ବାରିପଦା : ବାରିପଦା ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୨୫ ଦେବେନ୍ଦ୍ରପୁରରେ ‘ମୟୂରଭଞ୍ଜ ମସ୍ରୁମ୍‌’ ପ୍ରତି‌ଷ୍ଠା କରିଛନ୍ତି ପଙ୍କଜିନୀ ମହାନ୍ତି। ମୋରଡ଼ା ବ୍ଲକ୍‌ ଟୁକୁପଳାଶିଆରେ ତାଙ୍କ ଜନ୍ମ। ବୟସ ୩୯ ବର୍ଷ। ଜଣେ ବିଏସ୍‌ସି ଛାତ୍ରୀ ହୋଇ ମଧ୍ୟ ଅନେକ ଚାକିରି ପାଇଁ ଚେଷ୍ଟା କରିଥିବା ବେଳେ ସେଥିରେ ସଫଳ ହୋଇ ପାରି ନଥିଲେ ସେ। ପରେ ଶିଶିର ମହାନ୍ତିଙ୍କ ସହିତ ୨୦୦୦ ମସିହାରେ ବିବାହ ହୋଇଥିଲା। ହେଲେ ନିଜେ କିଛି କରିବାର ଇଚ୍ଛା ଜାଗ୍ରତ ହୋଇ ରହିଥିଲା। ପରିବାରର ଆର୍ଥିକ ସ୍ଥିତି ଠିକ୍‌ ନଥିବାରୁ କିଛି କରିବାର ଲକ୍ଷ ନେଇ ୨୦୧୩ ମସିହାରେ ଛତୁ ଚାଷ ପ୍ରତି ମନ ବଳାଇଥିଲେ। ୧୨ ହଜାର ଟଙ୍କା ପୁଞ୍ଜିନିବେଶରେ ଏକ ଛୋଟ ଚାଳିଆ ଘରୁ ଆରମ୍ଭ କରିଥିଲେ ଛତୁ ଚାଷ।

Advertisment

publive-image Sambad

ନିଜର ନିଷ୍ଠା ଆଉ ଅଧ୍ୟବସାୟ ବଳରେ ଆଜି ପାଲଟିଛନ୍ତି ମୟୂରଭଞ୍ଜ ଭଳି ଏକ ବୃହତ୍‌ ଜିଲ୍ଲାର ଏକ ନମ୍ବର ଛତୁ ମଞ୍ଜି ଉତ୍ପାଦନକାରୀ। ଜିଲ୍ଲାର ପ୍ରାୟ ୨୩ ଶହରୁ ୨୪ଶହ ମହିଳା ଏବଂ ମହିଳା ସ୍ବୟଂସହାୟିକା ଗୋଷ୍ଠୀଙ୍କୁ ଯୋଗାଉଛନ୍ତି ଛତୁ ମଞ୍ଜି। ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ମହିଳାମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। ବତାଉଛନ୍ତି ସ୍ବାବଲମ୍ବୀ ହେବାର ମାର୍ଗ। ଏହି ଛତୁ ଚାଷ କରି ପ୍ରଥମ ବର୍ଷ ସଫଳ ହେବା ପରେ ଏହାକୁ ବୃଦ୍ଧି କରିବାର ଯୋଜନା କରିଥିଲେ ପଙ୍କଜିନୀ। ହେଲେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଛତୁ ମଞ୍ଜି ମିଳିବା ନେଇ ସମସ୍ୟା ଦେଖା ଦେବାରୁ ମଞ୍ଜି ଉତ୍ପାଦନ ନେଇ ସେ ସ୍ଥିର କରିଥିଲେ।

ପରେ ୨୦୧୪ ମସିହାରେ ଓୟୁଏଟିରୁ ବିଧିବଦ୍ଧ ଭାବେ ଛତୁ ଚାଷ ଏବଂ ମଞ୍ଜି ଉତ୍ପାଦନ ନେଇ ତାଲିମ ନେଇଥିଲେ ପଙ୍କଜିନୀ। ପରେ ଛତୁ ଚାଷ ସହିତ ମଞ୍ଜି ଉତ୍ପାଦନ କ୍ଷେତ୍ରରେ ପଟ୍ଟୁତା ହାସଲ କରିଥିବା ବେଳେ ଖୁବ୍‌ କମ ସମୟ ମଧ୍ୟରେ ଜିଲ୍ଲାର ପ୍ରମୁଖ ଛତୁ ମଞ୍ଜି ଉତ୍ପାଦନକାରୀ ଭାବେ ପ୍ରସିଦ୍ଧ ହୋଇ ପାରିଛନ୍ତି। ପଙ୍କଜିନୀଙ୍କ ଫାର୍ମ ‘ମୟୂରଭଞ୍ଜ ମସୃମ୍‌’ରେ ଉତ୍ପାଦିତ ଛତୁ ମଞ୍ଜିର ଗୁଣବତ୍ତା ଏବଂ ଉତ୍ପାଦକତାକୁ ନେଇ ଏବେ ଜିଲ୍ଲାର ଏକ ନମ୍ବର ଛତୁ ମଞ୍ଜି ଉତ୍ପାଦନକାରୀ ଭାବେ ପରିଗଣିତ ହୋଇ ପାରିଛନ୍ତି ସେ। ସେହିପରି ଦିନକୁ ପ୍ରାୟ ୨୦ ରୁ ୨୫କେଜି ପର୍ଯ୍ୟନ୍ତ ଛତୁ ବିକ୍ରି କରିଥାନ୍ତି। ବର୍ଷକୁ ଦୁଇ ପ୍ରକାର ଛତୁ ଚାଷ ହୋଇଥାଏ।

