ମଝି ଚିଲିକାରେ ଅଟକିଲା ଭସାପୋଲ, ଫସିଲେ ୧୧୫ ଯାତ୍ରୀ

ବ୍ରହ୍ମଗିରି: ଚିଲିକା ମଝିରେ ଆଜି ଦୀର୍ଘ ସମୟ ଯାଏଁ ଭସାପୋଲ ଅଟକି ରହିଛି। ଝିପିଝିପି ବର୍ଷା ସାଙ୍ଗକୁ ପବନ ପାଇଁ ଏକ ଭସାପୋଲ ଚାନେଲରୁ ବାହାରି ଯାଇଥିବାରୁ ୧୧୫ ଜଣ ଯାତ୍ରୀ ଭୟଭୀତ ହୋଇଯାଇଛନ୍ତି। ମାତ୍ର ସୂଚନା ମିଳିବା ପରେ ଅନ୍ୟ ଏକ ଭସାପୋଲ ଦ୍ୱାରା ଫସିଥିବା ଭସାପୋଲକୁ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସାତପଡ଼ା ଠାରୁ ଆଜି ଅପରାହ୍ନ ୪ଟା ୧୫ରେ ଏକ ଭସାପୋଲ ଛାଡ଼ିଥିଲା। ଏହି ଭସାପୋଲଟି ଜହ୍ନିକୁଦାରେ ପହଞ୍ଚିବାର ଥିଲା। ଏଥିରେ ମୋଟ ୧୧୫ ଜଣ ଲୋକ ଥିଲେ। ମାତ୍ର ପବନର ସ୍ରୋତ ଯୋଗୁଁ ମହିଷାକୁଦ ନିକଟରେ ଭସାପୋଲଟି ଚାନେଲରୁ ବାହାରିଯାଇଥିଲା। ଭାସାପୋଲରେ ଗୋଟିଏ ବସ, ୪ଟି ଚାରିଚକିଆ ବାହନ ଏବଂ ୧୫ଟି ମୋଟର ସାଇକେଲ ଥିଲା।

ମଝି ଚିଲିକାରେ ଭସାପୋଲ ଫସିଯିବା ପରେ ଏକ ରେସ୍କ୍ୟୁ ଭସାପୋଲ ଘଟଣାସ୍ଥଳରେ ପହଞ୍ଚି ଫସିଥିବା ଉଦ୍ଧାର କରିଥିଲା ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସାତପଡ଼ା ଠାରୁ ଜହ୍ନିକୁଦାକୁ ସ୍ଥଳପଥରେ ଗମାନଗମନ ବ୍ୟବସ୍ଥା ନ ଥିବାରୁ ଚିଲିକା ଜଳରେ ପ୍ରତି ଦିନ ୩-୩ ଥର ଭସାପୋଲ ଯିବା ଆସିବା କରିଥାଏ। ପ୍ରତି ଦିନ ପରି ଆଜି ମଧ୍ୟ ସାତପଡ଼ାରୁ ଭସାପୋଲ ଜହ୍ନିକୁଦା ଅଭିମୁଖେ ବାହାରି ଥିଲା। ସ୍ଥାନୀୟ ଲୋକଙ୍କ ପାଇଁ ଗମନାଗମନର ଏକ ଶ୍ରେଷ୍ଠ ମାଧ୍ୟମ ହେଉଛି ଭସାପୋଲ।

ସମ୍ବନ୍ଧିତ ଖବର