ମାଲକାନଗିରିରେ ବିରୋଧୀଙ୍କ ଅଭିଯୋଗ: ସରକାରୀ କର୍ମଚାରୀ ଶାସକ ଦଳର ପ୍ରଚାରକ ସାଜିଛନ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ତ୍ରିସ୍ତରୀୟ ନିର୍ବାଚନ ପ୍ରଚାର ଜୋର ଧରିଛି। ତିନି ପ୍ରମୁଖ ଦଳ ସ୍ବାଧୀନ ଏବଂ ଅନ୍ୟ ଦଳର ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳରେ ଘରକୁ ଘର ବୁଲି ପ୍ରଚାର ଅଭିଯୋଗ ଚଳାଇଛନ୍ତି। ଏହି ଭିତରେ ଆଜି ଜିଲ୍ଲା କଂଗ୍ରେସ ଏବଂ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଶାସକ ଦଳ ବିରୋଧରେ ଗର୍ଜିଛନ୍ତି। ଜିଲ୍ଲାର କିଛି ସରକାରୀ କର୍ମଚାରୀ ଶାସକ ଦଳର ପ୍ରଚାରକ ଭାବେ କାମ କରୁଥିବା କଂଗ୍ରେସ ଆଜି ଅଭିଯୋଗ କରିଥିଲା।

ସାମ୍ବାଦିକ ସମ୍ମିଳନୀରେ ଅବଜରଭର ଭୁଜବଳ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ବରିଷ୍ଠ ନେତା ଶରତ ଚନ୍ଦ୍ର ବୁରୁଦା, ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, କେଶୁ ରାଓ, ଚିଟି ବାବୁ, ଛବି ନାୟକ, ପ୍ରାଣକୃଷ୍ଣ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ। କଂଗ୍ରେସ ଅଭିଯୋଗ କରିଥିଲା ଯେ ପୁଲିସ ଏଏସଆଇ ଜୟଦାଶ ଖରା, ଶିକ୍ଷକ ସହଦେବ ନାୟକ, ମେଡିକାଲ ଅଫିସର ଅମୀୟ କୁମାର ସ୍ବାଇଁ, ପୋଷ୍ଟମ୍ୟାନ ପିତାମ୍ବର ଖେମୁଡୁ ପ୍ରମୁଖ ଶାସକ ଦଳର ପ୍ରଚାର କରୁଛନ୍ତି।

ସରକାରଙ୍କ ନିୟମ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ପ୍ରଚାର କାର୍ଯ୍ୟରେ ଲିପ୍ତ ରହିବା କଥା ନୁହେଁ।କିନ୍ତୁ ମାଲକାନଗିରିରେ ଏହାର ବିଚ୍ୟୁତ ଦେଖାଦେଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କଂଗ୍ରେସ ଅନୁରୋଧ କରିଛି ଯେ ଏହି ସରକାରୀ କର୍ମଚାରୀ ମାନଙ୍କ ବିରୋଧରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନଚେତ କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଶାସକ ଦଳରେ ଅସାମାଜିକ ବ୍ୟକ୍ତିମାନେ ରହିବା ସହ ପ୍ରଚାର କାର୍ଯ୍ୟ କରୁଥିବା କଂଗ୍ରେସ ଅଭିଯୋଗ କରିଥିଲା।

ସେହିପରି ବିଜେପି ତରଫରୁ ଅଭିଯୋଗ କରାଯାଇଛି ଯେ ଶାସକ ଦଳର ନେତା ମାନେ କାଲିମେଳା ବ୍ଲକର ଜୋନ-୩ର ଗୁମକା ପଞ୍ଚାୟତ ଅନ୍ତର୍ଗତ ତାଟିଗୁଡା ଗ୍ରାମରେ ଟଙ୍କା ବାଣ୍ଟୁଥିବା ଦୃଶ୍ୟକୁ ଦେଖାଇ କିପରି ଶାସକ ଦଳ ନିର୍ବାଚନ ଆଚରଣ ବିଧିକୁ ଉଲଙ୍ଘନ କରୁଛନ୍ତି ଅଭିଯୋଗ କରିଥିଲେ। ଏନେଇ ନିର୍ବାଚନ ଅଧିକାରୀ ମାନେ ଗୁରୁତ୍ବ ଦେବା ପାଇଁ ଦାବି କରିଛି। ତେବେ ଦୁଇ ବିରୋଧୀ ଦଳ ଶାସକ ଦଳ ବିଜେଡିକୁ ଆଜି ଘେରିଥିଲା। ବିଜେଡି ହାରିବାର ଭୟରେ ଟଙ୍କା ବାଣ୍ଟିବା ସହ ସରକାରୀ କର୍ମଚାରୀଙ୍କୁ ମଧ୍ୟ ପ୍ରଚାର କାର୍ଯ୍ୟରେ ଲଗାଉଥିବା ଅଭିଯୋଗ କରିଥିଲେ। ତେବେ ଏନେଇ ବିଜେଡିର ବରିଷ୍ଠ ନେତା ରାଜେନ୍ଦ୍ର ପଣ୍ଡାଙ୍କୁ ପଚାରିବାରୁ ସେ କାହାକୁ ଟଙ୍କା ବାଣ୍ଟି ନଥିବା କହିବା ସହ ଆଦିବାସୀ ପରମ୍ପରାରେ ଢେମସା ନାଚ କରିବା ପରେ ଖୁସିରେ କିଛି ଟଙ୍କା ତାଙ୍କୁ ଦିଆଯାଇଥାଏ। ମହିଳା ମାନେ ଢେମସା ନାଚ କରି ଥାଳିରେ କିଛି ଟଙ୍କା ପକାଇବାକୁ ଅନୁରୋଧ କରିବା ପରେ ତାଙ୍କୁ ଖୁସିରେ କିଛି ଦିଆଯାଇଥିଲା। ନିର୍ବାଚନ ପାଇଁ ଟଙ୍କା ଶାସକ ଦଳ ବାଣ୍ଟୁନଥିବା ସେ କହିଥିଲେ। ଅନ୍ୟଦଳ ମାନେ ୨ ହଜାର ଟଙ୍କିଆ ନୋଟ ବାଣ୍ଟୁଥିବା ସିଧାସଳଖ ଅଭିଯୋଗ କରିଥିଲେ। ସେହିପରି କୌଣସି ସରକାରୀ କର୍ମଚାରୀ ଶାସକ ଦଳ ପାଇଁ ପ୍ରଚାର କରୁନଥିବା ଯୁକ୍ତି ବାଢିଥିଲେ। ଶାସକ ଦଳ ନାମରେ ମିଥ୍ୟା ପ୍ରଚାର କରି ବିରୋଧୀ ନିର୍ବାଚନୀ ଡଙ୍କା ପାର ହେବେ ବୋଲି ଯେଉଁ ଆଶା ରଖିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ସାବ୍ୟସ୍ତ ହେବ ବୋଲି ଶାସକ ଦଳର ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର