ସୋର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକାରେ ଏକ ଶିଶୁ ଉଦ୍ୟାନ ହୋଇଥିଲା। ଯେଉଁଠି ପିଲାମାନେ ଖେଳକୁଦ କରି ମଜା ମନାଉଥିବା ବେଳେ ବୟସ୍କମାନେ ଖୋଲା ପରିବେଶରେ ଅବସର ସମୟ କାଟୁଥିଲେ। ହେଲେ ବ୍ୟବସ୍ଥାଗତ ତ୍ରୁଟି ଏବଂ ପ୍ରଶାସନିକ ଅବହେଳା କାରଣରୁ ଏବେ ତାହା ପରିତ୍ୟକ୍ତ ଅବସ୍ଥାରେ। ଏପରି ସମୟରେ ଉଦ୍ୟାନର ପୁନରୁଦ୍ଧାର ପାଇଁ ଦାବି ହୋଇଛି।

Advertisment

ସୋର ପୌରପାଳିକା ଅନ୍ତର୍ଗତ ମୋବାରକପୁରଠାରେ ୨୦୧୫ ମସିହାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ହୋଇଥିଲା। ଏଥିପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ପିଲାମାନଙ୍କର ଖେଳିବା ପାଇଁ ଅନେକ ସାମଗ୍ରୀ ସହ ଝୁଲିବା ପାଇଁ ବିଭିନ୍ନ ପ୍ରକାର ଝୁଲଣା ଥିଲା। ପ୍ରତିଦିନ ଅପରାହ୍ନରେ ପିଲାମାନେ, ଏମିତିକି ବୟସ୍କ ଲୋକମାନେ ସେଠାକୁ ଯାଉଥିଲେ। ପିଲାମାନେ ଖେଳକୁଦ କରି ମଜା ମନାଉଥିବା ବେଳେ ବୟସ୍କମାନେ ଖୋଲା ପରିବେଶରେ ଅବସର ସମୟ କାଟୁଥିଲେ।

ତେବେ ସେପ୍ଟେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପୌର ନିର୍ବାଚନ ବନ୍ଦ ରହିଥିଲା। ​ପୌର ପରିଷଦ ଭାଙ୍ଗିବା ପରେ ଉଦ୍ୟାନର ରକ୍ଷଣାବେକ୍ଷଣା ହୋଇପାରିଲା ନାହିଁ। ଉଦ୍ୟାନଟି ଅନାବନା ଗଛରେ ଭର୍ତ୍ତି ହୋଇଗଲା। ଧୀରେ ଧୀରେ ସେଠାରେ ଥିବା ଖେଳଣା ସାମଗ୍ରୀ ନଷ୍ଟ ହେବା ସହ ଝୁଲଣାରେ କଳଙ୍କି ଲାଗିଗଲା। ସେଠାକୁ ଆଉ କେହି ଗଲେନି। ଏପରି ସମୟରେ ସମସ୍ତେ ଆଶା କରିଥିଲେ ପୁଣି ପୌର ନିର୍ବାଚନ ହେଲେ ପୌରପାଳିକା ଉଦ୍ୟାନ ପୁନରୁଦ୍ଧାର କରିବ। ଫଳରେ ପିଲାମାନେ ଖେଳକୁଦ କରିବା ସହ ବୟସ୍କମାନେ ଖୋଲା ପରିବେଶରେ ଅବସର ସମୟ ବିତାଇବାର ସୁଯୋଗ ପାଇବେ। ପୌର ନିର୍ବାଚନ ହେଲା। ପୌର ପରିଷଦ ବି ଗଠନ ହେଲା। ହେଲେ ଉଦ୍ୟାନର ଭାଗ୍ୟ ବଦଳିଲାନି। ୫ ବର୍ଷରୁ ଅଧିକ ହେବ ତାହା ସେମିତି ଅନାବନା ଗଛଲତା ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଯେଉଁ ସୌଖୀନ ଗଛ ଲାଗିଥିଲା, ସବୁ ମରିଯାଇଛି। ରାତିରେ ଆଲୁଅ ଜଳୁନି। ଫଳରେ ତାହା ଅସାମାଜିକ ଲୋକଙ୍କ ଆଡ଼ା ପାଲଟିଛି।

ପୌରାଞ୍ଚଳବାସୀ ଉଦ୍ୟାନ ପୁନରୁଦ୍ଧାର କରିବା ପାଇଁ ଦାବି କରୁଛନ୍ତି। କିନ୍ତୁ ପୌରାଧ୍ୟକ୍ଷ, ପୌର ଅଧିକାରୀ କି କାଉନ୍‌ସିଲର; କେହି କାନନାକ ଝାଡ଼ୁ ନାହାନ୍ତି। ପ୍ରଶ୍ନ ଉଠୁଛି; ସୋର ପୌରପାଳିକା କରୁଛି କ’ଣ? ଏନେଇ ସୋର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଏଲ୍‌କେ ମୁର୍ମୁଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କିଛି ମାସ ହେବ କାର୍ଯ୍ୟରେ ଯୋଗଦେଇଛନ୍ତି। ଉଦ୍ୟାନ କିପରି ଶୀଘ୍ର ପୁନରୁଦ୍ଧାର କରାଯିବ, ସେନେଇ ଉଦ୍ୟମ ହେଉଛି ବୋଲି କହିଛନ୍ତି। ତେବେ ଆଗାମୀ ଦିନରେ ସୋର ଶିଶୁ ଉଦ୍ୟାନର ପୁନୁରୁଦ୍ଧାର ନହେଲେ ଆନ୍ଦୋଳନ ହେବ ବୋଲି କିଛି ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।