ଶ୍ରୀକ୍ଷେତ୍ରରୁ ଆସିଲା ପାଟଶାଢ଼ି, ୧୫ରେ ପ୍ରଭୁଙ୍କ ପ୍ରଳମ୍ବାସୁର ବଧବେଶ

କେନ୍ଦ୍ରାପଡ଼ା: ପୁରୀ ଶ୍ରୀକ୍ଷେତ୍ରରୁ ବଡ଼ଭାଇ ବଳଦେବଙ୍କ ପାଇଁ ଆସିଲା ପାଟ ବସ୍ତ୍ର। ତିନି ଖଣ୍ଡ ଏହି ପାଟ ଶାଢ଼ି ତୁଳସୀ କ୍ଷେତ୍ରାଧିପତି ବଳଦେବଜିଉଙ୍କ ପାଖେ ଲାଗି ହେବା ପରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଆସିଛି। ଆସନ୍ତା ୧୫ ତାରିଖ ଏକାଦଶୀରେ ପ୍ରଳମ୍ବାସୁର ବଧବେଶ ହେବ। ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉପ ପ୍ରଶାସକ(ଅର୍ଥ) ସୁଧୀର ରଞ୍ଜନ ବୋଷ, ସ୍ବତନ୍ତ୍ର ଅଧିକାରୀ ସରୋଜ କୁମାର ରାୟ, ନାଜର ବିମଳ କୁମାର କାମିଲା, ଡିଇଓ ସତ୍ୟନାରାୟଣ ପାତ୍ର ପ୍ରମୁଖ ପାଟବସ୍ତ୍ର ଧରି କେନ୍ଦ୍ରାପଡ଼ାରେ ପହ‌ିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଆଳତି ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହଦ୍ବାର ନିକଟକୁ ଏକ ଶୋଭାଯାତ୍ରାରେ ନିଆଯାଇ ବଡ଼ପଣ୍ତା ମାଧବ ପତ୍ରୀଙ୍କୁ ପ୍ରଦାନ କରାଯାଇଥିଲା। ଶୋଭାଯାତ୍ରାରେ ଶ୍ରୀବଳଦେବଜୀଉ ମନ୍ଦିର ପରିଚାଳନା ପରିଷଦର ଟ୍ରଷ୍ଟି ବଳରାମ ସୁଆର, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ରଞ୍ଜନ କୁମାର ପୃଷ୍ଟି, ମନ୍ଦିର ସୁପରଭାଇଜର ଟୁକୁ ପତ୍ରୀ, ମନ୍ଦିର ଗବେଷକ ସେବାୟତ ନିରଞ୍ଜନ ମେକାପ ପ୍ରମୁଖ ଉପସ୍ଥିତ ଥିଲେ।

ପୁରାଣ ଅନୁଯାୟୀ ଦ୍ବାପର ଯୁଗରେ ବଡ଼ଭାଇ ବଳରାମ ଓ ସାନଭାଇ ଶ୍ରୀକୃଷ୍ଣ(ଜଗନ୍ନାଥ) ଗୋପାଳ ବାଳକଙ୍କ ସହିତ ଖେଳୁଥିବା ବେଳେ କଂସ ମହାରାଜାଙ୍କ ଦ୍ବାରା ପ୍ରେରିତ ରାକ୍ଷସ ପ୍ରଳମ୍ବ ଚକ୍ରାନ୍ତ କରି ବଳରାମଙ୍କୁ କାନ୍ଧରେ ବସାଇ ମାରିଦେବାକୁ ନେଉଥିଲା। ମାତ୍ର ବଳରାମ ଏହା ଜାଣିପାରି ଅସୁର ପ୍ରଳମ୍ବାକୁ ନାଶ କରିଥିଲେ। ଅସୁର ମରିବା ଦେଖି ଅତି ଆନନ୍ଦିତ ହୋଇ ସାନଭାଇ ଶ୍ରୀକୃଷ୍ଣ ଜ୍ୟେଷ୍ଠଭାତା ବଳରାମଙ୍କ ମସ୍ତକରେ ନିଜ ପାଟ ଉତ୍ତରୀୟ ବାନ୍ଧି ଦେଇଥିଲେ। ଏହି ପୌରାଣିକ କଥାକୁ ନେଇ ସାନଭାଇ ଜଗନ୍ନାଥ(ଶ୍ରୀକୃଷ୍ଣ) ପ୍ରତିବର୍ଷ ଘନନୀଳ, ପୀତ ଓ ରକ୍ତ ବର୍ଣ୍ଣର ପାଟ ପ୍ରଳମ୍ବାସୁର ବେଶ ପାଇଁ ପଠାଇଥାନ୍ତି। ଆସନ୍ତା ୧୫ରେ ପ୍ରଳମ୍ବାସୁର ବେଶ ହେବାକୁ ଥିବାରୁ ଆଜି ଶ୍ରୀକ୍ଷେତ୍ରରୁ ପରମ୍ପରା ଅନୁଯାୟୀ ତିନି ଖଣ୍ଡ ପାଟ ଶାଢ଼ି ଆସିଛି।

ସମ୍ବନ୍ଧିତ ଖବର