ଖୋଲୁନି ସ୍କୁଲ, ଚିନ୍ତାରେ ଅଭିଭାବକ; କୋଭିଡ ଗାଇଡଲାଇନ ଅନୁଯାୟୀ ସ୍କୁଲ ଖୋଲିବକୁ ଦାବି

ଭଞ୍ଜନଗର: କରୋନା ମହାମାରୀ ଯୋଗୁଁ ଛାତ୍ରଛାତ୍ରୀ ମାନେ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ସରକାର ବିଦ୍ୟାଳୟ ଗୁଡ଼ିକୁ ବନ୍ଦ ରଖିବା ସହ ଅନ୍‌ଲାଇନ୍‌ କ୍ଲାସ୍‌କୁ ବିକଳ୍ପ ଭାବେ ଗ୍ରହଣ କରିଥିବା ବେଳେ ତାହା ଶ୍ରେଣୀ ଗୃହରେ ଦିଅଯାଉଥିବା ଶିକ୍ଷାଦାନ ସହ ସମାନ ହୋଇପାରୁନାହିଁ। ପ୍ରାଥମିକ ଶିକ୍ଷାଦାନ ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ଅଷ୍ଟମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଧା ଖୋଲା ଅଧା ବନ୍ଦରେ ଚାଲିଛି।

ଅନ୍ୟପକ୍ଷରେ ଘରୋଇ ସ୍କୁଲରେ ନିୟମିତ ଶିକ୍ଷାଦାନ ସହ ଅନ୍‌ଲାଇନ୍‌ ଶିକ୍ଷା ପାଇଁ ଆବଶ୍ୟକ ସୁବିଧା ସୁଯୋଗ ଛାତ୍ରଛାତ୍ରୀ ମାନେ ପାଇ ପାରୁଥିବାରୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଘରୋଇ ସ୍କୁଲର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିରାଟ ଅନ୍ତରାୟ ସୃଷ୍ଟି ହୋଇଛି। ବିଶେଷ କରି ସରକାରୀ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ଅଧିକାଂଶ ଗ୍ରାମାଞ୍ଚଳର ହୋଇଥିବାରୁ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟା ସେମାନଙ୍କ ପାଠ ପଢାରେ ବାଧା ସୃଷ୍ଟି କରୁଛି। ଗତ ଏକ ମାସ ଧରି ଅନ୍‌ଲାଇନ୍‌ ଶିକ୍ଷାଦାନ ସାଙ୍ଗକୁ କମ୍ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏକଜୁଟ୍ କରି ଘରକୁ ଘର ବୁଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷାଦାନ କରୁଛନ୍ତି। କିନ୍ତୁ ବାସ୍ତବ ଶ୍ରେଣୀ ଶିକ୍ଷାଦାନ ସହ ତାହା ସମକକ୍ଷ ହୋଇପାରୁନାହିଁ। ତେଣୁ ସଂକ୍ରମଣ ହାର କମିବା ସହ କଟକଣା ମଧ୍ୟ କୋହଳ ହୋଇଥିବାରୁ ପିଲାଙ୍କ ଭବିଷ୍ୟତ ପାଇଁ ସ୍କୁଲ ଖୋଲିବା ଦାବି ଜୋର ଧରିଛି।

ଭଞ୍ଜନଗର ବ୍ଲକର ମୁଜାଗଡ଼, ଦଦରଲୁଣ୍ଡା, ବାଇବାଲି ସାନକୋଦଣ୍ଡା ପଞ୍ଚାୟତ ସହ ଜଗନ୍ନାଥପ୍ରସାଦର ତାରସିଂ, କୋକଳବା, ଗାୟଗଣ୍ଡା ଭଳି ଉପାନ୍ତ ଅଞ୍ଚଳ ଗୁଡିକରେ ନେଟୱର୍କ ପାଇଁ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଶୁଡି ପଡିଛି। ଦୁଇବର୍ଷ ହେଲା ପାଠ ପଢୁଥିବା ପ୍ରାୟ ୬୦ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ଦ୍ବାରା ଶିକ୍ଷା ଗ୍ରହଣ ବାଟବଣା ହୋଇଯାଇଛି। ତେବେ ଆଗକୁ ବାର୍ଷିକ ପରୀକ୍ଷା ଥିବାରୁ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମାନେ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ସରକାରୀ ବିଦ୍ୟାଳୟରେ ପଢୁଥିବା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବିନା ପାଠ ପଢାରେ କିଭଳି ଏହି ପରୀକ୍ଷାକୁ ସାମ୍ନା କରିବେଢ ଚିନ୍ତାରେ ରହିଛନ୍ତି। ଅନ୍ତତଃ ପରୀକ୍ଷା ପୂର୍ବରୁ ସ୍କୁଲ ଖୋଲିଗଲେ କିଛି ପରିମାଣରେ ଛାତ୍ରଛାତ୍ରୀ ମାନେ ଉପକୃତ ହୋଇପାରିବେ ବୋଲି ଅଭିଭାବକ ମାନେ ପ୍ରକାଶ କରିଛନ୍ତି। ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ ରାଜ୍ୟରେ ବିଦ୍ୟାଳୟ ମଧ୍ୟ ଖୋଲିଛି। ଆଉ କିଛି ରାଜ୍ୟ ଫେବ୍ରୁଆରିରେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଛନ୍ତି। କିନ୍ତୁ ଚଳିତ ମାସରେ ଜାରି ହୋଇଥିବା ଗାଇଡଲାଇନ୍‌ରେ ସ୍କୁଲ ସଂର୍ପକରେ କିଛି ମଧ୍ୟ ନିଷ୍ପତ୍ତି ଜାରି ହୋଇନାହିଁ। ରାଜ୍ୟ ସରକାର ସ୍କୁଲ ଖୋଲିବା ନିଷ୍ପତ୍ତିକୁ ଝୁଲାଇ ରଖିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦ୍ବନ୍ଦରେ ରହିଛନ୍ତି। ବର୍ତ୍ତମାନ ବିବାହ-ବ୍ରତ ଭଳି ସାମାଜିକ କାର୍ଯ୍ୟ ଠାରୁ ଆରମ୍ଭ କରି ରାଜନୈତିକ ସମାବେଶ ଆୟୋଜନ ହେଉଛି। ଏଭଳି ସ୍ଥିତିରେ କୋଭିଡ ଗାଇଡ ଲାଇନ ଅନୁଯାୟୀ ସ୍କୁଲ ଖୋଲି ପିଲାଙ୍କ ପାଠ ପଢା ସ୍ଥିତି ଖରାପ ହେବା ପୂର୍ବରୁ ସରକାର ଯଥା ଶୀଘ୍ର କିଛି ପଦକ୍ଷେପ ନେବାକୁ ଦାବି ଜୋର ଧରିଛି।

ସମ୍ବନ୍ଧିତ ଖବର