ବାରିପଦା: ଆସନ୍ତା ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜୁରାଟରେ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ୩୬ତମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୩୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖେଳାଳି ଭାଗ ନେବେ। ୨୨ଟି ଇଭେଣ୍ଟରେ ଓଡ଼ିଶାର ପୁରୁଷ ଓ ମହିଳା ଖେଳାଳି ଅଂଶଗ୍ରହଣ କରିବେ। ସେଥିରୁ ଓଡ଼ିଶା ମହିଳା ରଗ୍‌ବୀ ଦଳରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲ୍ଲାର ପାର୍ବତୀ ହାଁସଦା। ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମିର ଖେଳାଳି ତଥା ଏମ୍‌ପିସି ମାଧ୍ୟମିକ ପରିଷଦ ସ୍କୁଲର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀ ପାର୍ବତୀଙ୍କ ଘର ବାରିପଦା ବ୍ଲକ୍‌ର ଭୂରୁଡୁବଣି ଗ୍ରାମରେ।

Advertisment

ଦାଶରଥି ହାଁସଦାଙ୍କ ସାନ ଝିଅ ପାର୍ବତୀ ୨୦୧୭ ମସିହାରୁ ରଗ୍‌ବୀ ଖେଳ ଆରମ୍ଭ କରିଥିଲେ। ସେ ୨୦୧୮ରେ ସବ୍ ଜୁନିୟର, ୨୦୨୧ ଓ ୨୦୨୨ରେ ଜୁନିୟର ବର୍ଗରେ ଓଡ଼ିଶାର ପ୍ରତିନିଧିତ୍ବ କରିଛନ୍ତି। ୨୦୨୧ରେ ୧୮ ବର୍ଷରୁ କମ୍ ଭାରତୀୟ ଚୟନ ଶିବିରରେ ଶ୍ରେଷ୍ଠ ୨୦ ଜଣକ ମଧ୍ୟରେ ବି ସାମିଲ ହୋଇଥିଲେ। ଏବେ ଜାତୀୟ ରଗ୍‌ବୀ ଖେଳାଳି ତଥା ଆନ୍ତର୍ଜାତୀୟ ରେଫରୀ ଦିବ୍ୟରଞ୍ଜନ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମିରେ ରହି ପ୍ରଶିକ୍ଷଣ ନେଉଛନ୍ତି। ପାର୍ବତୀ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ରାଜ୍ୟ ପାଇଁ ଗୌରବ ଆଣିବେ ବୋଲି ତାଙ୍କ ଶୁଭେଚ୍ଛୁମାନେ‌ ଆଶାବାଦୀ ଅଛନ୍ତି।