ଗୁଣୁପୁର-ଥେରୁବାଲି ରେଳ ଲାଇନ୍ ସଂପ୍ରସାରଣ ଦାବି; କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିଲେ ପାରଳା ବିଧାୟକ

ଗୁଣୁପୁର-ପାରଳାଖେମୁଣ୍ଡି ଷ୍ଟେସନର ଉନ୍ନତିକରଣ ଦାବି

ରାୟଗଡ଼ା: ୫୦ ବର୍ଷ ଧରି ପ୍ରସ୍ତାବରେ ସୀମିତ ଗୁଣୁପୁର-‌ଥେରୁବାଲି ରେଳ ଲାଇନର ସଂପ୍ରସାରଣ ପାଇଁ ଦାବି ଜୋର୍ ଧରିବାରେ ଲାଗିଛି। କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକାଙ୍କ ପରେ ଆଜି ପାରଳା ବିଧାୟକ କେ. ନାରାୟଣ ରାଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ତୁରନ୍ତ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଦାବି କରିଛନ୍ତି। ଗଞ୍ଜାମ-ଗଜପତି-ରାୟଗଡ଼ା ଜିଲ୍ଲାର ବିକାଶ କ୍ଷେତ୍ରରେ ଏହି ରେଳ ଲାଇନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରଖୁଥିବାରୁ ଆଗାମୀ ରେଳ ବଜେଟରେ ଏହି ନୂତନ ରେଳ ଲାଇନ ପାଇଁ ଅନୁଦାନ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ରାଓ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଗୁଣୁପୁର-ଥେରୁବାଲି ରେଳ ଲାଇନ ସଂପ୍ରସାରଣ ସହ ଗୁଣପୁର, ପାରଳାଖେମୁଣ୍ଡି ଷ୍ଟେସନର ବିକାଶ ପାଇଁ ମଧ୍ୟ ଶ୍ରୀ ରାଓ ଦାବି କରିଛନ୍ତି। ୧୯୩୧ ମସିହାରେ ନୌପଡ଼ା-ପାରଳାଖେମୁଣ୍ଡି ରେଳ ଲାଇନକୁ ଗୁୁଣୁପୁରକୁ ସଂପ୍ରସାରିତ ହୋଇଥିଲା। ୯୦ ବର୍ଷ ପୁରୁଣା ଗୁଣୁପୁର ଷ୍ଟେସନର ଆଧୁନୀକରଣ କିନ୍ତୁ ଏଯାବତ୍ ହୋଇପାରିନି। ଷ୍ଟେସନରେ ଗୋଟିଏ ମାତ୍ର ପ୍ଲାଟଫର୍ମ ଥିବା ବେଳେ ଯାତ୍ରୀଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ମଧ୍ୟ ନାହିଁ। ଯାତ୍ରୀଙ୍କ ବିଶ୍ରାମ ପାଇଁ ଷ୍ଟେସନ ପ୍ରବେଶ ପଥରେ ଗୋଟିଏ ମାତ୍ର ରେଷ୍ଟ ସେଡ୍ ଥିବା ବେଳେ ଟ୍ରେନ୍ କୋଚ୍ ଲେବଲର ପ୍ଲାଟଫର୍ମ ନାହିଁ। ବହୁ ତଳୁଆ ପ୍ଲାଟଫର୍ମ ଯୋଗୁ ବିଭିନ୍ନ ସମୟରେ ଯାତ୍ରୀମାନେ ଟ୍ରେନ୍ ଚଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଆଜି ପର୍ଯ୍ୟନ୍ତ ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ମଧ୍ୟ ଷ୍ଟେସନରେ ଆରମ୍ଭ ହୋଇପାରିନି। ପାର୍ସଲ୍ ବୁକିଂ ବ୍ୟବସ୍ଥା ମଧ୍ୟ ନଥିବାରୁ ଭୁବନେଶ୍ବର, କଟକ, ବ୍ରହ୍ମପୁର ଦେଇ ଆସୁଥିବା ସତ୍ତ୍ବେ ରାଜ୍ୟରାଣୀରେ ଗୁଣୁପୁରକୁ ସାମଗ୍ରୀ ଓ ମାଲ ପରିବହନ ହୋଇପାରୁନି।

ଦୈନିକ ଏହି ଷ୍ଟେସନରୁ ଗୁଣୁପୁର-ପୁରୀ, ଗୁଣୁପୁର-ବିଶାଖାପାଟଣା, ଗୁଣୁପୁର-ପଲାସା, ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳ କରୁଛି। କରୋନା କଟକଣା ପାଇଁ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ କଟକଣା କୋହଳ ପରେ ରାଜ୍ୟରାଣୀ ଏକ୍ସପ୍ରେସ୍ ସପ୍ତାହକୁ ୩ ଦିନ ଗଡ଼ିବା ଆରମ୍ଭ କରିଛି। ଅଗଷ୍ଟ ପହିଲାରୁ ଅନ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇପାରେ। ୧୨୧ ବର୍ଷର ପାରଳାଖେମୁଣ୍ଡି ଷ୍ଟେସନ ଅବସ୍ଥା ମଧ୍ୟ ସମାନ୍। ଐତିହାସିକ ଏହି ରେଳ ଷ୍ଟେସନର ବିକାଶ ଦିଗରେ ରେଳ ବିଭାଗ ସଂପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛି।

ଷ୍ଟେସନରେ ପ୍ଲାଟଫର୍ମଠୁ ଆରମ୍ଭ କରି ଯାତ୍ରୀ ବିଶ୍ରାମଗୃହ, ପାନୀୟ ଜଳର ସୁବିଧା, ସଂରକ୍ଷଣ ଟିକେଟ୍ ବୁକିଂ ବ୍ୟବସ୍ଥା ନାହିଁ। ଉଭୟ ଷ୍ଟେସନର ଉନ୍ନତିକରଣ ଦିଗରେ ତୁରନ୍ତ ପଦକ୍ଷେପ ନେବା ସହ କାଶୀନଗରରେ ରାଜ୍ୟରାଣୀ ଏକ୍ସପ୍ରେସ୍ ରହଣି ଏବଂ ସଂରକ୍ଷିତ ଟିକେଟ୍ ବୁକିଂ ବ୍ୟବସ୍ଥା ପାଇଁ ପାରଳା ବିଧାୟକ ଶ୍ରୀ ରାଓ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା‌ଯୋଗ୍ୟ, ଗୁଣୁପୁରରୁ ଥେରୁବାଲିକୁ ‌ନୂଆ ଲାଇନ ସଂପ୍ରସାରଣ କରିବା ପାଇଁ ୧୯୭୨ ମସିହାରେ ସର୍ଭେ ଆରମ୍ଭ ହୋଇଥିଲା। ୨୦୧୪ରେ ସର୍ଭେ ଶେଷ ହେବା ପରେ ୭୯ କିମି ରେଳପଥର ରେଟ୍ ଅଫ୍ ରିଟର୍ଣ୍ଣ ୧୩.୫ ପ୍ରତିଶତ ଥିଲା। ୨୦୧୭-୧୮ ରେଳ ବଜେଟରେ ନୌପଡା-ଗୁଣୁପୁର ରେଳପଥକୁ ଥେରୁବାଲି ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ୯୩୫ କୋଟି ଟଙ୍କାର ଅନୁଦାନ ଘୋଷଣା କରିଥିଲେ ତତ୍କାଳୀନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ।

ହେଲେ ପରବର୍ତୀ ସମୟରେ ଏହି ରେଳପଥ ଦ୍ବାରା ଭବିଷ୍ୟତରେ ରେଳ ବିଭାଗ ଲାଭବାନ୍ ନ ହେବା ଦର୍ଶାଇ ଅନୁଦାନ ମିଳୁନି। ନୂଆ ଲାଇନ୍ କାର୍ଯ୍ୟକ୍ଷମ ହେଲେ ବିଶାଖାପାଟଣା-କିରୁଣ୍ଡୋଲ୍, ସମ୍ବଲପୁର- କୋରାପୁଟ, ରାୟଗଡ଼ା-ଝାରସୁଗୁଡା ଏବଂ ଥେରୁବାଲିଠୁ ଆରମ୍ଭ କରି କେନ୍ଦୁଝର ଶିଳ୍ପ କରିଡର୍ ସହ ସଂଯୋଗ ହୋଇପାରନ୍ତା।

ସମ୍ବନ୍ଧିତ ଖବର