ରାଇରଙ୍ଗପୁର: ମଙ୍ଗଳବାଗ ଗଣେଶ ଚତୁର୍ଥୀ। ସାଧାରଣତଃ ବିଭିନ୍ନ ଶିକ୍ଷାନୁଷ୍ଠାନ, କ୍ଳବ ଆଦିରେ ପୂଜା ପାଉଥିବା ଗଣେଶଙ୍କ ମୂର୍ତ୍ତି ନିର୍ମାଣରେ ମାଟି, ନଡା ବ୍ୟବହାର କରାଯାଇଥାଏ। ମୂର୍ତ୍ତିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ରସାୟନ ପ୍ରଲେପ କରାଯାଇଥାଏ। ପୂଜା ପରେ ମୂର୍ତ୍ତିକୁ ନିକଟସ୍ଥ ବନ୍ଧ, ପୋଖରୀ, ନଦୀ, ନଳରେ ବିସର୍ଜନ ବା ଭସାଇ ଦିଆଯାଏ। ଯାହାଦ୍ୱାରା ଜଳ ପ୍ରଦୂଷଣ ହେବା ସ୍ୱାଭାବିକ। ଦେବଦେବୀଙ୍କର ମୂର୍ତ୍ତି ପୂଜା ପରେ ବିସର୍ଜନଜନିତ ଜଳ ପ୍ରଦୂଷଣକୁ ରୋକିବା ପାଇଁ ରାଇରଙ୍ଗପୁରର ଜଣେ କଲେଜ ଛାତ୍ରୀ ସୁପ୍ରିୟା ବାରିକ କାଗଜରେ ୫ ଫୁଟ୍‌ ଉଚ୍ଚତାର ଶ୍ରୀଗଣେଶଙ୍କ ମୂର୍ତ୍ତି ନିର୍ମାଣ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ସ୍ଥିତ ବାସଭବନ ଠାରୁ ମାତ୍ର ଅଧା କିଲୋମିଟର ଦୂର ବାଇଦାପୋଷି କଲୋନୀ ସାହି ନିବାସୀ ସଞ୍ଜୀବ କୁମାର ବାରିକଙ୍କ ଝିଅ ସୁପ୍ରିୟା। ଚଳିତବର୍ଷ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରୁ ଯୁକ୍ତତିନି କଳାରେ ପାସ କରିଛନ୍ତି। ପ୍ରାୟ ମାସେ ହେବ କାଗଜରେ ୫ ଫୁଟ୍‌ ଉଚ୍ଚତାର ଗଣେଶଙ୍କ ମୂର୍ତ୍ତି ନିର୍ମାଣରେ ନିଜକୁ ନିମଗ୍ନ କରିଛନ୍ତି। ଏହି ମୂର୍ତ୍ତି ନିର୍ମାଣରେ ତାଙ୍କର ସାନ ଭଉଣୀ ସ୍ନେହା ବାରିକଙ୍କ ସମେତ ସାହିର ଗୁନଗୁନ ପାତ୍ର, ସତ୍ୟବାନ ପାତ୍ର, ଜୟକ୍ରିଷ୍ଣା ମହାନ୍ତ, ଅଭିଷେକ ମହାନ୍ତ ପ୍ରମୁଖ କିଶୋର କିଶୋରୀ ଅବସର ସମୟରେ ତାଙ୍କୁ ସାହାଯ୍ୟ କରିଛନ୍ତି।
କେବଳ କାଗଜ, ମଇଦା, ରଙ୍ଗ ପୁଟି, ରଙ୍ଗ, ସୋଲ ଏବଂ ସାମାନ୍ୟ ଟିକିଏ କପଡ଼ାକୁ ଛାଡି ଦେଲେ ମୂର୍ତ୍ତିର ୯୦/୯୫ ଅଂଶରେ କେବଳ କାଗଜ ବ୍ୟବହାର କରାଯାଇଛି। ଏଥିରେ ମାଟି, ନଡାକୁ ଆଦୌ ବ୍ୟବହାର କରାଯାଇ ନାହିଁ। ଆଗରୁ ତାଙ୍କ ଘରେ ପୁରୁଣା ବହି, ଖାତା ଆଦିକୁ କବାଡି ବାଲାଙ୍କ ନିକଟରେ ବିକ୍ରି କରି ଦିଆଯାଉଥିଲା। ପୁରୁଣା କାଗଜରୁ କିପରି ଶସ୍ତାରେ ସୁନ୍ଦର, କମ ଓଜନର ମୂର୍ତ୍ତି ନିର୍ମାଣ ହୋଇ ପାରିବ, ଏଥିପାଇଁ ସେ ଉପାୟ ବାହାର କରିଥିଲେ। ଏଥିପାଇଁ ସେ ପ୍ରଥମେ ଏକ କାଗଜରେ ଗଣେଶଙ୍କର ଚିତ୍ର ଆଙ୍କି ଥିଲେ। ଏହା ପରେ କାଗଜକୁ ମଇଦା ଅଠାରେ ଗଣେଶଙ୍କର ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ। ଏହି କାଗଜରେ ନିର୍ମିତ ମୂର୍ତ୍ତିଟି ଆସନ୍ତାକାଲି ତାଙ୍କରି ସାହିରେ ପୂଜା ପାଇବାକୁ ଯାଉଛି। ଏହି ମୂର୍ତ୍ତି ପାଇଁ ସମୁଦାୟ ଖର୍ଚ୍ଚ ମାତ୍ର ୧୫ ଶହ ଟଙ୍କା। ଏ ସମ୍ପର୍କରେ ସୁପ୍ରିୟା କୁହନ୍ତି କାଗଜରେ ମୂର୍ତ୍ତି ନିର୍ମାଣ କରାଗଲେ ଖର୍ଚ୍ଚ କମ ଖର୍ଚ୍ଚ। ଏହାଦ୍ୱାରା ବିଭିନ୍ନ ଦେବାଦେବୀଙ୍କର ମୂର୍ତ୍ତି ବିସର୍ଜନ ଜନିତ ଜଳ ପ୍ରଦୂଷଣକୁ ରୋକା ଯାଇପାରିବ।
Advertisment