ରାଇଘର: ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିବା ବେଳେ ୩ କିଲୋମିଟର ବାଟ ଖଟିଆରେ ବୁହା ହୋଇ ଗର୍ଭବତୀ। ଆମ୍ଭୁଲାନ୍ସ ନିକଟକୁ ନିଆଯିବା ଭିଡିଓ ଭାଇରାଲ୍ ହେବା ଘଟଣା ରାଇଘର ଅଂଚଳରେ ପ୍ରଥମ କରି ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଂଚାୟତର ଯୋଡ଼ାଆମ୍ ଗ୍ରାମର ନନ୍ଦିନୀ ସାନ୍ତା ଗର୍ଭବତୀ ଥିବା ବେଳେ ଗତକାଲି ଅପରାହ୍ନରେ ପ୍ରସବ ବେଦନା ହେବା ଫଳରେ ଫୋନ ଯୋଗେ ଆମ୍ବୁଲାନ୍ସକୁ ଡକାଇଥିଲେ । କିନ୍ତୁ ଗ୍ରାମକୁ ଯାଇଥିବା ରାସ୍ତାର ଅବସ୍ଥା ଶୋଚନୀୟ ଥିଲା। ତେଣୁ ଆମ୍ବୁଲାନ୍ସ ପହଞ୍ଚି ନପାରି ଗାଁର ୩ କିଲୋମିଟର ପୂର୍ବରେ ଥିବା ଖିଡ଼ିଙ୍ଗିମାଳ ଠାରେ ଆସି ଅଟକି ରହିଥିଲା।
ଯୋଡ଼ାଆମ୍ ଗାଁକୁ ଆମ୍ବୁଲାନ୍ସ ନଯିବା ଫଳରେ କିଛି ଗ୍ରାମବାସୀ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ନନ୍ଦିନୀ ସାନ୍ତାଙ୍କୁ ଏକ ଖଟିଆ ଯୋଗେ ବୋହି ବୋହିନେଇଥିଲେ। ସେମାନେ ୩ କିଲୋମିଟର ବାଟ ଚାଲିଲା ପରେ ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ। ପରେ ନନ୍ଦିନୀ ସାନ୍ତାଙ୍କୁ ରାଇଘର ମେଡିକାଲକୁ ଅଣାଯାଇଥିଲା। ଆଜି ସକାଳେ ନନ୍ଦିନୀ ସାନ୍ତା ଶିଶୁକନ୍ୟା ସନ୍ତାନ ଜନ୍ମ ଦେଇଥିବା ବେଳେ ମା’ ଏବଂ ଝିଅ ସୁସ୍ଥ ଅଛନ୍ତି ବୋଲି ମେଡିକାଲ୍ ଫାର୍ମାସିଷ୍ଟ ସଙ୍କର୍ଶନ ସାହୁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/a122fa28-675f-42a8-8ec7-57a51da9190b.jpg)