ନବରଙ୍ଗପୁର: ପାଞ୍ଚ ଲକ୍ଷ ଟଙ୍କାରେ ବଜ୍ରକାପ୍ତା ବିକ୍ରି କରୁଥିବା ବେଳେ ନବରଙ୍ଗପୁର ଥାନା ପୁଲିସ ପାତ୍ରମୁଣ୍ଡା ଜଙ୍ଗଲରେ ଅଚର୍କିତ ଭାବେ ଚଢ଼ାଉ କରି ୩ ଜଣଙ୍କୁ ଗିରଫ କରିଛି। ଜିଲ୍ଲା ପୁଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ନିତିନ କୁଶଲକର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏକ ବଜ୍ରକାପ୍ତାକୁ ବିକ୍ରି କରିବା ଉଦ୍ଦେଶ୍ୟରେ କିଛି ବ୍ୟକ୍ତି ତାରାଗାଁ ଜଙ୍ଗଲରେ ଛକି ରହିଥିବାର ଖବର ପାଇ ନବରଙ୍ଗପୁର ପୁଲିସ ଚଢ଼ାଉ କରିଥିଲା। ଘଟଣା ସହିତ ସଂପୃକ୍ତ ୩ ଜଣ ବ୍ୟକ୍ତି ବଜ୍ରକାପ୍ତାକୁ ଏକ ବ୍ୟାଗରେ ରଖି ଜଗି ରହିଥିବାର ଦେଖିବାକୁ ପାଇଥିଲେ। ପୁଲିସ ଉକ୍ତ ସ୍ଥାନରେ ପହଞ୍ଚିବା କ୍ଷଣି ଉକ୍ତ ବ୍ୟକ୍ତି ମାନେ ସେଠାରୁ ପାତ୍ରମୁଣ୍ଡା ସାଗୁଆନ ଜଙ୍ଗଲ ଅଭିମୁଖେ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ।

Advertisment

publive-image

ବଜ୍ରକାପ୍ତାର ଓଜନ ୧୨ କେଜି ୬୪୦ ଗ୍ରାମ ହେବ। ଏହାର ଲମ୍ବ ପ୍ରାୟ ୪୪ ଇଞ୍ଚ। ଉକ୍ତ ବ୍ୟକ୍ତିମାନଙ୍କୁ ପଚରା ଉଚରା ବେଳେ ଜଣାପଡିଥିଲା ଯେ ସେମାନେ ରାୟପୁରର ଜଣେ ବ୍ୟବସାୟୀ ସହିତ ୫ ଲକ୍ଷ ଟଙ୍କାର ମୁଲଚାଲ କରୁଥିଲେ। ଉକ୍ତ ବ୍ୟବସାୟୀ ଜଣକ ୫ ଲକ୍ଷ ଦେଇ ବ୍ରଜକାପ୍ତାକୁ ନେଇଥାନ୍ତେ।

ଗିରଫ ବ୍ୟକ୍ତିମାନେ ହେଲେ କୋରାପୁଟ ଜିଲ୍ଲା ଜୟପୁର ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମର ସାନ୍ତିରାଜ ଗଣ୍ଡ(୪୨), ବାବୁଲା ପଟ୍ଟନାୟକ(୨୦) ଓ ଅଶୋକ ମାଝୀ(୨୫)। ଉକ୍ତ ବ୍ୟକ୍ତିମାନେ ତାରାଗାଁ ଜଙ୍ଗଲକୁ ଏହି ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଆସିଥିବାର କହିଥିବାର ପୁଲିସ ପ୍ରକାଶ କରିଛି। ଏ ସଂକ୍ରାନ୍ତରେ ବନ୍ୟ ଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି।