ପରୀ ହତ୍ୟାକାଣ୍ଡ ମାମଲା; ନୟାଗଡ଼ରେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କଲା ବିଜେପି

ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ର ଯଦୁପୁରର ନାବାଳିକା ପରୀ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାମଲାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରରୋଚନାରେ ଚପାଇ ଦିଆଯାଉଥିବା ଅଭିଯୋଗ ଆସିବା ପରେ ବିରୋଧୀ ବିଜେପି , କଂଗ୍ରେସ ସମେତ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଆଜି ଅପରାହ୍ନରେ ନୟାଗଡ଼ ବିଜେପି ପକ୍ଷରୁ ଟ୍ରାଫିକ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।


ଅଭିଯୁକ୍ତ କୁହାଯାଉଥିବା ବାବୁଲି ନାୟକ, ଅରୁଣ ସାହୁଙ୍କ ପାଖଲୋକ ହୋଇଥିବାରୁ ପୁଲିସ ତାଙ୍କୁ ସୁରକ୍ଷା ଦେଉଥିବା ପରୀର ପରିବାର ଅଭିଯୋଗ କରିଛନ୍ତି। ନୟାଗଡ଼ ଜିଲ୍ଲା ପୁଲିସ ଠାରୁ ନ୍ୟାୟ ନପାଇ ନିରାଶ ହେବା ପରେ ପରୀର ବାପା ଅଶୋକ ସାହୁ ଓ ମା’ସୌଦାମିନୀ ସାହୁ ଗତକାଲି ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ପରୀ ମାମଲା ବେଶ୍ ତେଜି ଉଠିଛି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ନୟାଗଡ଼ ବିଜେପି ନେତା ସନ୍ତୋଷ ପ୍ରଧାନ, ପ୍ରହ୍ଲାଦ ବରାଡ଼ , ଶ୍ରୀକାନ୍ତ ଖଟେଇ, ପ୍ରଦୀପ୍ତ ମହାପାତ୍ର , ଚନ୍ଦ୍ର ବିଜୟୀ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। କୁଶପୁତଳିକା ଦାହ ପରେ ଅପରାଧୀଙ୍କୁ ଧରିବା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର