ଜୟପୁର: ସବୁ ଦେଶବାସୀଙ୍କର ନଜର ନିଶ୍ଚିତରୂପେ ଟୋକିଓ ଅଲମ୍ପିକ୍ସ ଉପରେ ରହିଛି। ପୂର୍ବଗର୍ବ ଓ ଗୌରବକୁ ବଜାୟ ରଖି ଏଥରକ ବି ଯୁବ କ୍ରୀଡ଼ାବିତ୍ ମାନେ ନିଶ୍ଚିତରୂପେ ଅଧିକ ସଫଳତା ଆଣିବେ। ଓଡିଶାର ଗର୍ବ ଦୂତୀ ଚାନ୍ଦଙ୍କର ପ୍ରମୁଖ ଦୌଡ଼ ୧୦୦ ମିଟରରେ କ୍ବାଲିଫାଏ କରି ପାରିନଥିଲେ ହେଁ ୨୦୦ମିଟରରେ ସଫଳତା ହାସଲ କରିବେ ଏ ଆଶା ରହିଛି ବୋଲି କହିଛନ୍ତି ବରିଷ୍ଠ କ୍ରୀଡ଼ାବିତ୍ ତଥା ଓଡିଶା ଆଥ୍ଲେଟିକ୍ ଆସୋସିଏସନ ବୈଷୟିକ ଟିମର ସଦସ୍ୟ ଉପେନ୍ଦ୍ର ମହାରାଣା।
୧୯୭୨ ମସିହାରେ ପ୍ରଥମ କରି କୋରାପୁଟ ହାଇସ୍କୁଲ ଦଳରେ ଫୁଟବଲରୁ ତାଙ୍କ କ୍ରୀଡ଼ାବିତ୍ ଜୀବନ ଆରମ୍ଭ ହୋଇଥିବା କହିଛନ୍ତି ଉପେନ୍ଦ୍ର। ଏହା ପରେ ସେ ସ୍କୁଲ, ଜୟପୁର ଭିଡି କଲେଜର ଛାତ୍ର ଭାବେ ଫୁଟ୍ବଲ ଓ ଭଲିବଲ ଖେଳି ଅନ୍ତଃ ବିଶ୍ବବିଦ୍ୟାଳୟସ୍ତରକୁ ପହଚିଂଥିଲେ। ଭଲିବଲରେ ସେ ରାଜ୍ୟସ୍ତରରେ ବି ବହୁବାର ଖେଳି ସମ୍ବର୍ଦ୍ଧିତ ହୋଇଥିଲେ। ତେବେ ସେ ସମୟରେ ଯୁନିଅର ବର୍ଗ ନଥିଲା। ୧୫ବର୍ଷ ହେଉ କି ୨୮ବର୍ଷ ସବୁ ବୟସ ବର୍ଗର କ୍ରୀଡ଼ାବିତ୍ ଏକା ସିନିୟର ବର୍ଗରେ ଖେଳୁଥିଲେ। ଏବେ ଜୁନିୟର ଓ ସିନିୟର ବର୍ଗ ବି ରହିଛି। ଏହାର ସୁଯୋଗ ପିଲା ନେଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା କଥା। ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ସ୍କୁଲସ୍ତରରୁ ହିଁ ପଢ଼ୁଥିବା ପିଲାଙ୍କ ମଧ୍ୟରୁ ଚୟନ କରି କିଛି ପିଲାଙ୍କୁ କ୍ରୀଡ଼ା ଛାତ୍ରାବାସକୁ ପଠାଉଛନ୍ତି।
ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲା ପୁରା କୋଚିଂ ନ ନେଇ ଅଧାରୁ ଛାଡୁଛନ୍ତି। ଆଉ କିଛି ପିଲା ପୁଲିସ, ସୈନ୍ୟବାହିନୀ ଆଦି କର୍ମସଂସ୍ଥାନରେ ରହିଥିବା ସାକ୍ଷାତକାର ପାଇଁ ପ୍ରସ୍ତୁତି କରିବାକୁ ଆସୁଛନ୍ତି। ବଳକା ଗ୍ରାମାଞ୍ଚଳ ଓ ସାଧାରଣବର୍ଗର କ୍ରୀଡାବିତ୍ ଓ ଅଭିଭାବକ ମାନେ ଆଉ ଦୌଡ଼କୁଦକୁ ପସନ୍ଦ କରୁନାହାଁନ୍ତି। ସବୁ ବର୍ଗର ପିଲାଙ୍କର ପ୍ରଥମ ପସନ୍ଦ ସାମୂହିକ କ୍ରୀଡ଼ା କ୍ରିକେଟ୍ ପାଲଟିଛି। ବ୍ୟକ୍ତିଗତ ରେକର୍ଡ ସୃଷ୍ଟି କରି ଯେଉଁ ସମ୍ମାନ ଓ ଆତ୍ମସନ୍ତୋଷ ମିଳେ ତାହା ଏଥିରେ ମିଳେନି। ତଥାପି ଶତାଧିକ ପିଲା କ୍ରିକେଟ ମୁହାଁ। ଏହାର ଭୟଙ୍କର ପ୍ରଭାବ ଦୌଡ଼କୁଦ୍ କ୍ରୀଡ଼ା ଉପରେ ପଡ଼ିବ ବୋଲି କହିଛନ୍ତି ଉପେନ୍ଦ୍ର। ସମ୍ପ୍ରତ୍ତି ଯେଉଁ ସିନ୍ଥେଟିକ ଟ୍ରାକ୍ କିମ୍ବା ପଡ଼ିଆରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ତାହାକୁ ଏଠାକାର ପିଲାମାନେ କେବେ ଦେଖିନାହାଁନ୍ତି କି ଅଭ୍ୟାସ ବି କରି ନାହାଁନ୍ତି।
ଦୀର୍ଘ ୫୦ବର୍ଷ ପରେ ବି କୋରାପୁଟ ଓ ଜୟପୁରରେ ଭଲ ଖେଳ ପଡ଼ିଆ ଖଣ୍ଡିକ ନାହିଁ। ତଥାପି କିଛି ପିଲା ଦେଶୀ ପଡ଼ିଆ, ରାସ୍ତା ଓ ପାହାଡ଼ ଚଢ଼ା ଆଦି କରି ରାଜ୍ୟସ୍ତରରେ ଭାଗ ନେଇ ଅଳ୍ପ କିଛି ପଦକ ଆଣୁଛନ୍ତି ସେତିକିରେ ଆମେ ସନ୍ତୁଷ୍ଟ ହେବା କଥା। ଭଲ ଦୌଡ଼କୁଦ୍ କ୍ରୀଡାବିତ୍ ହେବା ପାଇଁ ବ୍ୟକ୍ତିଗତ ଉଦ୍ୟମ ଓ ପରିବାରର ସହଯୋଗ ନିଶ୍ଚିତରୂପେ ଆବଶ୍ୟକ। ନିଜକୁ ନିଜେ ଚିହ୍ନି କିଛି ଗୋଟିଏ ରେକର୍ଡ କରିବାକୁ ଚିନ୍ତା କରି ଆତ୍ମବଳ ଓଏକଗ୍ରତା ରହିଲେ ସଫଳତା ନିଶ୍ଚିତରୂପେ ପାଇବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/1c0869cb-8284-4d09-84cc-1804a2fb3461.jpg)