ପାପୁଲି ଓ ପାଦ ହରାଇଥିବା ଯୁବକ ସକ୍ଷମଙ୍କ ଭଳି କରୁଛନ୍ତି କାମ

କେନ୍ଦ୍ରାପଡା: ହାତ ଅଛି ହେଲେ ପାପୁଲି ନାହିଁ, ଗୋଡ ଅଛି ହେଲେ ପାଦ ନାହିଁ, ଏଭଳି ପରିସ୍ଥିତିରେ ହାର ମାନି ନାହାନ୍ତି କେନ୍ଦ୍ରାପଡା ଜିଲ୍ଲା ମାହାଙ୍ଗା ବ୍ଲକ ଇଟାମୁଣ୍ଡଳି ଗାଁର ପରମେଶ୍ୱର ଖଟୁଆ ।

ବୟସ ୨୦ ବର୍ଷ । ଜନ୍ମରୁ ପରମେଶ୍ୱର ଖଟୁଆ ଦିବ୍ୟାଙ୍ଗ । ଯେତେବେଳେ ପରମେଶ୍ୱର ଜନ୍ମ ନେଇଥିଲେ ସେତେବେଳେ ତାଙ୍କର ଏ ଭଳି ଅବସ୍ଥା ଦେଖି ବାପାମାଆଙ୍କ ସହ ପୂରା ପରିବାର ଏବଂ ସାହି ପଡିଶା ଚିନ୍ତାରେ ପଡ଼ି ଯାଇଥିଲେ । କ’ଣ ହେବ ତାଙ୍କ ଭବିଷ୍ୟତ ?

ଏମିତି ଅବସ୍ଥାରେ କେମିତି ଜୀବନ ଜିଇବ ପୁଅ? ଏସବୁ ଚିନ୍ତା ବାପାମାଆଙ୍କୁ ଘାରିଥିବା ବେଳେ ପରମେଶ୍ୱରଙ୍କ କୃପାରୁ ଧୀରେଧୀରେ ଭଲ ହୋଇଥିଲେ ସେ। ଆଉ ନିଜ ଇଚ୍ଛା ଶକ୍ତି ବଳରେ ଜୀବନ ଜିଇଁବାରେ ସଫଳ ହୋଇଛନ୍ତି ପରମେଶ୍ୱର ଖଟୁଆ ।

ଶାରୀରିକ ଅକ୍ଷମତା ସତ୍ତ୍ବେ ସେ ସକ୍ଷମଙ୍କ ପରି କାମ କରନ୍ତି । ପିଲାବେଳେ ସାଙ୍ଗମାନେ ତାଙ୍କୁ ଏବଂ ତାଙ୍କର ଅକ୍ଷମତାକୁ ତାତ୍ସଲ୍ୟ କରିବା ସହ ସେ କୌଣସି କାମ କରିପାରୁ ନଥିବା ନେଇ ଟାହି ଟାପରା କରିଥିଲେ ।

ବାସ୍ ସାଙ୍ଗମାନଙ୍କ ସେହି ଥଟାମଜା ହିଁ ତାଙ୍କୁ ସବୁକାମ କରିବାକୁ ପ୍ରେରଣା ଦେଇଥିଲା । ଆଉ ଏବେ ସାଇକେଲ ଓ ବାଇକ ଚଳାଇବା ଠାରୁ ବିଲରେ ପାୱାର ଟ୍ରିଲର ଚଳାଇବାରେ ପାରଙ୍ଗମ ପରମେଶ୍ୱର ।

୨୦ ବର୍ଷ ବୟସରେ ସେ ଘରେ ବସି ନାହାନ୍ତି ବରଂ ରୋଜଗାରକ୍ଷମ ବି ହୋଇଛନ୍ତି । ବିନା ପାପୁଲିରେ ବି ସେ ସାଇକେଲକୁ ଖୁବ ଭଲଭାବେ ମରାମତି କରନ୍ତି । ଆଉ ବିଲବାଡି କାମ କରି ଦି ପଇସା ରୋଜଗାର କରନ୍ତି । ତେବେ ଅକ୍ଷମତା ଭିତରେ ସକ୍ଷମଙ୍କ ପରି କାମ କରି ଗାଁର ଗୌରବ ପାଲଟିଥିବା ପରମେଶ୍ୱର ଶାରୀରିକ ଦୁର୍ବଳ କିମ୍ବା ଦିବ୍ୟାଙ୍ଗ ଥିବା ଅନ୍ୟ ପିଲାମାନଙ୍କ ପାଇଁ ପ୍ରେରଣା ସାଜିବେ ନିଶ୍ଚୟ ।

ସମ୍ବନ୍ଧିତ ଖବର