ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଗହୀରାପାଳ ଗାଁ’ର ଜଣଙ୍କ ଘରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର କରୋନା ପରୀକ୍ଷା ନିମନ୍ତେ ଗତକାଲି ସ୍ବାବ୍ ସଂଗ୍ରହ କରାଯାଇଥିଲା। ତେବେ ଏହି ରିପୋର୍ଟ ଆଜି ନେଗେଟିଭ୍ ଆସିଥିବା ବାରିପଦା ଡିଏଫ୍ଓ ସନ୍ତୋଷ ଯୋଶୀ ସୂଚନା ଦେଇଛନ୍ତି।
ଗତକାଲି ଉଦ୍ଧାର ହୋଇଥିବା ଏହି ନିରୀହ ମାଂସାସୀ ପ୍ରାଣୀର ସ୍ଵାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପିଆରଏମ୍ ହସ୍ପିଟାଲକୁ ପଠାଯାଇଥିଲା। ମାତ୍ର ଆଜି ଏହାର ରିପୋର୍ଟ ନେଗେଟିଭ୍ ଆସିଥିବା ଡିଏଫ୍ଓ ସୂଚନା ଦେବା ପରେ ପ୍ରାଣୀଟି ସୁରକ୍ଷିତ ଥିବା ସ୍ପଷ୍ଟ ହୋଇଛି। ଆଉ ଦିନେ ଦୁଇ ଦିନ ନିରୀକ୍ଷଣରେ ରଖାଯିବା ପରେ ବଜ୍ରକାପ୍ତାଟିକୁ ଜଙ୍ଗଲରେ ଛଡ଼ାଯିବ ବୋଲି ଡିଏଫ୍ଓ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି।
ମଣିଷ ପରେ କୌଣସି ପ୍ରାଣୀ ଦେହରୁ କରୋନା ଆଶଙ୍କାରେ ସ୍ବାବ୍ ସଂଗ୍ରହ କରାଯିବା ରାଜ୍ୟର ପ୍ରଥମ ଘଟଣା ବୋଲି ବିବେଚନା କରାଯାଉଛି। ମାତ୍ର ରିପୋର୍ଟ ନେଗେଟିଭ୍ ପରେ ଏହି ସରଳ ପ୍ରାଣୀ ସୁରକ୍ଷିତ ଥିବାରୁ ଆଶ୍ବସ୍ତି ଆସିଛି। ଉଲ୍ଲେଖଯୋଗ୍ୟଯେ ଚଳିତ ମାସ ୬ ତାରିଖରେ ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ପ୍ରାୟ ୮ କେଜି ଓଜନର ଏହି ବଜ୍ରକପ୍ତା ଉଦ୍ଧାର କରାଯାଇଥିଲା। ତେବେ ଅଭିଯୁକ୍ତ ସିଙ୍ଗୁ ବାସ୍କେକୁ ଗିରଫ କରାଯିବା ପରେ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। କେବଳ ସିଙ୍ଗୁ ନୁହେଁ ତା’ର ପରିବାରରେ ମଧ୍ୟ କିଛି ଲୋକ କରୋନାରେ ସଂକ୍ରମିତ ଥିବା ଜଣାପଡ଼ିଛି । ଯେହେତୁ ବଜ୍ରକପ୍ତାଟି ଅଭିଯୁକ୍ତର ଘରେ ୨ ଦିନ ରହିଥିଲା ତେଣୁ ଏହା ସଂକ୍ରମିତ ହୋଇଥିବା ଆଶଙ୍କା କରି କରୋନା ପରୀକ୍ଷା ନିମନ୍ତେ ସ୍ବାବ୍ ପଠାଯାଇଥିଲା। ବର୍ତ୍ତମାନ ସମୟରେ ଏହି ପ୍ରାଣୀକୁ ବାରିପଦା ବନଖଣ୍ଡ କାର୍ଯ୍ୟାଳୟରେ ରଖାଯାଇଛି।