ଗ୍ରୀଷ୍ମରୁ ଆରମ୍ଭ କରି ଶୀତ ପର୍ଯ୍ୟନ୍ତ ପାଳ ଛତୁ ଉତ୍ପାଦନ ହୋଇଥାଏ। ସେହିପରି ଶୀତ ୩ ମାସ ଧିଙ୍ଗିରି ଛତୁ ଚାଷ କରାଯାଇଥାଏ। ପାଳ ଛତୁର ଅଧିକ ଚାହିଦା ରହିଥାଏ। ନିଜ ଫାର୍ମରେ ୫ଜଣଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଛନ୍ତି। ପଙ୍କଜିନୀଙ୍କ ଫାର୍ମକୁ ପ୍ରତିଦିନ ଜିଲ୍ଲାରୁ ଏକାଧିକ ଚାଷୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀର ସଦସ୍ୟାମାନେ ଆସି ଛତୁ ଚାଷ ସମ୍ପର୍କରେ ଜ୍ଞାନ ଆହରଣ କରିଥାନ୍ତି। ବାରିପଦାରୁ ଆରମ୍ଭ କରି ବାଙ୍ଗିରିପୋଷି, ବେତନଟୀରୁ ବହଳଦା ସବୁଠି ପଙ୍କଜିନୀଙ୍କ ଛତୁ ମଞ୍ଜିର ଚାହିଦା ରହିଛି। ବର୍ଷର ୧୨ମାସ ଯାକ ଏଥିରେ ନିଜକୁ ନିୟୋଜିତ କରି ରଖିଛନ୍ତି ସେ। ସମସ୍ତଙ୍କୁ ସେମାନଙ୍କର ପ୍ରାପ୍ୟ ଦେଇସାରିବା ପରେ ମାସକୁ ପ୍ରାୟ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି ସେ। ବଳକା ଛତୁକୁ ସଂରକ୍ଷିତ କରି ରଖି ବାଙ୍ଗଲାଦେଶକୁ ମଧ୍ୟ ରପ୍ତାନୀ କରାଯାଉଛି।

publive-image Sambad

ଛତୁ ଚାଷ ସମ୍ପର୍କିତ ବିଭିନ୍ନ କୌଶଳ ଶିଖିବା ନିମନ୍ତେ ପଙ୍କଜିନୀଙ୍କ ଫାର୍ମ ରାଜ୍ୟ ସରକାରଙ୍କ ପାଇଁ ଏକ ପ୍ରୟୋଗଶାଳା ଭାବେ ବ୍ୟବହୃତ ‌ମଧ୍ୟ କରାଯାଉଛି। ରାଜ୍ୟ ସରକାରଙ୍କ ବରିଷ୍ଠ କୃଷି ଅଧିକାରୀଙ୍କ ଠାରୁ ଆରମ୍ଭ କରି ନୂତନ ଚାଷୀ ସମସ୍ତେ ଏହି ଫାର୍ମକୁ ଆସି ଜ୍ଞାନ ଆହରଣ କରିଥାନ୍ତି। ପଙ୍କଜିନୀ ମଧ୍ୟ ବିଭିନ୍ନ ବାଳିକା ଉଚ୍ଚବିଦ୍ୟାଳୟ, ମହାବିଦ୍ୟାଳୟକୁ ଯାଇ ଏସମ୍ପର୍କରେ ବିଭିନ୍ନ କର୍ମଶାଳାରେ ତାଲିମ ଦେଇ ଥାନ୍ତି। ଏହାସହ ଏବେ ସ୍ବାମୀ ଶିଶିରଙ୍କ ସହାୟତାରେ ବାୟୋଫ୍ଲକ୍‌ ପଦ୍ଧତିରେ ଦୁଇଟି ଟାଙ୍କି କରି ମାଛ ଚାଷ ଆରମ୍ଭ କରିଛନ୍ତି ସେ। ପ୍ରାୟ ୨୫ଲକ୍ଷ ଟଙ୍କା ଋଣ କରି ନିଜର ବ୍ୟବସାୟକୁ ସମ୍ପ୍ରସାରଣ କରିବାର ଯୋଜନା‌ ରଖିବାସହ ଏକ ମସୃମ୍ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ କରିବାର ଯୋଜନା ମଧ୍ୟ ରଖିଛନ୍ତି ପଙ୍କଜିନୀ।

ଏହା ହୋଇପାରିଲେ ବିକ୍ରି ଅଭାବରୁ ଛତୁ ନଷ୍ଟ କରିବାକୁ ବାଧ୍ୟ ହେଉଥିବା ଚାଷୀମାନଙ୍କ ଠାରୁ ଛତୁ କିଣି ସେଗୁଡ଼ିକୁ ସଂରକ୍ଷିତ କରି ରଖିହେବ। ଏହାକୁ ବିଦେଶକୁ ରପ୍ତାନୀ କରିବା ସହିତ ଏଥିରୁ ଜାମ, ଜେଲି ଆଦି ଉତ୍ପାଦ ତିଆରି କରିହେବ ବୋଲି ପଙ୍କଜିନୀ କହିଛନ୍ତି। ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର। ଝିଅ ଯୁକ୍ତ ତିନି ପଢ଼ୁଥିବାବେଳେ ପୁଅ ଦଶମରେ ଅଧ୍ୟୟନରତ। ନିଜ ଛୋଟିଆ ପରିବାର ସହିତ ଫାର୍ମ ସମ୍ଭାଳୁଛନ୍ତି ପଙ୍କଜିନୀ। ଜିଲ୍ଲାର ହଜାର ହଜାର ଗୃହିଣୀ ଏବଂ ମହିଳାମାନଙ୍କୁ ଉଦ୍ୟୋଗୀ କରିବାର ବାଟ ଦେଖାଇ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ପଙ୍କଜିନୀ ମହାନ୍ତି।