ବଜ୍ରକାପ୍ତା ଉଦ୍ଧାର, ୪ ଗିରଫ

ରାୟଗଡାର ବଜ୍ରକାପ୍ତା ନବରଙ୍ଗପୁରରେ ବିକ୍ରି ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ   

ନବରଙ୍ଗପୁର  : ରାୟଗଡାରୁ ବଜ୍ରକାପ୍ତା ଆଣି ନବରଙ୍ଗପୁରରେ ବିକ୍ରି ଉଦ୍ୟମ ବେଳେ ବନ ବିଭାଗର ଚଢ଼ାଉ। ଏକ ୭ ବର୍ଷର ବଜ୍ରକାପ୍ତା ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଛି ନବରଙ୍ଗପୁର ବନ ବିଭାଗ ।

ବନ ବିଭାଗ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ରେ ବଜ୍ରକାପ୍ତା ବିକ୍ରି ହେଉଥିବା ନେଇ ଗତ ମାସେ ହେବ ବନ ବିଭାଗ ତନାଘନା କରୁଥିଲା। ଏଥି ପାଇଁ ଡିଏଫଓ ମଗର ଧନଜ ରାଓସ ଓ ଏସିଏଫଓ ଧନୁର୍ଜୟ ମହାପାତ୍ରଙ୍କ ନିର୍ଦ୍ଦେଶ ରେ ଉମରକୋଟ , ଡାବୁଗାଁ ଓ ନବରଙ୍ଗପୁର ବନ ବିଭାଗ ପକ୍ଷରୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଂଜନୀ ଗମାଙ୍ଗଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ଗଠନ କରାଯାଇଥିଲା।  ଗତ କାଲି ସଂଧ୍ୟା ଏକ ବଜ୍ରକାପ୍ତା ଆଣି ନବରଙ୍ଗପୁର ରେ ବିକ୍ରି ପାଇଁ ଗରାଖ ଜଗାଡ କରୁଥିବା ନେଇ ଏକ ବିଶେଷ ସୂତ୍ରରୁ ସୂଚନା ପାଇ ସଂଧ୍ୟା ୭ଟା ବେଳେ ଚିକିଲି ଛକ ଠାରୁ ଧାରନାବେଡା ଗ୍ରାମ ମଧ୍ୟରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ରେ ୪ ଜଣଙ୍କୁ ଗିରଫ କରିବା ସହ ଏକ ମୁଣିରେ ରହିଥିବା ବଜ୍ରକାପ୍ତା, ଗୋଟିଏ ମୋଟର ସାଇକେଲ, ୪ ଗୋଟି ମୋବାଇଲ ଫୋନ୍, ଗୋଟିଏ କୁରାଡି ଓ ଗୋଟିଏ ଖଣ୍ଡାକୁ ଜବତ କରାଯାଇଥିଲା। ଉକ୍ତ ବଜ୍ରକାପ୍ତା ର ଓଜନ ୮.୨ କେଜି ଓ ଓସାର ୧୨୪ ସେମି ବୋଲି କହିଛି ବନ ବିଭାଗ । ଗିରଫ ହୋଇଥିବା ୪ ଜଣ ହେଲେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମର ବୃନ୍ଦାବନ ପୂଜାରୀ, ଚିତ୍ରକୋଟର ଲୁଥାର ଟାକ୍ରୀ, ରାୟଗଡା ଜିଲ୍ଲା ତିରିଙ୍ଗି ଥାନା ଅନ୍ତର୍ଗତ ସ୍ରିପ୍ ହେମ୍ରମ୍ ଓ କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅନ୍ତର୍ଗତ ସୁକ୍ରା ମୁଦୁଲି । ଏସିଏଫଓ ଧନୁର୍ଜୟ ମହାପାତ୍ର ସୂଚନା ଦେଇଥିଲେ ଯେ ବଜ୍ରକାପ୍ତା କୁ ପଶୁ ସମ୍ପଦ ଡାକ୍ତର ଙ୍କ ଦ୍ବାରା ଚିକିତ୍ସା କରାଯିବ। ତାକୁ ୨ ଦିନ ରଖିବା ପରେ ପୁଣି ଜଙ୍ଗଲରେ ଛଡାଯିବ। ତେବେ ଏହି ବଜ୍ରକାପ୍ତାଟି ରାୟଗଡା ଅଞ୍ଚଳରୁ ଅଣାଯାଇ ନବରଙ୍ଗପୁର ରେ ବିକ୍ରି କରିବା ପାଇଁ ଗ୍ରାହକ ଖୋଜୁଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି । ବଜ୍ରକାପ୍ତା ଚୋରା ଚାଲାଣରେ ନବରଙ୍ଗପୁର, କୋରାପୁଟ ଓ ରାୟଗଡା ଜିଲ୍ଲାର ଏକ ଗ୍ୟାଙ୍ଗ ସାମିଲ ରହିଛନ୍ତି । ଏ ନେଇ ଖୋଳତାଡ ଚାଲିଥିବାର କହିଛନ୍ତି। ବଜ୍ରକାପ୍ତାର ଔଷଧୀୟ ଗୁଣ ରହିଥିବାର ସନ୍ଦେହ କରି ଏହା ବିକ୍ରି କରାଯାଉଛି। ଏହାକୁ ୧ ଲକ୍ଷ ଟଙ୍କା ରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏ ନେଇ ନବରଙ୍ଗପୁର ରେଞ୍ଜ ରେ କେସ ନଂ ୮୧/୨୧-୨୨ ରେ ମାମଲା ରୁଜୁ ହୋଇ ଆଜି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର