ଜୟପୁର: ମହଙ୍ଗା ମାଡ଼ରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ବଜାରରେ କମିଛି ପରିବାର ଦର। ତେବେ ନିୟମିତ ସବୁ ଘରେ ବ୍ୟବହାର କରାଯାଉଥିବା ଆଳୁ ଓ ପିଆଜ ଦର ବୃଦ୍ଧି ପାଇଛି। ଆଳୁ ୫ଟଙ୍କା ବଢ଼ିଥିବା ବେଳେ ପିଆଜ କିଲୋ ପ୍ରତି ୧୦ଟଙ୍କା ବୃଦ୍ଧି ପାଇଛି। ଅପରପକ୍ଷରେ ଦୀର୍ଘଦିନ ଧରି ଦର ବଢ଼ିଥିବା ଟମାଟୋ ଦର ଅଚାନକ ଭାବେ ଜୟପୁର ବଜାରରେ କମିବା ସହ ୪୦ରୁ ୫୦ଟଙ୍କା ହୋଇଛି। ଜୟପୁର ବଜାରରେ କଖାରୁ କିଲୋ ୨୦ ଟଙ୍କା, ଭେଣ୍ଡି କିଲୋ ୪୦, ଭଣ୍ଡା ୩୦, ଗାଜର ୪୦, ବାଇଗଣ ୩୦ରୁ ୪୦ ଟଙ୍କା, କୁନ୍ଦୁରି ୨୦ ଟଙ୍କା, ଝୁଡ଼ଙ୍ଗ ୪୦ଟଙ୍କା, ବିନସ୍ ୩୦ରୁ ୪୦ଟଙ୍କା କଲରା ୪୦ରୁ ୫୦ଟଙ୍କା, କାଙ୍କଡ ୩୦, ସାରୁ ୫୦, ବନ୍ଧା କୋବି ୩୦ ଟଙ୍କା ରହିଛି। ଏହି ପରିବାର ମୂଲ୍ୟ ଦିନେ ତଳେ ୬୦ ଟଙ୍କା ଉପରେ ଥିବା ବେଳେ ଏବେ କମିଛି ପରିବା ଦର। ଧୀରେ ଧୀରେ ଟମାଟ ଦର କମିବା ସହ ବଜାରରେ ୪୦ରୁ ୫୦ଟଙ୍କା ମଧ୍ୟରେ ବିକ୍ରି ହେଉଛି।

Advertisment

ଅପରପକ୍ଷରେ ପିଆଜ ଓ ଆଳୁ ଦର ବୃଦ୍ଧି ପାଇବା ପରେ ସାଧାରଣ ଗ୍ରାହକ ଉପରକୁ ସିଧାସଳଖ ପୁଣି ମାଡ଼ ହୋଇଛି। ପୁଣି ପିଆଜ ଓ ଆଳୁ ଦର ବୃଦ୍ଧି ପାଇବ ବୋଲି ଦୈନିକ ବଜାରର ବ୍ୟବସାୟୀ ମାନେ କହିଛନ୍ତି। ଜିଲ୍ଲା ଯୋଗାଣ ବିଭାଗ କିମ୍ବା ନିୟନ୍ତ୍ରିତ ବଜାର କମିଟି( ଆରଏମସି) ପକ୍ଷରୁ ଦର ନିୟନ୍ତ୍ରଣ କରିବା କିମ୍ବା ନିଜସ୍ବ ବିକ୍ରି କରିଲେ ଯାଇ ଦର ନିୟନ୍ତ୍ରଣ ହୋଇ ପାରିବ ବୋଲି କହିଛନ୍ତି ଦୈନିକ ବଜାର କମିଟିର ସଂପାଦକ ନରେନ୍ଦ୍ର ବେହେରା। ବଜାରରେ ବ୍ୟବସାୟୀ ମାନେ ମନଇଛା ଓ ଲୋକ ଦେଖାଣିଆ ଭାବେ ଦରରେ ବିକ୍ରି କରୁଛନ୍ତି। ତେଣୁ ନିୟନ୍ତ୍ରିତ ବଜାର କମିଟି ଓ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସରକାରୀ ଧାର୍ଯ୍ୟଦରରେ ପନି ପରିବା ବିକ୍ରି କରିବା ସହ ସବୁ ଦିନିଆ ବଜାର ଦରର ଇ-ତାଲିକା ବୋର୍ଡ ଲଗାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି। ଅପର ପକ୍ଷରେ ଆଉ ସପ୍ତାହକ ମଧ୍ୟରେ ପୁଣି ପିଆଜ ଓ ଆଳୁର ଦର ବୃଦ୍ଧି ପାଇବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି କହିଛନ୍ତି ପିଆଜ ଓ ଆଳୁ ବ୍ୟବସାୟୀ।