେଣୁ ବାରିପଦା ନିକଟବର୍ତ୍ତୀ ଦେଉଳିରେ ଦେଖାଯାଇଥିବା ପ୍ରାଣୀ ଝିଣ୍ଟିକା ପ୍ରଜାତିର ବୋଲି କୃଷି ବିଭାଗ ପକ୍ଷରୁ କୁହ‌ାଯାଇଛି।

ସମ୍ବନ୍ଧିତ ଖବର