ଜୟପୁର: ସହରର ସୁନାରୀସାହିରେ ଜଣଙ୍କ ବାରଣ୍ଡାରେ ଆଉ ଜଣେ ବୃଦ୍ଧାଙ୍କ ସହ ଖରା,ବର୍ଷା, ଶୀତ ଓ କାକର ସହି ରହୁଛନ୍ତି କେ.ପାର୍ବତୀ। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଯୋଗାଇ ଦେବା ପାଇଁ ସେ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।

Advertisment

ପାର୍ବତୀଙ୍କର ନିଜର ବୋଲି କେହି ନାହାନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ବି ନାହିଁ । ମିଳୁଥିବା ଭତ୍ତା ୫୦୦ଟଙ୍କାରେ ବହୁ କଷ୍ଟରେ ଚଳୁଛନ୍ତି କେ.ପାର୍ବତୀ। ଆଉ ଜଣେ ବୃଦ୍ଧା ଶାନ୍ତିଲତାଙ୍କ ସହ ତାଙ୍କ ବାରଣ୍ଡାରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି ପାର୍ବତୀ। ଘର ଖଣ୍ଡିକ ପାଇଁ ବାରମ୍ବାର ଆବେଦନ କରିବା ସତ୍ବେ ତାଙ୍କୁ ମିଳିପାରିନଥିଲା। ୬୪ବର୍ଷୀୟ ବୃଦ୍ଧା ବୟସର ଅପରାହ୍ନରେ ଘର ଖଣ୍ଡିକ ପାଇଁ ବୁଲିବା ମୁସ୍କିଲ ବୋଲି କହିଛନ୍ତି।

କାମ ଧନ୍ଦା କରି ବହୁ କଷ୍ଟେମଷ୍ଟେ ଚଳି ଆସୁଛନ୍ତି। ସାମାନ୍ୟ ବର୍ଷା କିମ୍ବା ପବନ ହେଲେ ଏମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ୁଥିବା କହିଛନ୍ତି ପାର୍ବତୀ। ଶାନ୍ତିଲତାଙ୍କ ଦୟାରେ ସେ ବାରଣ୍ଡାରେ ରହୁଛନ୍ତି। ପ୍ରଶାସନ ତାଙ୍କ ପ୍ରତି ଦୟା ପରବଶ ହେବା ପାଇଁ ସେ ଅନୁରୋଧ କରିଛନ୍ତି।