ଜୟପୁର: କଞ୍ଚାମାଲ (କାଠ) ନଥିବାରୁ ଗତ ମାସ ୧୬ତାରିଖ ଦିନ ଗାଗନାପୁରସ୍ଥ କାଗଜକଳ ବନ୍ଦ ହୋଇଥିଲା। ଏହାରି ମଧ୍ୟରେ ୩୧ଦିନ ବିତି ଯାଇଥିଲେ ହେଁ କାଗଜକଳ ପରିଚାଳନା କର୍ତ୍ତୃପକ୍ଷ ଭେଣ୍ଡରଙ୍କୁ ବକେୟା ଥିବା ୫କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦେଇ ନାହିଁ। ଏହି ସ୍ଥିତିରେ କଞ୍ଚାମାଲ(କାଠ) ଆଉ ଭେଣ୍ଡର ମାନେ ଯୋଗାଉ ନାହାନ୍ତି। ଅପର ପକ୍ଷରେ ଭେଣ୍ଡର ମାନେ ନିଜେ ହିଁ ୟୁନିଟ ମୁଖ୍ୟଙ୍କୁ ଭେଟି ତୁରନ୍ତ ବକେୟା ଟଙ୍କା ଓ୧୮ପ୍ରତିଶତ ଜିଏସଟି ବାବଦର ଟଙ୍କା ତୁରନ୍ତ ଦେବାକୁ ଅନୁରୋଧ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଗତ ଜୁଲାଇ ମାସ ୧୬ତାରିଖ ଦିନ ଗାଗାନାପୁରସ୍ଥ କାଗଜକଳରେ କାଠ ସରିଯାଇଥିଲା। କାଠ ଭେଣ୍ଡରଙ୍କୁ କମ୍ପାନି ୮କୋଟି ଟଙ୍କା ବକେୟା ରଖିଥିବାରୁ ଭେଣ୍ଡର ମାନେ କାଠ ଯୋଗାଇବାକୁ ମନା କରିଥିଲେ। ବକେୟା ଟଙ୍କା ସବୁ ଦେବା ପରେ ଯାଇ କାଠ ଯୋଗାଇବେ ବୋଲି କହିଥିଲେ। କମ୍ପାନି ୩କୋଟି ଟଙ୍କା ଦେଇଥିଲେ। ତେବେ ସବୁ ଟଙ୍କା ନ ମିଳିବା ଯାଏଁ କାଠ ଯୋଗାଇବେ ନାହିଁ ବୋଲି ଭେଣ୍ଡର ମାନେ କହିବା ସହ ଆଉ ଯୋଗାଇ ନଥିଲେ। ସେ ଦିନ ଠାରୁ ଆଜି ପର୍ଯ୍ୟନ୍ତ କମ୍ପାନି ବନ୍ଦ ରହିଛି। ଅପରପକ୍ଷରେ କମ୍ପାନି କାଠଭେଣ୍ଡରଙ୍କୁ ଡାକି ଆଲୋଚନା କରି ନଥିଲେ। ଅପରପକ୍ଷରେ କାଠ ଭେଣ୍ଡର ବାବୁଲା କୁମାର ନାୟକ, ରମେଶ ରାଓ, ଗୁପ୍ତ ରାୟ, ସୂର୍ଯ୍ୟ ସ୍ବାଇଁ , ଅଭି ପଟ୍ଟନାୟକ, ବାବୁଲା ପାତ୍ର, ତିରୁପତି ରାଓ ପ୍ରମୁଖ ୟୁନିଟ୍ ମୁଖ୍ୟ ଏସଏସ୍ ପାଲଙ୍କୁ ଭେଟି ଆଲୋଚନା କରିଥିଲେ। ତୁରନ୍ତ ବକେୟା ଟଙ୍କା ଦେବା ସହ ଜିଏସଟି ୧୮ପ୍ରତିଶତ ଟଙ୍କା ଦେବାକୁ ଏମାନେ ୟୁନିଟ୍ ମୁଖ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଏହାରି ମଧ୍ୟରେ ରାଜ୍ୟସରକାର କଞ୍ଚାମାଲ କୋଇଲା ପାଇଁ କମ୍ପାନିକୁ ସବସିଡି ଦେଇଛନ୍ତି। ୭୦ହଜାର ମେଟ୍ରିକ ଟନ୍ ପାଇଁ ଟଙ୍କା ତାଲଚେର ମହାନଦୀ କୋଲ ଫିଲ୍ଡ ନିକଟରେ ଜମା କରିଛି। ବଳକା ଆହୁରି ୮୦ହଜାର ମେଟ୍ରିକ୍ ଟନ୍ ପାଇଁ ବି ସରକାର ସବସିଡି ଦେଇଛନ୍ତି। କମ୍ପାନି ଆଗାମୀ ଦିନରେ ଯେଭଳି ଆଉ ବନ୍ଦ ନ ରହିବ ସେ ଦିଗରେ ଟଙ୍କା ଯୋଗାଡ଼ରେ ଲାଗିଥିବା ୟୁନିଟ୍ ମୁଖ୍ୟ କାଠ ଭେଣ୍ଡର ମାନଙ୍କୁ କହିଥିଲେ। ପ୍ରବଳ ବର୍ଷା ସତ୍ବେ ସବୁ ଦିନ କର୍ମଚାରୀ ମାନେ ନିଜ ନିଜ ଡ୍ୟୁଟି ସିଫ୍ଟ ଅନୁଯାୟୀ ଯାଇ ଦିନ ତମାମ ସେଭଳି କଳ ପରିସରରେ ବସି ବସି ଘରକୁ ଫେରୁଥିବା କହିଛନ୍ତି କର୍ମଚାରୀ ସଂଘର କର୍ମକର୍ତ୍ତା। କମ୍ପାନି ଗତ ତିନି ମାସ ଅର୍ଥାତ ମେ, ଜୁନ ଓ ଜୁଲାଇର ଦରମା ବାବଦରେ ଦେଉଥିବା ଅଗ୍ରୀମ ଟଙ୍କା ବି ଦେଇ ନାହିଁ। ଅପରପକ୍ଷରେ କମ୍ପାନିର ବିଦ୍ୟୁତ ଦେୟ ମାସକୁ କୋଟିଏ ୪୦ଲକ୍ଷ ଟଙ୍କା ହିସାବରେ ବକେୟା ରହିଥିବା ସୂଚନା ମିଳିଛି। ସଂପ୍ରତି ୨ଟି ଯାକ ୟୁନିଟ୍ ପୁରା କାଗଜ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇ ରହିଛି। ପରିଚାଳନା କର୍ତ୍ତୃପକ୍ଷ କଞ୍ଚାମାଲ ବକେୟା ଦେଇ କଂଚାମାଲ ଜମା କରି ରଖିବା ସହ କର୍ମଚାରୀଙ୍କ ବକେୟା ଦରମା, ବିଦ୍ୟୁତ ଦେୟ ଆଦି ଜମା କରିବା ପରେ ଯାଇ ଏହା ଠିକରେ ଚାଳି ପାରିବ ନଚେତ ଏଭଳି ସମସ୍ୟା ଲାଗି ରହିବ ଏଥିରେ ଦ୍ବିମତ ନାହିଁ ବୋଲି କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି। ଏହି ସ୍ଥିତି ଲାଗି ରହିଥିବାରୁ ଆଗାମୀ ଦିନରେ କାଗଜକଳର ଭବିଷ୍ୟତକୁ ନେଇ ସନ୍ଦେହରେ କର୍ମଚାରୀ ମାନେ ପଢ଼ିଛନ୍ତି।