ପାଟ ଶିଳ୍ପକୁ କରୋନା ମାଡ଼: ସ୍ବାଭାବିକ ହୋଇନି ବଜାର, ପଡ଼ିରହିଛି ୫୦ ଲକ୍ଷର ପାଟବସ୍ତ୍ର

ବ୍ରହ୍ମପୁର: ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁର ପାଟ ଶିଳ୍ପ ଉପରେ ପଡ଼ିଛି କରୋନା ଛାଟ। ଲଗାତାର ଭାବେ ପ୍ରଥମ ଓ ଦ୍ବିତୀୟ ଲହର କରୋନା ସଂକ୍ରମଣରେ ଏହି ପ୍ରସିଦ୍ଧ ପାଟ ଶିଳ୍ପ ଏକପ୍ରକାର ଛାରଖାର ହୋଇଯାଇଛି। ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ ଏହି ବୃତ୍ତିରେ ଥିବା କାରିଗର ସେମାନଙ୍କ ପେଟପାଟଣା ପାଇଁ କାମ କରୁଥିଲେ ହେଁ ଏହା ଅବିକ୍ରି ହୋଇ ପଡିରହିଛି। ଲକ୍ଷଲକ୍ଷ ଟଙ୍କାର ପାଟ ଶାଢ଼ୀ ବିକ୍ରି ନହୋଇ ପଡିରହିବା ଫଳରେ ଏହାର ପ୍ରଭାବ ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ ପଡିଛି। କରୋନା ଯୋଗୁଁ ଦୋକାନ ବଜାର ବନ୍ଦ, ଗ୍ରାହକ ନାହାନ୍ତି କି ବାହାରକୁ ରତ୍ପାନି ହୋଇପାରୁନାହିଁ। ପରିଶ୍ରମ କରି ଯାହା ବୁଣାଯାଉଛି ତାହା ଥାକ ଥାକ ହୋଇ ପଡିରହିଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଏବେ ପାଟ ବୁଣାକାର ମୁଣ୍ଡରେ ହାତ ଦେଇ ବସିଛନ୍ତି।

ବ୍ରହ୍ମପୁର ପାଟର ରାଜ୍ୟ ତଥା ଦେଶ ଓ ଦେଶ ବାହାରେ ସ୍ବତନ୍ତ୍ର ଆଦର ରହିଛି। ଏହାର ଚାହିଦା ବର୍ଷ ତମାମ ରହିଥାଏ। ତେବେ କରୋନା ସବୁକିଛି ଗୋଳମାଳ କରିଦେଇଛି। କରୋନା ପ୍ରଥମ ଲହର୍‌ର କ୍ଷତି ଭରଣା ନହେଉଣୁ ଦ୍ବିତୀୟ ଲହର୍ ଦାଉ ସାଧିଛି। ବ୍ରହ୍ମପୁର ସହରରେ ଥିବା ତିନୋଟି ସମବାୟ ସମିତି ଅଧିନରେ ବୁଣାକାର ମାନେ ରହି କାମ କରିବା ସହ କିଛି ବୁଣାକାର ନିଜେ କାମ କରି ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରିଥାନ୍ତି। ସମବାୟ ସମିତି ଅଧିନରେ ଥିବା ବୁଣାକାର ମାନେ ପ୍ରଥମ ଲହର ବେଳେ ଯଦିଓ ବିଶେଷ ପ୍ରଭାବିତ ହୋଇନଥିଲେ ତେବେ ବିକ୍ରିବଟା ବନ୍ଦ ରହିବା ଯୋଗୁଁ ତିନି ସମବାୟ ସମିତିର ପ୍ରାୟ ୭୦ ଲକ୍ଷ ଟଙ୍କାର ପାଟ ବିକ୍ରି ନହୋଇ ଗଚ୍ଛିତ ରହିଯାଇଥିଲା। ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ଏଗୁଡିକ ବିକ୍ରି ହୋଇଯାଇଥିଲା।

ଏବେ ଦ୍ବିତୀୟ ଲହର୍‌ରେ ପ୍ରାୟ ଅଢ଼େଇ ମାସ ପୁଣି ବିକ୍ରି ପ୍ରଭାବିତ ହୋଇଯାଇଛି। ଲକ୍‌ଡାଉନ୍ ଆଂଶିକ କୋହଳ ହେବା ପରେ ବିକ୍ରିବଟା ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଏବେ ସହରର ତିନି ସମବାୟ ସମିତିରେ ପ୍ରାୟ ୫୦ଲକ୍ଷ ଟଙ୍କାର ରେଶମ ବସ୍ତ୍ର ବିକ୍ରି ନହୋଇ ପଡ଼ି ରହିଛି। ସୂଚନା ମୁତାବକ ସୂତା ଏବଂ ପାଟ ସମବାୟ ସମିତି ଅଧୀନରେ ଏକଦା ୯୦ଜଣ ବୁଣାକାର ଥିବା ବେଳେ ଏବେ ମାତ୍ର ୧୫ଜଣ ବୁଣାକାର ପାଟ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଅଧିକାଂଶ ପୁରୁଷ ପିନ୍ଧା ଯୋଡ଼ ପ୍ରସ୍ତୁତ କରୁଥିବା ବେଳେ ଏବେ ସେଗୁଡ଼ିକର ଚାହିଦା ବିଶେଷ ନାହିଁ। ବିବାହ ଋତୁରେ ହିଁ ଏହାର ଚାହିଦା ଅଧିକ ଥାଏ। ଏହି ଯୋଡ଼ ସହ କିଛି ପାଟ ଶାଢ଼ୀ ବିକ୍ରି ନହୋଇ ପଡ଼ି ରହିଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ହେବ।

ସେହିପରି ବ୍ରହ୍ମପୁର ପାଟ ବୁଣାକାର ସମବାୟ ସମିତି ଲିଃ ଅଧୀନରେ ଏବେ ୨୨ଜଣ ବୁଣାକାର ପାଟ ବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଦ୍ବିତୀୟ ଲହର୍‌ ଯୋଗୁଁ ଯେତିକି ବସ୍ତ୍ର ବିକ୍ରି ହୋଇ ପାରିନଥିଲା, ଏବେ ସେଥିରୁ ମାତ୍ର ୨୦ପ୍ରତିଶତ ବିକ୍ରି ହୋଇଛି। ବଳକା ପ୍ରାୟ ୧୮ଲକ୍ଷ ଟଙ୍କାର ପାଟ ବସ୍ତ୍ର ଗଚ୍ଛିତ ଅଛି। ଚୌଡ଼େଶ୍ବରୀ ପାଟ ବୁଣାକାର ସହଯୋଗ ସମିତି ଲିଃ ଅଧୀନରେ ୨୩ଜଣ ବୁଣାକାର ପାଟବସ୍ତ୍ର ପ୍ରସ୍ତୁତ କରୁଛନ୍ତି। ଏହାର କର୍ମକର୍ତ୍ତାଙ୍କ କହିବା ମୁତାବକ ସେମାନେ ଲକ୍‌ଡାଉନ୍ ବେଳେ ନିୟମିତ ବ୍ୟବସାୟୀଙ୍କ ସହ ଅନ୍‌ଲାଇନ୍‌ରେ ଯୋଗାଯୋଗ କରି ପାର୍ସଲ୍ ଯୋଗେ ପାଟବସ୍ତ୍ର ବିକ୍ରି କରିବାରେ ସକ୍ଷମ ହୋଇଛନ୍ତି। ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର୍‌, କଟକ, ଭୁବନେଶ୍ବର ଭଳି ସହରର ବ୍ୟବସାୟୀଙ୍କୁ ଅନ୍‌ଲାଇନ୍‌ର ଉପଯୋଗ କରି ପାଟ ବିକ୍ରି କରିବାରେ ସଫଳ ହୋଇଛନ୍ତି। ତଥାପି ଏବେ ୧୨-୧୫ଲକ୍ଷ ଟଙ୍କାର ପାଟବସ୍ତ୍ର ବଳକା ଅଛି। ଏହା ବାଦ୍‌ ୪୦ରୁ ଅଧିକ ବୁଣାକାର ‌ପାଟ ବୁଣି ସହରର ବିଭିନ୍ନ ବ୍ୟବସାୟୀଙ୍କୁ ସିଧାସଳଖ ବିକ୍ରି କରିଥାନ୍ତି। କିନ୍ତୁ ସହରରେ ମାତ୍ର ୧୦ଦିନ ହେଲା ବଜାର ସ୍ବାଭାବିକ ‌ହୋଇଛି। ବିବାହ, ବ୍ରତ କିମ୍ବା ପାର୍ବଣ ଋତୁ ନଥିବାରୁ ପାଟର ଚାହିଦା କମ୍‌ ରହିଛି। ଏଭଳି ପ୍ରତ୍ୟେକ ବ୍ୟବସାୟୀଙ୍କ ପାଖରେ ଲକ୍ଷାଧିକ ଟଙ୍କାର ପାଟବସ୍ତ୍ର ବିକ୍ରି ନହୋଇ ଗଚ୍ଛିତ ଅଛି।

ପୁରୁଣା ବ୍ରହ୍ମପୁର ଅଂଚଳରେ ଥିବା ଡେରା ସମ୍ପ୍ରଦାୟର ବୁଣାକାରମାନେ ପୁରୁଷାନୁକ୍ରମେ ହାତ ବୁଣା ଯନ୍ତ୍ରରେ ରେଶମ ବସ୍ତ୍ର ପ୍ରସ୍ତୁତ କରି ଆସୁଛନ୍ତି। ପାଟ ଶାଢ଼ୀ, ପାଟ ଓଢ଼ଣୀ, ପୁରୁଷଙ୍କ ପାଇଁ ପାଟର ଜୋଡ଼ ଆଦି ହାତରେ ବୁଣିଥାନ୍ତି। ଏହି ପାଟବୁଣାରେ ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ନିୟୋଜିତ ହୋଇଥାନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ପାଟକୁ ସମ୍ପୃକ୍ତ ସମବାୟ ସମିତି କିମ୍ବା ବ୍ୟବସାୟୀଙ୍କୁ ଯୋଗାଇଥାନ୍ତି। ତେବେ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ମିଳୁଥିବାରୁ ବହୁ ବୁଣାକାର ପରିବାର ଏହି କୌଳିକ ବୃତ୍ତିକୁ ଛାଡ଼ି ଅନ୍ୟ ବୃତ୍ତି ଆପଣେଇଲେଣି। ଆଉ କିଛି କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଚାଲିଗଲେଣି। ଫଳରେ ଏକଦା ବ୍ରହ୍ମପୁରରେ ୩ଶହରୁ ଊର୍ଦ୍ଧ୍ବ ବୁଣାକର ଥିବା ବେଳେ ଏବେ ଏହି ସଂଖ୍ୟା ୧୦୭କୁ ଖସି ଆସିଲାଣି।

ସମ୍ବନ୍ଧିତ ଖବର