ଜୟପୁର: ଗତ ୨୭ ତାରିଖରୁ ପୁଣି ଜୟପୁର ସେବା କାଗଜ କଳ ବନ୍ଦ ହୋଇଯାଇଛି। କାଠ, କୋଇଲା, କେମିକାଲ ସବୁ ସରିଯାଇଥିବାରୁ ଏହା ବନ୍ଦ ହୋଇଯାଇଛି। ପୁଣି ଆଉ ଥରେ କେବେ ଏହା କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ବିରାଟ ବଡ ପ୍ରଶ୍ନ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଯନ୍ତ୍ରାଂଶ ମରାମତି ଏବଂ ପରେ କରୋନା ମହାମାରୀରେ କମ୍ପାନି ଏପ୍ରିଲ୍ -୨୦୨୦ରୁ ନଭେମ୍ବର -୨୦୨୧ ପ୍ରାୟ ୧୯ ମାସ କମ୍ପାନି ବନ୍ଦ ରହିଥିଲା। ପରେ ଏହାକୁ ବିଜିପିପିଏଲ୍ –ବିଲଟ ଠାରୁ ନୂଆ କମ୍ପାନି ମଦର ଆର୍ଥ୍ ରିସୋର୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନି କିଣିବା ସହ ପରିଚାଳନା ଭାର ନେଇଥିଲା। ଗତ ୨୦୨୨ ମେ' ମାସରୁ ଉତ୍ପାଦନ ଆରମ୍ଭ ହେଲା ପରେ ପ୍ରତିମାସରେ କଞ୍ଚାମାଲ କେମିକାଲ କୋଇଲା ଅଭାବ ଯୋଗୁଁ ଅଧାରୁ ଅଧିକ ଦିନ କାଗଜକଳ ବନ୍ଦ ରହୁଥିଲା। ମେ' ମାସରୁ ପରୀକ୍ଷାମୂଳକ ଉତ୍ପାଦନ ଗୋଟିଏ ମେସିନରେ ଆରମ୍ଭ ହେଲା ଏବଂ ଜୁଲାଇରେ ୭୦୦ ଟନ୍, ଅଗଷ୍ଟରେ ୭୦୦ଟନ୍, ସେପ୍ଟେମ୍ବରରେ ୧୩୦୦ଟନ୍ ଓ ଅକ୍ଟୋବରରେ ୯୦୦ଟନ୍ ମାତ୍ର ଉତ୍ପାଦନ ହୋଇଥିଲା।
ନଭେମ୍ବର ୯ରୁ ୨୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିବାବେଳେ ଗତ ୨୭ତାରିଖରୁ ପୁଣି ୫ ଦିନ ହେବ ପୁଣି କଞ୍ଚାମାଲ ଅଭାବରୁ କମ୍ପାନି ବନ୍ଦ ରହିଛି। କେମିକାଲ, କୋଇଲା, କଞ୍ଚାମାଲ (କାଠ) ଆଦି କମ୍ପାନି ନିକଟରେ ଆଉ ଗଚ୍ଛିତ ନଥିବାରୁ ଏହା ବନ୍ଦ ହୋଇଯାଇଥିବା ଶ୍ରମିକ ସଂଗଠନର ନେତା ସରୋଜ ସୁଆର, ଭାଲୁ ପ୍ରଧାନ ପ୍ରମୁଖ କହିଛନ୍ତି। କର୍ମଚାରୀମାନଙ୍କୁ ନିୟମିତ ଦରମା ନ ଦେଇ ଅଗ୍ରୀମ ଦୁଇରୁ ତିନି ମାସକୁ ଥରେ ଦେଉଥିବାବେଳେ ଏହା ବି ସଠିକ ସମୟରେ ଦେଉନଥିବା ଅଭିଯୋଗ କରିଛନ୍ତି। ଗତ ୩ ଦିନ ତଳେ କର୍ମଚାରୀମାନେ ଆନ୍ଦୋଳନ କରିବା ପରେ ଆଜି ସନ୍ଧ୍ୟା ସୁଧା କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବାକୁ ପରିଚାଳନା ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ତେବେ ତାହା ଏବେ ପର୍ଯ୍ୟନ୍ତ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇନଥିବା କହିଛନ୍ତି କର୍ମଚାରୀ। ଗୋଟିଏ ପଟେ ନିୟମିତ କର୍ମଚାରୀଙ୍କୁ ପ୍ରାପ୍ୟ ଦରମା ବଦଳରେ ଅଗ୍ରୀମ ବି ଠିକରେ ଦେଇପାରୁନଥିବାବେଳେ କମ୍ପାନି ଅବସରପ୍ରାପ୍ତ ଶ୍ରମିକଙ୍କ ବକେୟା ପାଉଣା, ପିଏଫ ପେନସନ, ଗ୍ରାଚ୍ୟୁଟି ଆଦି ଦେଇ ପାରିବ କି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ଶ୍ରମିକ ନେତା ପ୍ରମୋଦ ମହାନ୍ତି। କଞ୍ଚାମାଲ, କାଠ, କୋଇଲା ଓ କେମିକାଲ ଯୋଗାଉଥିବା ସଂସ୍ଥାଗୁଡିକୁ ବି ପରିଚାଳନା ସଂସ୍ଥା କୋଟି କୋଟି ଟଙ୍କା ବକେୟା ରଖିଛି।
ଏହି ସ୍ଥିତିରେ ଉକ୍ତ ସଂସ୍ଥାଗୁଡିକ ଆଉ କଞ୍ଚାମାଲ ଯୋଗାଉ ନାହାନ୍ତି। ଏହି ସ୍ଥିତିରେ ପୁଣି କାଗଜକଳ ଚାଲିବ କି ନାହିଁ ତାହା ବିରାଟ ପ୍ରଶ୍ନ ସୃଷ୍ଟି କରିଥିବା ଶ୍ରମିକ ସଂଗଠନର ନେତାମାନେ ସନ୍ଦିହାନ ହୋଇ ପଡ଼ିଥିବା କହିଛନ୍ତି। ୪ଟି ଶ୍ରମିକ ସଂଗଠନ ସହ କଥାବାର୍ତ୍ତା କରି ସେମାନଙ୍କର ମତ ଅନୁଯାୟୀ ହିଁ ମିଲର ଅବସ୍ଥା ଭଲ ନଥିବାରୁ ଅଗ୍ରିମ ଆକାରରେ ଦରମା ଦିଆଯାଉଛି ବୋଲି କହିଛନ୍ତି ମାନବ ସମ୍ବଳ ବିଭାଗ ସାଧାରଣ ପରିଚାଳକ ରମେଶ ଯାଦବ । ଗତକାଲି ଓ ଆଜି ସଂଧ୍ୟାରେ ଠିକା ଓ ସ୍ଥାୟୀ କର୍ମଚାରୀଙ୍କ ଦରମା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରୁ ୧୨୦ଜଣଙ୍କୁ ପୁନଃ ନିଯୁକ୍ତି କମ୍ପାନି ଦେଇଛି। ଅବସରପ୍ରାପ୍ତ କର୍ମଚାରୀଙ୍କର ୨ମାସର ବକେୟା ଟଙ୍କା ଆସନ୍ତା ସପ୍ତାହକ ମଧ୍ୟରେ ଦିଆଯିବ। ଯାହା କିଛି ପିଏଫକୁ ନେଇ ସମସ୍ୟା ରହିଥିଲା ସେହି ତ୍ରୁଟିକୁ ମଧ୍ୟ କମ୍ପାନି ସଜାଡିଥିବା କହିଛନ୍ତି ଶ୍ରୀ ଯାଦବ। ପୁରୁଣା କମ୍ପାନିର ଯନ୍ତ୍ରାଂଶକୁ ସଜାଡି ୨ଟି ୟୁନିଟକୁ ପ୍ରସ୍ତୁତ କରି ମୁଖ୍ୟସ୍ରୋତକୁ ଅଣାଯାଇଛି। କଂଚାମାଲ ଅଭାବ ଯୋଗୁଁ ଏହି ମାସରେ ପୂର୍ବରୁ ୧୨ଦିନ ଏବଂ ଏବେ ୫ଦିନ ହେବ ମିଲ୍ ବନ୍ଦ ରହିଛି ବୋଲି କହିଛନ୍ତି ଶ୍ରୀ ଯାଦବ। ଧାନ କଟା ଚାଲିଥିବାରୁ ବାଉଁଶ, କାଠ କାଟିବା ପାଇଁ ଶ୍ରମିକ ଅଭାବରୁ କଂଚାମାଲ ଯୋଗାଣକାରୀ ସଂସ୍ଥା କାଠ ଯୋଗାଇ ପାରିନି। ଧାନ କଟା ସରିବା ମାତ୍ରକେ କାଠ ଓ ବାଉଁଶ ପହଞ୍ଚିବ । କେମିକାଲ ପହଞ୍ଚି ସାରିଥିବାବେଳେ କୋଇଲା କିଛି ପହଞ୍ଚିଛି ଆଉ କିଛି ପହଚିଂବ। ଏବେ କଞ୍ଚାମାଲ ଅପେକ୍ଷାରେ ଏହା ପହଞ୍ଚିବା ମାତ୍ରକେ ମିଲ ପୁଣି କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ଶ୍ରୀ ଯାଦବ।