ରାୟଗଡ଼ାରେ ଖସୁଛି ମାଟ୍ରିକ୍ ପାସ୍ ହାର୍: ୪ ବର୍ଷରେ କମିଛି ୧୯ ପ୍ରତିଶତ, ୧୨୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ

ଠିକ୍ ସମୟରେ ସରୁନି ପାଠପଢ଼ା, ଖାଲି ପଡ଼ିଛି ୨୫୮ ଶିକ୍ଷକ ପଦବି

ରାୟଗଡା(ନବୀନ ଚନ୍ଦ୍ର ସାହୁ): ଜିଲ୍ଲାର ୧୨୮ ହାଇସ୍କୁଲରେ ନାହାନ୍ତି ପ୍ରଧାନ ଶିକ୍ଷକ। ୨୫୮ ଶିକ୍ଷକ ପଦବି ମଧ୍ୟ ଖାଲି ପଡ଼ିଛି। ମଧ୍ୟାହଣ୍ ଭୋଜନ ଦାୟିତ୍ବ, ସରକାରୀ କାର୍ଯ୍ୟକ୍ରମରେ ଶିକ୍ଷକଙ୍କୁ ନିୟୋଜିତ କାରଣରୁ ବର୍ଷ ଶେଷ ସୁଦ୍ଧା ସରୁନି ପାଠପଢ଼ା। ଯେଉଁଥି ପାଇଁ ରାୟଗଡ଼ା ଜିଲ୍ଲାରେ ଖସୁଛି ମାଟ୍ରିକ୍ ପାସ୍ ହାର୍। ଗତ ୪ ବର୍ଷରେ ପାସ୍ ହାର୍ ୧୯ ପ୍ରତିଶତ ଖସିବା ସହ ଚଳିତ ବର୍ଷ ରାଜ୍ୟରେ ସର୍ବନିମ୍ନ ପାସ୍ ହାରରେ ରାୟଗଡ଼ା ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି।

୨୦୧୫-୧୬ ଶିକ୍ଷାବର୍ଷରେ ରାୟଗଡ଼ା ଜିଲ୍ଲାର ପାସ୍ ହାର୍ ୮୩.୨୨ ପ୍ରତିଶତ ଥିଲା। ୨୦୧୬-୧୭ରେ ପାସ୍ ହାର ବୃଦ୍ଧି ପାଇ ୮୮.୮୧ ପ୍ରତିଶତରେ ପହଞ୍ଚିଥିଲା। ୨୦୧୭-୧୮ରେ ପାସ୍ ହାର ୧୭ ପ୍ରତିଶତ କମି ୭୧.୪୧କୁ ଖସି ଆସିଥିଲା। ୨୦୧୮-୧୯ରେ ମଧ୍ୟ ପାସ୍ ହାର୍ ବଢ଼ିବା ବଦଳରେ ପୂର୍ବ ବର୍ଷ ତୁଳନାରେ ୧୧ ପ୍ରତିଶତ କମିଥିଲା। ୯୯୬୮ ପରୀକ୍ଷାର୍ଥୀଙ୍କୁ ମଧ୍ୟରୁ ୩୮୯୧ ଫେଲ୍ ହୋଇଥିବା ବେଳେ ରାଜ୍ୟ ପାସ୍ ହାର୍ ତାଲିକାରେ ରାୟଗଡ଼ା ୨୫ ନଂ ସ୍ଥାନରେ ରହିଥିଲା। କେବଳ ଏତିକି ନୁହେଁ, ଜିଲ୍ଲାର ୮ ସ୍କୁଲରୁ ଜଣେ ବି ଛାତ୍ର ମାଟ୍ରିକ୍ ପାସ୍ କରିବାରେ ସକ୍ଷମ ହୋଇନଥିଲେ। ନୈରାଶ୍ୟଜନକ ପାସ୍ ହାରକୁ ନେଇ ଉଚ୍ଚ ଶିକ୍ଷା ବିଭାଗ ସ୍ତରରେ ତନାଘନା ପରେ ଚଳିତ ବର୍ଷ ପାସ୍ ହାରରେ ବୃଦ୍ଧି ଘଟିଛି।

