ଲକ୍‌ଡାଉନ୍ ପ୍ରଥମ ଦିନରେ ବଢ଼ିଲା ଆଳୁ ଦର; ୨୦ରୁ ହେଲା ୨୫, ବଜାରରେ ମିଳୁନି ଆଳୁ

ଜୟପୁର: କରୋନା ସଂକ୍ରମଣ‌ରେ ବ୍ରେକ ଲଗାଇବା ପାଇଁ ଲକ୍‌ଡାଉନ୍ ଆରମ୍ଭ ହୋଇଛି। ଏସମୟରେ ଲୋକଙ୍କୁ ଘରେ ରହିବା ଓ ସୁରକ୍ଷିତ ଭାବେ ରହିବା ବାର୍ତ୍ତା ଦିଆଯାଉଛି। କିନ୍ତୁ ଲକ୍‌ଡାଉନ୍ ଆରମ୍ଭ ହେବା କ୍ଷଣିକରେ ବଜାରରେ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଜୟପୁର ସହରରେ ଆଳୁ ଦର ୨୦ ଟଙ୍କା ରହିଥିବା ବେଳେ ପୁଣି ଆଜି ତାହା ୨୫ ଟଙ୍କାରେ ପହଞ୍ଚିଛି। ଏଥିସହ ସହରରୁ ମଧ୍ୟ ଆଳୁ ଉଭାନ ହୋଇଯାଇଛି। ଯେଉଁ ‌ଦୋକାନୀଙ୍କ ନିକଟକୁ ଗଲେ ପିଆଜ ଗଦା ରହିଥିବା ବେଳେ ସେଠାରେ ଆଳୁ ମିଳିପାରୁ ନାହିଁ। ଏଭଳି ସ୍ଥିତିରେ ବଜାରରେ ଆଳୁର ଅଭାବୀ ଦେଖାଯାଇଛି, ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗକୁ ଦର କେଉଁ ସ୍ଥରରେ ପହଞ୍ଚିବ ତାହା ଜଳଜଳ ହୋଇ ଦେଖାଯାଉଛି। ବଜାରରେ ପୂର୍ବରୁ ଆଳୁ ଦର ୧୫ ଟଙ୍କା ରହିଥିଲା କିନ୍ତୁ ସଟଡାଉନ୍ ଲାଗୁ ପରେ ଏହାର ଦର ଧୀରେ ଧୀରେ ବଢ଼ିବାରେ ଲଗିଥିଲା। ସେହିଭଳି ସହରରେ ଗତକାଲି ପର୍ଯ୍ୟନ୍ତ ସବୁ ଦୋକାନରେ ୨୦ ଟଙ୍କାରେ ଆଳୁ ମିଳୁଥିଲା। ଏଥିସହ ସମସ୍ତ ଦୋକାନୀ ପାଖରେ ଆଳୁ ମହଜୁଦ ରହିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଆଜି ‌ସକାଳୁ ଲୋକେ ବଜାରକୁ ଗଲା ବେଳକୁ ଦିନକରେ ତାହା ୫ ଟଙ୍କା ବୃଦ୍ଧି ହୋଇ ୨୫ ଟଙ୍କାରେ ପହଞ୍ଚି ସାରିଛି। ଗୋଟିଏ ଦିନରେ ସହରରୁ ଆଳୁ ଉଭାନ ହୋଇଯାଇଛି ନା କିଛି ମୁନାଫା ଖୋର୍ ବ୍ୟବସାୟୀ ଏଭଳି ସ୍ଥିତି ସୃ‌ଷ୍ଟି କରିଛନ୍ତି ତାହା ଜଣାପଡୁନାହିଁ।

କିନ୍ତୁ ଦୋକାନୀ ମାନଙ୍କୁ ପଚାରିଲେ ଉତ୍ତର ମିଳୁଛି ଯେ, ଗୋଦାମରେ ଆଳୁ ନାହିଁ ଆମେ ଚଢ଼ା ଦରରେ କିଣୁଛୁ ତାହାଲେ ବିକିବୁ ଓ ଲାଭ କେମିତି ପାଇବୁ ବୋଲି କହୁଛନ୍ତି। କରୋନା କଟକଣା ପରେ ପନିପରିବା ଦର ବୃଦ୍ଧି ପାଇଥିବା ବେଳେ ଆଳୁ ଦର ହଠାତ୍ ବୃଦ୍ଧି ପାଇବା ସହ ବଜାରରେ ଅଭାବ ଦେଖା ଦେଇଛି। କଟକଣା ଯୋଗୁଁ ବାହାର ରାଜ୍ୟରୁ ଆଳୁ ଆସିବାରେ ଅସୁବିଧା ହେଉଥିବା ମଧ୍ୟ କହୁଛନ୍ତି। ଏଭଳି ସମୟରେ ବହୁ ପରିବାରରେ ପନିପରିବା ନଥିଲେ ମଧ୍ୟ ଆଳୁକୁ ମୁଖ୍ୟ ରନ୍ଧା ଖାଦ୍ୟ ଭା‌ବେ ବ୍ୟବହାର କରୁଛନ୍ତି। ଏଥିସହ ଆଳୁକୁ ନେଇ ମଧ୍ୟ ଘରେ କିଛି ଦିନ ରଖି ତାହାକୁ ବ୍ୟବହାର ମଧ୍ୟ ସୁବିଧା ରହିଛି। ଲକ୍ଡ଼ାଉନ ପାଇଁ ସ୍ପଳ୍ପ ସମୟ ଅବଧି ମିଳୁଥିବାରୁ ସହରବାସୀ ଅତ୍ୟବଶ୍ୟକ ସାମଗ୍ରୀ ଯୋଗାଡ଼ କରିବା ସହ ଆବଶ୍ୟକତା ଠାରୁ ଅଧିକ ପରିମାଣର ସାମଗ୍ରୀ ନେଇ ଘରେ ମହଜୁଦ୍ ରଖୁଛନ୍ତି। ଖାସ୍ କରି ଆଳୁର ଚାହିଦା ହଠାତ୍ ବଢି ଯିବାରୁ ମୁନାଫା ଖୋର୍ ବ୍ୟବସାୟୀ ମାନେ ଏହାର ଫାଇଦା ନେବା ପାଇଁ ବସିଛନ୍ତି। ଏଥିସହ ସହର ବଜାର ଉପରେ ନିର୍ଭର କରୁଥିବା ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ପ୍ରତିଦିନ ଆସିବା ଅପେକ୍ଷା ଅଧିକ ପରିମାଣର ସାମଗ୍ରୀ ନେଇ ମହଜୁଦ୍ ରଖିବା ପାଇଁ ଉଚିତ୍ ମଣୁଛନ୍ତି। ସେହିଭଳି ପିଆଜ ଦର ମଧ୍ୟ ଗତକାଲି ୨୦ ଟଙ୍କା ରହିଥିବା ବେଳେ ଆଜି ତାହା ୨୫ ଟଙ୍କାରେ ପହଞ୍ଚିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପନିପରିବା ଦର ନିୟନ୍ତ୍ରଣ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

 

 

ସମ୍ବନ୍ଧିତ ଖବର