ପ୍ରତିଶ୍ରୁତିକୁ ପୂରିଗଲାଣି ବର୍ଷେ: ଚାଲିନି ପାସେଞ୍ଜର ଟ୍ରେନ୍‌, ବଢ଼ୁଛି ଅସନ୍ତୋଷ

ମହାକାଳପଡ଼ା: ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣ ପରଠାରୁ ସ୍ଥାନୀୟ ଲୋକେ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ ପାଇଁ ଦାବି କରିଆସୁଛନ୍ତି। ଏହି ଦାବିନେଇ ଆନ୍ଦୋଳନ ମଧ୍ୟ କରାଯାଇଛି। ଏହାପରେ ପାସେଞ୍ଜର୍‌ ଟ୍ରେନ୍‌ ଚଳାଚଳ ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିଛି। ହେଲେ, ପ୍ରତିଶ୍ରୁତିକୁ ବର୍ଷେ ପୂରି ଯାଇଥିଲେ ମଧ୍ୟ ଦାବି ପୂରଣ ହେଉ ନ ଥିବାରୁ ଅଞ୍ଚଳରେ ପୁନର୍ବାର ଅସନ୍ତୋଷ ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ପ୍ରକାଶଥାଉ କି, ଦୀର୍ଘବର୍ଷର ପ୍ରତୀକ୍ଷା ପରେ ଗତ ୨୦୨୦ ମସିହାରେ ପାରାଦୀପ-ହରିଦାସପୁର ରେଳପଥ ନିର୍ମାଣକାର୍ଯ୍ୟ ପୂର୍ଣ୍ଣାଙ୍ଗ ହୋଇଥିଲା। ସେହିବର୍ଷ ଜୁଲାଇ ୩୧ ତାରିଖରେ ପାରାଦୀପରୁ ପ୍ରଥମ କରି ଏକ ମାଲବାହୀ ଟ୍ରେନ୍‌ ବାହାରି ହରିଦାସପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ହେଲେ, ମହାକାଳପଡ଼ା ବ୍ଲକ୍‌ର ନୂଆଗାଁ ଷ୍ଟେସନ୍‌ରେ ଅଞ୍ଚଳବାସୀ ଟ୍ରେନ୍‌ଟିକୁ ଅଟକାଇ ଦେଇଥିଲେ। ଉକ୍ତ ରେଳପଥ ଦେଇ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ସେମାନେ ଦାବି କରିଥିଲେ। ଦୀର୍ଘ ସମୟ ଟ୍ରେନ୍‌ ଅଟକି ରହିବା ପରେ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ଏହାସତ୍ତ୍ବେ ସ୍ଥାନୀୟ ଲୋକେ ଟ୍ରେନ୍‌ ଆଗକୁ ବଢ଼ିବାକୁ ଦେଇ ନ ଥିଲେ। ଫଳରେ ମାଲବାହୀ ଟ୍ରେନ୍‌ଟି ପାରାଦୀପ ଫେରି ଯାଇଥିଲା। ଏହାପରେ କିଛିଦିନ ଧରି ଟ୍ରେନ୍‌ ଚଳାଚଳ ନେଇ ଅନିଶ୍ଚିତତା ଲାଗି ରହିଥିଲା। ତେବେ ତତ୍କାଳୀନ କେନ୍ଦ୍ରାପଡ଼ା ଜିଳ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗତବର୍ଷ ଅଗଷ୍ଟ ୧୧ ତାରିଖରେ ଏକ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସମେତ ପାରାଦୀପ ପୋର୍ଟର ଅଧ୍ୟକ୍ଷ ତଥା ଏସ୍‌ପିଭି କମ୍ପାନିର ନିର୍ଦ୍ଦେଶକ ରିଙ୍କେଶ ରାୟ ବୈଠକରେ ଯୋଗଦେଇ ଟ୍ରେନ୍‌ ଚଳାଚଳ ନେଇ ଆଲୋଚନା କରିଥିଲେ। ସରକାରଙ୍କ ପକ୍ଷରୁ ଗଠିତ କମ୍ପାନି ଯାତ୍ରୀବାହୀ ଟ୍ରେନ୍‌ ଚଳାଇ ଦେବ ନାହିଁ ବୋଲି ଲୋକଙ୍କ ଧାରଣାରେ କୌଣସି ସତ୍ୟତା ନାହିଁ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତେବେ କେତେକ ସର୍ବନିମ୍ନ କାର୍ଯ୍ୟ ପରେ ଉକ୍ତ ରୁଟ୍‌ରେ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ ବୋଲି ଶ୍ରୀ ରାୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଇତିମଧ୍ୟରେ ଏକବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପାଖରୁ ମିଳିଥିବା ପ୍ରତିଶ୍ରୁତି ପାଣିରେ ଗାର ସଦୃଶ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଅଞ୍ଚଳରେ ପୁନର୍ବାର ଜନଅସନ୍ତୋଷ ତେଜିବାରେ ଲାଗିଥିବା ଜଣାଯାଇଛି। ଏ ସମ୍ପର୍କରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ କହିଛନ୍ତି ଯେ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ରେଳବାଇ ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିବା ସାଂସଦ ଅଶ୍ବିନୀ ବୈଷ୍ଣବଙ୍କ ଉପରେ କେନ୍ଦ୍ରାପଡ଼ାବାସୀଙ୍କ ଆଶା ଓ ଭରସା ରହିଛି। ସେ ନିଶ୍ଚୟ ଏ ଦିଗରେ ସମୟୋପଯୋଗୀ ପଦକ୍ଷେପ ନେବେ ବୋଲି ବିଧାୟକ ଶ୍ରୀ ନାୟକ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର