ପୁରୀ: ପୁଣି ଜେଲ ଗଲା ପୁରୀର କୁଖ୍ୟାତ ଅପରାଧୀ ପପୁ ବରାଳ। ଟାଉନ, ସଦର, କୁମ୍ଭାରପଡ଼ା, ଚନ୍ଦନପୁର, ବଳିଆପଣ୍ଡା, ସମୁଦ୍ରକୂଳ ପ୍ରଭୃତି ଥାନାରେ ୩୪ଟି ଜଘନ୍ୟ ଅପରାଧରେ ଜଡ଼ିତ ଥିବା ଧୀରେନ୍ଦ୍ରନାଥ ବରାଳ ଓରଫ ପପୁକୁ ଏଥର ମଦ ଦୋକାନ ଲଟେରୀ ଫିକ୍ସିଂ ମାମଲାରେ ବାନ୍ଧିଛି ଟାଉନଥାନା ପୁଲିସ। ମଦଦୋକାନ ନେବା ପାଇଁ ଆବେଦନକାରୀଙ୍କୁ ମୋଟା ଅଙ୍କର ଦାଦାବଟି ମାଗିବା ସହ ହତ୍ୟା ଧମକ ଦେବା ଅଭିଯୋଗରେ ତାକୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି।
ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ହାଜତ୍କୁ ପଠାଇ ଦିଆଯାଇଛି। ହତ୍ୟା, ହତ୍ୟା ଧମକ, ପ୍ରାଣାନ୍ତକ ଆକ୍ରମଣ, ହତ୍ୟା ଷଡଯନ୍ତ୍ର, ସଂଘବଦ୍ଧ ଆକ୍ରମଣ, ଡକାୟତି, ଛିନ୍ତାଇ ପ୍ରଭୃତି ଜଘନ୍ୟ ଅପରାଧରେ ସେ ପୂର୍ବରୁ ୫ରୁ ଅଧିକ ଥର ଜେଲ୍ ଯାଇଛି। ତା ସହିତ ତାର ଏକାନ୍ତ ସହଯୋଗୀ ପିଣ୍ଟୁ ଓରଫ୍ ହର୍ଲିକ୍ସକୁ ମଧ୍ୟ ପୁଲିସ ଗିରଫ କରିଛି। ହରଲିକ୍ସ ବିରୁଦ୍ଧରେ ବଳିଆପଣ୍ଡା ଥାନାରେ ଦାଦାବଟି ଓ ହତ୍ୟା ଧମକ ଅଭିଯୋଗରେ ଦୁଇଟି ମାମଲା ରହିଛି।
ଗତ ୨୦୨୦ ମସିହା ଜୁନ୍ ୨୪ ତାରିଖରେ କୁମ୍ଭାରପଡ଼ା ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଥିଲା। ନିକଟ ଅତୀତରେ ସେ ଜାମିନରେ ଆସି ଏଭଳି ଜଘନ୍ୟ ଅପରାଧରେ ଜଡିତ ଥିବା ପୁଲିସ ପାଖରେ ଖବର ଥିଲା। ଏଣୁ ଏସ୍ପି ଡ. କନୱର ବିଶାଲ ସିଂ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତା’ର ଗତିବିଧି ଉପରେ ନଜର ରଖିଥିଲେ।
ଏବେ ମଦ ଦୋକାନ ନେବାପାଇଁ ସରକାରଙ୍କ ପକ୍ଷରୁ ଲଟେରୀ ବ୍ୟବସ୍ଥା ହୋଇଛି। ଏଥିରେ ଯେଉଁମାନେ ଆବେଦନ କରୁଥିଲେ ସେମାନଙ୍କ ତାଲିକା ଆଣି ସେମାନଙ୍କୁ ମୋଟାଅଙ୍କର ବଟି ମାଗୁଥିଲା। ବଟି ନ ଦେଲେ ଦୋକାନ ନେଇ ପାରିବ ନାହିଁ ଧମକ ଦେବା ସହ ମୋଟା ବଟି ନ ଦେଲେ ହତ୍ୟା ଧମକ ଦେଇଥିଲା। ଏସ୍ପିଙ୍କ ସ୍ୱତନ୍ତ୍ର ଟିମକୁ ପପୁ ବରାଳ ବିରୋଧରେ ଏହି ସବୁ ପ୍ରମାଣ ମିଳିବା ପରେ ଆଜି ଭୋରରୁ ପୁଲିସ ପପୁର ଧାନକୁଟି ସାହି ଘରେ ଚଢ଼ଉ କରି ଗିରଫ କରିଛି।
ପପୁର ସୂଚନା ଆଧାରରେ ତା’ର ଅନ୍ୟତମ ସହଯୋଗୀ ହରଲିକ୍ସକୁ ମଧ୍ୟ ଗିରଫ କରିଛି। ପୁରୀକୁ ଦାଦାମୁକ୍ତ କରିବା ପାଇଁ ପୁରୀ ପୁଲିସର ପ୍ରୟାସ ଜାରି ରହିଛି। ବିଗତ ଦୁଇମାସ ମଧ୍ୟରେ ଏନେଇ ୧୪ଟି ମାମଲା ରୁଜୁ ହେବା ସହ ୫୬ଜଣ ତଥାକଥିତ ଦାଦାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସପି ଶ୍ରୀ ସିଂହ।