୨୦୧୯-୨୦ ଶିକ୍ଷାବର୍ଷରେ ପାସ୍ ହାର ୯ ପ୍ରତିଶତ ବୃଦ୍ଧି ସତ୍ତ୍ବେ ରାଜ୍ୟସ୍ତରରେ ସର୍ବନିମ୍ନ ପାସ ହାରରେ ରାୟଗଡ଼ା ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଜିଲ୍ଲାର ପାସ୍ ହାର ଚଳିତ ବର୍ଷ ୬୦.୮୯ ଥିବା ବେଳେ ଏ-୧ ଗ୍ରେଡରେ ମାତ୍ର ୫ ଜଣ ପରୀକ୍ଷାର୍ଥ ରହିଛନ୍ତି। ସେଥିମଧ୍ୟରୁ ଜିଲ୍ଲା ଟପର୍ ହୋଇଥିବା ଛାତ୍ର କାଶୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର। ଅନ୍ୟପକ୍ଷରେ ଚଳିତ ବର୍ଷ ୩୦୬୦ ଛାତ୍ରଛାତ୍ରୀ ପରୀକ୍ଷାରେ ଫେଲ୍ ହୋଇଛନ୍ତି। ଏ-୧ ଗ୍ରେଡରେ ୫, ଏ-୨ ଗ୍ରେଡରେ ୬୫, ବି-୧ ଗ୍ରେଡରେ ୧୩୮, ବି-୨ ଗ୍ରେଡରେ ୨୫୧, ସି ଗ୍ରେଡରେ ୧୩୮, ଡି ଗ୍ରେଡରେ ୧୨୫୯, ଇ ଗ୍ରେଡରେ ସର୍ବାଧିକ ୪୮୫୬ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି। ମାଲ୍ ପ୍ରାକ୍ଟିସ୍ ଯୋଗୁ ୨୨ ପରୀକ୍ଷାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇନି। ଏପରି ଭାବେ ରାୟଗଡ଼ା ଜିଲ୍ଲାରେ ଖସି ଚାଲିଛି ମାଟ୍ରିକ୍ ପାସ୍ ହାର୍। ସମୟକ୍ରମେ ସରକାରୀ ସ୍କୁଲ ପାସ୍ ହାର୍ ନୈରାଶ୍ୟଜନକ ହେବା ସହ ପ୍ରତି ବର୍ଷ ୩୦ରୁ ୩୨ ପ୍ରତିଶତ ପିଲା ଫେଲ୍ ହେଉଛନ୍ତି। ଏ-୧ ଗ୍ରେଡରେ ସରକାରୀ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଭାଗିଦାରୀ କମିବା ସହ ଗତ ୨ ବର୍ଷ ହେଲା ସଂଖ୍ୟା ୫ରୁ ଉପରକୁ ଉଠି ପାରୁନି।

ବିଭାଗୀୟ ସୂଚନା ମୁତାବକ, ଜିଲ୍ଲାରେ ୧୩୨ଟି ହାଇସ୍କୁଲ୍ ଥିବାବେଳେ ମାତ୍ର ୪ଟି ସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଅଛନ୍ତି। କଲ୍ୟାଣସିଂହପୁର ବ୍ଲକର ଶିକରପାଇ, ବିଷମକଟକ ବ୍ଲକର କୁମ୍ଭାରଢାମୁଣି ଓ ଗୁଣପୁର ବ୍ଲକର ଜଲତାର, ଚାଲକମ୍ବା ହାଇସ୍କୁଲରେ ସ୍ଥାୟୀ ପ୍ରଧାନ ଶିକ୍ଷକ କାର୍ଯ୍ୟରତ ଅଛନ୍ତି। ଅନ୍ୟ ୧୨୮ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି। ସେହିପରି ଉପରୋକ୍ତ ବିଦ୍ୟାଳୟରେ ୮୫୭ ସହକାରୀ ଶିକ୍ଷକଙ୍କ ବଦଳରେ ୫୯୯ ଶିକ୍ଷକ ଅଛନ୍ତି। ୨୫୮ ଶିକ୍ଷକଙ୍କ ପଦବି ଖାଲି ପଡ଼ିଛି। ଜିଲ୍ଲାର ଉଚ୍ଚ ମାଧ୍ୟମିକ ସ୍କୁଲ (୯ମ ଓ ୧୦ମ ଶ୍ରେଣୀ) ରେ ୨୨ ହଜାରରୁ ଉର୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସ୍ଥାୟୀ ପ୍ରଧାନ ଶିକ୍ଷକ ସାଙ୍ଗକୁ ଖାଲି ପଡିଥିବା ସହକାରୀ ଶିକ୍ଷକ ପଦବି ପୂରଣ ହେଉନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି।

ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ସର୍ଭେ ଅନୁଯାୟୀ, ଜିଲ୍ଲାର ଅପହଞ୍ଚ ଓ ଦୁର୍ଗମ ଇଲାକାରେ ଥିବା ସ୍କୁଲ୍ ଗୁଡ଼ିକୁ ଶିକ୍ଷକ ପାଳି କରି ଯାଉଛନ୍ତି। ସେହିପରି ବହୁ ସ୍କୁଲକୁ ଶିକ୍ଷକ ବିଳମ୍ବରେ ପହଞ୍ଚି ସ୍କୁଲ୍ ଛୁଟି ପୂର୍ବରୁ ପଳାଇ ଆସିବା, ପାଠପଢ଼ା ବଦଳରେ ମୋବାଇଲରେ ବ୍ୟସ୍ତ ରହିବା ପାସ୍ ହାର୍ କମିବାର ମୁଖ୍ୟ କାରଣ। କେବଳ ଦୁର୍ଗମ, ଅପହଞ୍ଚ ଇଲାକା କାହିଁକି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ ଥିବା ସରକାରୀ ହାଇସ୍କୁଲ୍ ଗୁଡ଼ିକରେ ଗତ ୨ ବର୍ଷ ହେଲା ଜଣେ ବି ଛାତ୍ର ୯୦ ପ୍ରତିଶତ ମାର୍କ ରଖିବାରେ ସକ୍ଷମ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର