ପାଠକ-ପ୍ରଦୀପ ଲିଙ୍କ୍‌: ଫେରିଲା କ୍ରାଇମ୍‌ବ୍ରାଞ୍ଚ୍‌, ପହଞ୍ଚିଲା ଭିଜିଲାନ୍ସ୍‌

ଭିଜିଲାନ୍ସ ଡିଏସ୍‌ପିଙ୍କ ଖୋଳତାଡ଼ ଆରମ୍ଭ

ବ୍ରହ୍ମପୁର: ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ-ଗୋପାଳପୁର ବିଧାୟକଙ୍କ ଦ୍ବାରା ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ହୋଇଥିବା ଠକେଇ ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ଦ୍ବିତୀୟ ପର୍ଯ୍ୟାୟ ସରିଛି। କ୍ରାଇମବ୍ରାଞ୍ଚ୍‌ ଟିମ୍‌ ବ୍ରହ୍ମପୁରରେ ଦ୍ବିତୀୟ ଦଫାରେ ୫ଦିନ ଧରି ତଦନ୍ତ, ଜେରା ସାରି ଆଜି ଅପରାହ୍‌ଣରେ ଫେରିଛି। ଏହା ଭିତରେ ବୋରିଗାଁ ସରପଞ୍ଚ ବସନ୍ତ ସାହୁ, ବ୍ରହ୍ମପୁର ସିଟି କଲେଜର ପ୍ରାକ୍ତନ ଅଧ୍ୟକ୍ଷ କମ୍ବୁପାଣି ସାହୁ ପ୍ରମୁଖଙ୍କ ସମେତ ପ୍ରାୟ ୮ଜଣଙ୍କୁ ଜେରା କରିଛି। ତେବେ ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ତଦନ୍ତ ଭିଜିଲାନ୍ସ ଏସ୍‌ଆଇଟି କରୁଛି। ଭିଜିଲାନସ୍‌ ଏସ୍‌ଆଇଟି କିଛି ଦିନ ତଳେ ବ୍ରହ୍ମପୁରରେ ତଦନ୍ତ କରି ଫେରିଥିଲେ। ଏସ୍‌ଆଇଟି ସଦସ୍ୟ ତଥା ଭିଜିଲାନ୍ସ ସେଲ୍‌ ଡିଏସ୍‌ପି ସନ୍ଧ୍ୟାରାଣୀ ସାହୁ ଆଜି ପୁଣି ବ୍ରହ୍ମପୁରରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି।

ଗୋପାଳପୁର ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଦାୟିତ୍ବ ସରକାର ଲୋକାୟୁକ୍ତଙ୍କୁ ଦେଇଛନ୍ତି। ଲୋକାୟୁକ୍ତ ଭିଜିଲାନ୍ସକୁ ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ପାଠକଙ୍କ ସହ ପ୍ରଦୀପଙ୍କ ଲିଙ୍କ୍‌‌ର ଖୋଳତାଡ଼ ଲାଗି ଭିଜିଲାନ୍ସ ଡିଏସ୍‌ପି ଶ୍ରୀମତୀ ସାହୁ ଆସି ଖୋଳତାଡ଼ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ପ୍ରଦୀପଙ୍କ ସମ୍ପତ୍ତି ଉପରେ ଖୋଳତାଡ଼ ଆରମ୍ଭ କରିଥିବା କୁହାଯାଉଛି। ଅନ୍ୟପକ୍ଷରେ ଏସ୍‌ଆଇଟିର ଜଣେ ବରିଷ୍ଠ ଅଧିକାରୀ ତଥା ଭିଜିଲାନ୍ସର ଅତିରିକ୍ତ ଏସ୍‌ପି ପାହ୍ୟା‌ର ଅଧିକାରୀ ଗତ ଦୁଇ ଦିନ ହେଲା ବେଙ୍ଗାଲୁରୁରେ ଡେରା ପକାଇ ଖୋଳତାଡ଼ କରୁଛନ୍ତି। ଏକ ଜମିଜମା ମାମଲାରେ ଗୋପାଳପୁର ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ ସମ୍ପର୍କରେ ସେ ଖୋଳତାଡ଼ କରୁଥିବା ଜଣାପଡ଼ିଛି।

ପ୍ରକାଶ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଛନ୍ଦି ହୋଇଥିଲେ। ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁର ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ଆସିଥିଲା। ଆକାଶଙ୍କ ସହ ଗୋପଳପୁର ବିଧାୟକଙ୍କ ଝିଅ ବିବାହ ସ୍ଥିର ହୋଇଥିଲା। ଭାବି ଜ୍ବାଇଁଙ୍କ ସହ ମିଶି ଗୋପାଳପୁର ବିଧାୟକ ଟାଟା ମୋଟର୍ସ ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା। ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ, ତାଙ୍କ ପୁଅ ଆକାଶ ପାଠକ‌ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଜେଲ୍‌ରେ। ଅଭୟକାନ୍ତ ପାଠକ-ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପରିବାର ବିରୋଧରେ ଥିବା ବେହିସାବ ସମ୍ପତ୍ତି ଠୁଳ ଏବଂ ଠକେଇ ଅଭିଯୋଗ ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଭିଜିଲାନ୍ସ-ଏସ୍‌ଆଇଟି, କ୍ରାଇମବ୍ରାଞ୍ଚ, କ୍ରାଇମବ୍ରାଞ୍ଚ ଅଥର୍ନୈତିକ ଅପରାଧ ଶାଖା ଏବଂ କମିସନରେଟ୍‌ ପୁଲିସ ଭଳି ସଂସ୍ଥା ଏହାର ତଦନ୍ତ କରୁଛନ୍ତି। ଗୋପାଳପୁର ବିଧାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭାର ରାଜ୍ୟ ସରକାର ଲୋକାୟୁକ୍ତଙ୍କୁ ନ୍ୟସ୍ତ କରିଛନ୍ତି। ଠକେଇ ଏବଂ ଦୁର୍ନୀତିର ଏହି ସବୁ ସଂସ୍ଥା ଖୋଳତାଡ଼ ଜାରି ରଖିଛନ୍ତି। ଆଜି ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଦୁଇ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି।

ସମ୍ବନ୍ଧିତ ଖବର