ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲାର ସଦର ମହକୁମା ଖୋର୍ଦ୍ଧା ସହରରେ ବିକାଶ ପାଇଁ ସରକାରଙ୍କ ଆନ୍ତରିକତା ନାହିଁ, କିନ୍ତୁ ଜନସାଧାରଣଙ୍କ ଠାରୁ ବିକାଶ ନାମରେ କର ଆଦାୟ କରିବା ବଢ଼ି ଚାଲିଛି। ସହରରରେ ନର୍ଦ୍ଦମା ନାଳ ନଥାଇ ପୌର ପରିଷଦ ସେସ୍ ଆଦାୟ କରୁଥିବା ବେଳେ ପାର୍କିଂ ବ୍ୟବସ୍ଥା ନଥାଇ ଯେଭଳି ପୁଲିସ ଜୋରିମାନା ଆଦାୟ କରିୁଛି। ବର୍ତ୍ତମାନ ସହରର ବସଷ୍ଟାଣ୍ଡର ଆନୁସଙ୍ଗିକ ଭିତ୍ତିଭୂମି ନଥାଇ ପାର୍କିଂ ଫି ଓ ପ୍ରବେଶ କର ଆଦାୟ କରିବାକୁ ଯୋଜନା କରିଛି। ଓଡ଼ିଶା ରାଜ୍ୟ ପରିବହନ ବିଭାଗର ଯୋଜନାନୁସାରେ ବର୍ତ୍ତମାନ ଜିଲ୍ଲା ମୁଖ୍ୟାଳୟ ବସଷ୍ଟାଣ୍ଡ, ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଓ ବ୍ଲକ ସଦର ବସଷ୍ଟାଣ୍ଡ ଗୁଡ଼ିକରେ ୫-ଟି ଯୋଜନା କାର୍ଯ୍ୟକାରି ହେବ। ବସଷ୍ଟାଣ୍ଡ ଗୁଡ଼ିକରେ ଜନଗହଳି ଓ ବସ ଗୁଡ଼ିକର ଯାତାୟତର ସଂଖ୍ୟାକୁ ଆକଳନ କରି ୪ଟି ବର୍ଗରେ ବିଭକ୍ତ କରାଯାଇଛି। ବର୍ଗ ଅନୁସାରେ ବସଷ୍ଟାଣ୍ଡରେ ପ୍ରବେଶ କର ପ୍ରତି ବସ ପିଛା ୬ ଘଣ୍ଟା ପାଇଁ ୨୦ରୁ ୫୦ଟଙ୍କା, ୧୨ ଘଣ୍ଟା ପାଇଁ ୨୦ରୁ ୭୫ ଟଙ୍କା, ୨୪ ଘଣ୍ଟା ପାଇଁ ୫୦ରୁ ୧୫୦ ଟଙ୍କା ଆଦାୟ ହେବ। ସେହିଭଳି ମୋଟର ସାଇକଲ, ଅଟୋ ଓ କାର ଆଦି ୪ ଚକିଆଯାନ ପାଇଁ ମଧ୍ୟ ୧୦ଟଙ୍କାରୁ ୧୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି। ଏହି ଫି ଆଦାୟ ଓ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯିବ। ବସଷ୍ଟାଣ୍ଡ ଗୁଡ଼ିକର ଗହଳି, ଯାନବାହାନ ଆତାୟାତର ସଂଖ୍ୟା ଆଦି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦିଆଯାଇଛି। ବର୍ତମାନ ପ୍ରଶ୍ନଉଠୁଛି, ଖୋର୍ଦ୍ଧାରେ ଥିବା ବସଷ୍ଟାଣ୍ଡର ଅବସ୍ଥା ଯାହା ତାହା ପ୍ରାୟ ଦୁଇ ଦଶନ୍ଧୀ ଧରି ବଦଳି ନାହିଁ। ଏହାର ଭିତ୍ତିଭୂମିର ବିକାଶ ପାଇଁ ବିଡିଏ ଖୋର୍ଦ୍ଧା ପୌର ପରିଷଦକୁ ଦୋଷ ଦେଉଥିବା ବେଳେ ପୌର ପରିଷଦ ବିଡିଏକୁ ଚିଠି ଲେଖି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଉଛି।
/sambad/media/post_attachments/wp-content/uploads/2023/02/new-bus-stand-khordha-5.jpg)
ବସଷ୍ଟାଣ୍ଡରେ ପାନୀୟ ଜଳର ସୁବିଧା ନଥିବା ବେଳେ ସେଠାରେ ଥିବା ସୁଲଭ ଶୌଚାଳୟଟି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିରୁଜି ଯାଇ ବର୍ତ୍ତମାନ ନିଶାଡ଼ି ଓ ବ୍ରାଉନସୁଗାର କାରବାର ପେଣ୍ଠ ପାଲଟିଛି। ଖୋର୍ଦ୍ଧା-ନୟାଗଡ଼ ରୋଡ଼ରେ ଥିବା ପୁରୁଣା ବସଷ୍ଟାଣ୍ଡରୁ ନୂଆ ବସଷ୍ଟାଣ୍ଡକୁ ସ୍ଥାନାନ୍ତର ହେବା ସମୟରେ ଯେଉଁ କେତେକ ଦୋକାନଘର ନିର୍ମାଣ କରାଯାଇଥିଲା ସେଗୁଡ଼ିକ ବର୍ତମାନ ବିଦ୍ୟୁତ୍ ସଂଯୋଗ ଅଭାବରୁ ବନ୍ଦ ପଡ଼ିଛି। ବସଷ୍ଟାଣ୍ଡର ପ୍ରମୁଖ ସ୍ଥାନକୁ ଛାଡ଼ି ଅନ୍ୟସ୍ଥାନରେ ବିଜୁଳି ଆଲୁଅର ବ୍ୟବସ୍ଥା ନାହିଁ। ପରିସ୍ଥିତି ଏଭଳି ରାତି ୯ଟା ପରେ କୌଣସି ଲୋକ ସେଠାରେ ନିରାପଦରେ ବସକୁ ଅପେକ୍ଷା କରିବା ଏକ ଅସମ୍ଭବ ବ୍ୟାପାର ଅଟେ। କିଛି ବର୍ଷ ପୂର୍ବେ ଖୋର୍ଦ୍ଧା ବସଷ୍ଟାଣ୍ଡର ବିକାଶ ପାଇଁ ଆବଶ୍ୟକ ସ୍ଥାନର ଅଭାବକୁ ଦୃଷ୍ଟିରେ ରଖି ଏହାକୁ ତୋଟାପଡ଼ା ନିକଟ ଖୋର୍ଦ୍ଧା ରେଳଷ୍ଟେସନ ନିକଟକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଥିଲା। ତେବେ ଖୋର୍ଦ୍ଧା ସହର ଠାରୁ ଏହା ୪-୫ କିମି ଦୂରରେ ଥିବାରୁ ଏଠାକୁ ସ୍ଥାନାନ୍ତର ପାଇଁ କେତେକ ମହଲରୁ ବିରୋଧ ହେବା ପରେ ଏହି ଯୋଜନା ଆଉ ଆଗକୁ ବଢ଼ିନଥିଲା। ବର୍ତ୍ତମାନ ଚଳନ୍ତି ବସଷ୍ଟାଣ୍ଡର ଆବଶ୍ୟକ ଭିତ୍ତିଭୂମିର ବିକାଶ ପ୍ରତି ପ୍ରଶାସନ କୌଣସି ଉଦ୍ୟମ ନକରି ଫି ଆଦାୟ ପାଇଁ ବ୍ୟବସ୍ଥା କରୁଥିବାକୁ ନେଇ ସହରର ବିଭିନ୍ନ ସାମାଜିକ ସଂଗଠନ ଓ ବୁଦ୍ଧିଜୀବୀ ମହଲରୁ ବିରୋଧ ଆରମ୍ଭ ହୋଇଛି।