ବାଳକାଟିରେ ପହଞ୍ଚିଲାନି ଆଳୁବୋଝେଇ ଟ୍ରକ, ଗ୍ରାହକ ହନ୍ତସନ୍ତ

ବାଲିଅନ୍ତା: ମହାମାରୀ କରୋନା ଲକଡାଉନ ଓ ସଟଡାଉନ ନେଇ ଏବେ ଲୋକଙ୍କ ଜୀବନଜୀବିକା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଗୋଟିଏ ପକ୍ଷରେ ଏବେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେ‌ଷ ଏବେ ହାତବାନ୍ଧି ବସିବା ପରିସ୍ଥିତି ଉପୁଜିଛି। ଅନ୍ୟପକ୍ଷରେ ଏହି ସୁଯୋଗରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଅସାଧୁ ବ୍ୟବସାୟୀମାନେ ସାମଗ୍ରୀର କଳାବଜାର ଆରମ୍ଭ କରିଦେଲେଣି। ଆଜି ବାଳକାଟି ସାପ୍ତାହିକ ହାଟରେ ଏହାର ପ୍ରମାଣ ଦେଖିବାକୁ ମିଳିଛି। ଆସନ୍ତାକାଲି ଠାରୁ ଲକଡାଉନ ଘୋଷଣା ହୋଇଥିବା ବେଳେ ଆଜି ବାଳକାଟି ସାପ୍ତାହିତ ହାଟରେ ଆଳୁ ବେଝେଇ ଟ୍ରକ ପହଞ୍ଚି ପାରିନାହିଁ। ତେଣୁ ଆଳୁ ନେବା ପାଇଁ ଟ୍ରକକୁ ଅପେକ୍ଷା କରିଥିବା ବ୍ୟବସାୟୀମାନେ ନିରାଶ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ। ହାଟରେ ଅ୍ରନ୍ୟ ସବୁ ପ୍ରକାର ପନିପରିବା ହେଉଥିଲେ ହେଁ ଆଳୁ ଏକପ୍ରକାର ଉଭାନ ହୋଇଯାଇଥିଲା। ହାଟରେ ଆଳୁ ପାଲି ସବୁ ଫାଙ୍କା ପଡ଼ିଥିଲା। ଆଉ ସତେଯେମିତି କି ଆଳୁ ବ୍ୟବସାୟୀ ମାନେ ଫେରାର ହୋଇଯାଇଥିଲେ।

ଏହି ସୁଯୋଗରେ କେତେଜଣ ଆଳୁ ବ୍ୟବସାୟୀ ବେଶ ମୁନାଫା ଉଠାଇଥିଲେ। ପୂର୍ବପାଳିଦିନ ଆଳୁ ୧୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଆଜି କିଲ ପିଛା ୧୦ ଟଙ୍କା ଚଢ଼ାରେ ୨୫ ଟଙ୍କାରେ ଆଳୁ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଉଭୟ ଆଳୁ ପିଆଜ ବିକ୍ରି କରୁଥିବା ବ୍ୟବସାୟୀମାନେ ପାଲିରେ ଖାଲି ପିଆଜ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ଯାହାଫଳରେ ଆଳୁ କିଣିବା ପାଇଁ ଗ୍ରାହକମାନେ ହନ୍ତସନ୍ତ ହୋଇଥିଲେ। ଜଣେ ଜଣାଶୁଣା ଆଳୁ ବ୍ୟବସାୟୀଙ୍କ ସୂଚନା ଅନୁସାରେ ଉଭୟ ବେଙ୍ଗଲ ଓ ଆଇଁଗିଣିଆ ମାର୍କେଟରୁ ପ୍ରତିପାଳିରେ ୨୫ ଟନ ଆଳୁ ଯୋଗାଣ ହୋଇଥାଏ। ହେଲେ କୌଣସି କାରଣ ପାଇଁ ଆଜି ଆଳୁଗାଡ଼ି ପହଞ୍ଚିପାରି ନଥିବାରୁ ଆଳୁର ଅଭାବ ଦେଖାଦେଇଥିବା କହିଛନ୍ତି। ଅନ୍ୟଜଣେ ଆଳୁ ବ୍ୟବସାୟୀଙ୍କ ସୂଚନା ଅନୁସାରେ ଭୁବନେଶ୍ବର ଆଇଁଗିଣିଆ ଆଳୁ ମାର୍କେଟରୁ ଆଳୁ କ୍ୟୁଣ୍ଟାଲ ପିଛା ୧୬ ଶହ ଟଙ୍କା କିଣିବାକୁ ପଡ଼ୁଥିବାରୁ ଗାଡ଼ିଭଡ଼ାକୁ ମିଶାଇ ଚଢ଼ାରେ ବିକ୍ରି କରିବାକୁ ପଡ଼ୁଥିବା କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହାଟ ମାହାସୁଲ ଆଦାୟ ଦାୟିତ୍ବରେ ଥିବା କାର୍ଯ୍ୟକର୍ତ୍ତା ଓ ସରପଞ୍ଚ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଥିଲା। ସେହିପରି ପୂର୍ବ ସୁକ୍ରବାର ପାଳିଦିନ ପିଆଜ କିଲ ପ୍ରତି ୨୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଆଜି ବ୍ୟବସାୟୀମାନେ ୫ ଟଙ୍କା ଚଢ଼ାରେ ୨୫ ଟଙ୍କାରେ ବିକ୍ରି କରୁଥିବା ଦେଖାଯାଇଥିଲା। ହାଟ ବଜାରରେ ନିତ୍ୟ ବ୍ୟବହାୟୀ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଦିଗରେ ତହସିଲଦାର, ବ୍ଲକ ପ୍ରଶାସନ ସର୍ବୋପରି ଉପ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର