ଜୟପୁର: କଂଚାମାଲ ଅଭାବରୁ ଗତ ୭୦ଦିନ ହେବ ବନ୍ଦ ରହିଛି ଗାଗନାପୁରସ୍ଥ ପେପରମିଲ । ଭେଣ୍ଡରଙ୍କୁ ବକେୟା ରଖିଥିବା ୪କୋଟି ୮୦ଲକ୍ଷରୁ ୬୦ପ୍ରତିଶତ ୨କୋଟି ୮୮ଲକ୍ଷ ଟଙ୍କା ଜମା କରିଛି କଂପାନୀ। ତେବେ ବଳକା ୪୦ ପ୍ରତିଶତ ଟଙ୍କା ପାଇଁ ୩୫୦୦ ମେଟ୍ରିକ ଟନ୍ କାଠ ଦେବାକୁ ସର୍ତ୍ତ ରଖିଥିବା କହିଛନ୍ତି ଭେଣ୍ଡର। ତେବେ ବକେୟା ୪୦ ପ୍ରତିଶତ ଟଙ୍କା ଏବେ ନ ମିଳିଲେ ପୁଣି ବକେୟା ରାଶି ବୃଦ୍ଧି ପାଇଯିବ । ତେଣୁ ତ୍ରିଶଙ୍କୁ ସ୍ଥିତିରେ କଣ କରିବେ ଚିନ୍ତାରେ ପଡ଼ିଛନ୍ତି ଭେଣ୍ଡର। ଅପରପକ୍ଷରେ କଂପାନୀ କର୍ମଚାରୀଙ୍କ ୪ମାସର ବକେୟା ଦରମାରୁ ମାସକର ଦରମା ଦେଇଥିବା କର୍ମଚାରୀମାନେ କହିଛନ୍ତି। ଯଦିଓ ଦରମା ମିଳୁନଥିଲେ ହେଁ ପୁର୍ବଭଳି ସିଫ୍ଟୱାରୀ କାମ କରୁଛନ୍ତି। ସୂଚନା ଅନୁଯାୟୀ ଗତ ଜୁୁଲାଇ ୧୬ତାରିଖରୁ କଂଚାମାଲ(କାଠ) ଅଭାବରୁ ପେପର ମିଲ୍ ବନ୍ଦ ରହିଛି । କାଠ ଭେଣ୍ଡରଙ୍କ ୮କୋଟିରୁ ୩କୋଟି ୨୦ଲକ୍ଷ ପେପରମିଲ୍ ଦେଇଥିବାବେଳେ ବଳକା ୪କୋଟି ୮୦ଲକ୍ଷ ଦେଇ ନଥିଲା।
କଂପାନୀ ନିର୍ଦ୍ଦେଶକ ଏମ୍.କେ ଗୁପ୍ତା, ୟୁନିଟ୍ ମୁଖ୍ୟ ଏସ୍ ଏସ୍ ପାଲ୍, ମାନବସମ୍ବଳ ସାଧାରଣ ପ୍ରବନ୍ଧକ ରମେଶ ଯାଦବ ପ୍ରମୁଖଙ୍କୁ ଭେଟି ୬୦ପ୍ରତିଶତ ଟଙ୍କା ଦେବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ପରିଚାଳନା କାଗଜକଳ କର୍ତ୍ତୃପକ୍ଷ ୬୦ପ୍ରତିଶତ ଟଙ୍କା ଭେଣ୍ଡରମାନଙ୍କ ଆକାଉଣ୍ଟରେ ଜମା କରିବା ସହ ୩୫୦୦ ମେଟ୍ରିକ ଟନ କାଠ ଦେବାକୁ ସର୍ତ୍ତ ରଖିଛି। ବଳକା ୪୦ ପ୍ରତିଶତ ଟଙ୍କା କେବେ ମିଳିବ ସଂଦିହାନ ହୋଇପଡ଼ିଛନ୍ତି ଭେଣ୍ଡର। ଯେଉଁ ସବୁ ଅଂଚଳରୁ କାଠ ଆସୁଥିଲା ସେ ସବୁ ଅଂଚଳରେ ଆନ୍ଧ୍ର, ଛତିଶଗଡ, ମହାରାଷ୍ଟ୍ର, ତେଲେଙ୍ଗାନ୍ନା, କର୍ଣ୍ଣାଟକ ଆଦି ରାଜ୍ୟର ବିଭିନ୍ନ କଂପାନୀ ଗୁଡିକର ଡିବାର୍କ ମେସିନ୍ ଲଗାଇ କାଠ ଚାଲାଣ ଚଳାଇଛି। ଏହି ସ୍ଥିତିରେ ଭେଣ୍ଡର ମାନେ ଏବେ କାଠ ସଂଗ୍ରହ କରିବା ବି ମୁସ୍କିଲ ହୋଇ ପଡିଛି ବୋଲି ଭେଣ୍ଡର ମାନେ କହିଛନ୍ତି। ତଥାପି ମିଲକୁ ଚଳାଇବା ଉଦ୍ଦେଶ୍ୟରେ କାଠ କିଣା ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ଭେଣ୍ଡର। ଦରମା ୩ମାସର ବକେୟା ରହିଥିବା ବେଳେ ଏହି ସ୍ଥିତି ଆଗାମୀଦିନରେ କେତେ ଦିନ ଏଭଳି ଲାଗି ରହିବ ବୋଲି ସଂଦେହରେ ପଡ଼ିଛନ୍ତି କର୍ମଚାରୀ।