ଏପ୍ରିଲରେ ପେପର ମିଲ୍ ଖୋଲିବା ଆଶା: ୨ଦଫା ଦାବି ନେଇ ୫ଦିନ ଧରି ଚାଳିଥିବା ଆନ୍ଦୋଳନ ପ୍ରତ୍ୟାହୃତ 

ମଦରଏର୍ଥ କଂପାନି ଏପ୍ରିଲ ୨୧ରୁ ମିଲ୍ ଖୋଲିବାକୁ ନୋଟିସ୍ ଲଗାଇଲା

ଜୟପୁର: ୨ଦଫା ଦାବିକୁ ନେଇ ଗତ ପାଂଚ ଦିନ ହେବ କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗାଗନାପୁରସ୍ଥିତ ବିଲ୍‌ଟ ପେପର ମିଲ୍‌ର ଗେଟରେ ଶ୍ରମିକମାନେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିଲେ। ଗତ ୨୦୧୯ ଏପ୍ରିଲରୁ ଯନ୍ତ୍ରାଂଶ ମରାମତି ନାଁରେ ବନ୍ଦ ପଡ଼ିଥିବା ବିଲଟ୍‌ ପେପର ମିଲକୁ କିଣି ନେଇଥିବା କ୍ଷୁଦ୍ର ଓ ମାଧ୍ୟମିକ ଉଦ୍ୟୋଗ ମଦର୍‌ ଏର୍ଥ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଶନିବାର ପ୍ରଥମ ନୋଟିସ୍‌ ଲଗାଯାଇଥିଲା। ଏହି ନୋଟିସ ପଡ଼ିବା ପରେ ଆନ୍ଦୋଳନରତ ଶ୍ରମିକମାନେ ନିଜ ଧାରଣାକୁ ପ୍ରତ୍ୟାହୃତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରମିକ ନେତା ବାଲା ରାୟ, କଂପାନର କର୍ମଚାରୀ ଏନ୍‌ .ସୁରେଶ, ବଂଶୀଧର ମହାଙ୍କୁଡ ପ୍ରମୁଖ ସୂଚନା ଦେଇଛନ୍ତି।

ଗତ ୨ବର୍ଷ ଧରି ବାରମ୍ବାର ମିଲ୍‌ ଚଳାଇବାକୁ ନେଇ ବିଧାୟକଙ୍କ ଜରିଆରେ ବହୁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲେ ହେଁ ସଫଳ ହୋଇ ନଥିଲା। କଂପାନିକୁ କିଏ ପରିଚାଳନା କରିବା ସବୁ ଶ୍ରମିକଙ୍କ ମନରେ ଦ୍ଵନ୍ଦ ରହିଥିଲା। ଗତ ୬ମାସ ହେବ କୋଭିଡ୍‌ ପର ଠାରୁ କଂପାନି ମଧ୍ୟକୁ କେଣସି କର୍ମଚାରୀଙ୍କୁ ଯିବାକୁ ଦିଆଯାଇନଥିଲା।

ତେବେ ଗତ କିଛି ଦିନ ତଳେ ଏହାର ମରାମତି କାମ ଚାଳିଥିବା ବେଳେ କିଛି ସ୍ଥାୟୀ ଶ୍ରମିକ ଭିତରକୁ ଯିବା ପରେ ଶ୍ରମିକ ସଂଗଠନଓ ଶ୍ରମିକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଗତ ୫ଦିନ ତଳେ ୟୁନିଟ୍‌ ହେଡ୍‌ ଜେ. ଏନ୍‌.ନାଥାନି ଓ ମାନବ ସମ୍ବଳ ମୁଖ୍ୟ ରମେଶ ଯାଦବଙ୍କୁ ଶ୍ରମିକମାନେ ମିଲ ପରିସରକୁ ଯିବାକୁ ଛାଡି ନଥିଲେ। ସବୁ ସ୍ଥାୟୀ କର୍ମଚାରୀ ଓ ଶ୍ରମିକଙ୍କ ପୁନଃ ନିଯୁକ୍ତି ଏବଂ ବକେୟା ୨୧ମାସର ଦରମା ପ୍ରଦାନ କରିବାକୁ ଦାବି କରି ମିଲ ସମ୍ମୁଖ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ।

ଏହାରି ମଧ୍ୟରେ ସଦର ଥାନାରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିଲା। ଏହା ପରେ ନୂଆ କଂପାନିର ନୋଟିସକୁ ନେଇ ଶ୍ରମିକ ମହଲରେ ଉତ୍ସାହ ଦେଖାଦେଇଛି। ବିନା ବାଧା ବିଘ୍ନ ଏବଂ ସବୁ ସ୍ତରରୁ ସବୁ ରକମର ସହଯୋଗ ମିଳିଲେ କଂପାନି ଆସନ୍ତା ଏପ୍ରିଲ ୨୧ରେ ଖୋଲିବ ବୋଲି ଉଲ୍ଲେଖ ରହିଛି। ସଂପ୍ରତି କଂପାନି ଖୋଲିବା ସମୟରେ ଇଂଜିନିୟରିଂ ଅଭିଞତା ଏବଂ ଯୋଗ୍ୟତା ଥିବା ଏବଂ କଂପାନିକୁ ଚଳାଇବା କ୍ଷମତା ଥିବା କର୍ମଚାରୀଙ୍କୁ ନେଇ ମିଲ୍‌ ଆରମ୍ଭ କରାଯିବ ବୋଲି ଉଲ୍ଲେଖ କରିଛନ୍ତି।

ମିଲ୍‌ ଆରମ୍ଭର ୧୫ଦିନ ପୂର୍ବରୁ ସବୁ ପଦ ପଦବୀ ପୁରଣ କରାଯିବ ବୋଲି ଉଲ୍ଲେଖ ରହିଛନ୍ତି। ଅଧିକା ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେବା ପାଇଁ କଂପାନି ସମର୍ଥ ନୁହେଁ, ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି ଦେବ। ସେଭଳି ଅତିରିକ୍ତ ଟଙ୍କା ଦେବା ସକ୍ଷମ ନୁହେଁ ବୋଲି କଂପାନି ପକ୍ଷରୁ ଉଲ୍ଲେଖ କରାଯାଇଛି। ମିଲ ପରିଚାଳନା ସଂସ୍ଥାକୁ ପୁନଃ ନିଯୁକ୍ତି ସମୟରେ ଯେଭଳି କେହି ଚାପ ପ୍ରୟୋଗ କରା ନଯାଉ ବୋଲି ବି ଉଲ୍ଲେଖ ରହିଛି। ଗତ ଲଗାଣ ବର୍ଷାରେ ପଲପ୍‌ ମିଲ ଭାଙ୍ଗି ଯାଇଥିବାରୁ ସଂପ୍ରତି ମିଲକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ବ୍ୟାଙ୍କ ଋଣ ନିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କୁ ବି କଂପାନୀକୁ ଦୀର୍ଘ ମିଆଦି ଭାବେ ଚଳାଇବା ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଏହି ବଜ୍ଞପ୍ତିକୁ ନେଇ ଶ୍ରମିକ ମାନେ ଉତ୍ସାହିତ ହେବା ସହ ପରିଚାଳନା ସଂସ୍ଥା ପର୍ଯ୍ୟାୟ କ୍ରମେ ସବୁ ସ୍ଥାୟୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଛି। ସେହିଭଳି ୩ମାସର ଦରମା ଦେବାକୁ ଅନୁରୋଧ କରାଯାଇଥିବାରୁ ଏହାକୁ କଂପାନି ପ୍ରଦାନ କରିବ ବୋଲି ପ୍ରତିଶ୍ରୁତି ଦେଇଛି ବୋଲି ଉପରୋକ୍ତ ଶ୍ରମିକ ନେତାମାନେ କହିଛନ୍ତି। ମିଲ୍‌କୁ ମଦର୍‌ ଏର୍ଥ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନେଇଥିବା ସ୍ପଷ୍ଟ ହେବା ଏବଂ ଆଲୋଚନା ସଫଳ ହେବା ପରେ ୫ଦିନ ଧରି ଚାଳିଥିବା ଧାରାଣା ପ୍ରତ୍ୟାହୃତ ହୋଇଛି ବୋଲି ଏମାନେ କହିଛନ୍ତି। ନୂଆ ପରିଚାଳନା ସଂସ୍ଥାକୁ ସବୁ ଶ୍ରମିକମାନେ ମିଲକୁ ପୁନଃଉଧେଇବା ଦିଗରେ ସହଯୋଗର ହାତ ବାଇବେ ବୋଲି ଏମାନେ କହିଛନ୍ତି।

ସମ୍ବନ୍ଧିତ ଖବର