ଜଗତସିଂହପୁର ଟାଉନ୍: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ଡାଏରିଆ ଓ୍ଵାର୍ଡରେ ଆଜି ସାଲାଇନ୍ ନେଇ ୧୫ରୁ ଅଧିକ ରୋଗୀ ଅସୁସ୍ଥ ହୋଇ ପଡ଼ିବାରୁ ଆତଙ୍କ ଖେଳିଯାଇଥିଲା। ସାଲାଇନ୍ ଦିଆଯାଇଥିବା ରୋଗୀଙ୍କର ଦେହ ଥରିଲା। କମ୍ପ ଆସିଲା ଓ କେତେକ ଅଚେତ ହୋଇଗଲେ। ପରେ ତୁରନ୍ତ ସାଲାଇନ୍ ବଦଳାଇ ଅନ୍ୟ ସାଲାଇନ୍ ଦିଆଯାଇଥିଲା। କିନ୍ତୁ ଅସୁସ୍ଥ ଗୋଟିଏ ଶିଶୁ ଓ ଦୁଇ ଜଣ ବୟସ୍କଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଡାକ୍ତରଖାନା କର୍ତୃପକ୍ଷ ଓ୍ଵାର୍ଡରେ ଥିବା ନିର୍ଦ୍ଦିଷ୍ଟ କମ୍ପାନିର ସାଲାଇନକୁ ଜବତ କରି ଏହି ସାଲାଇନ୍ର ନମୁନାକୁ ପରୀକ୍ଷା ପାଇଁ ଆସନ୍ତାକାଲି ଡ୍ରଗ୍ ଇନ୍ସପେକ୍ଟରଙ୍କ ପାଖକୁ ପଠାଯିବ ବୋଲି ଏଡିଏମ୍ଓ ଡାକ୍ତର ଅଜୟ ସ୍ବାଇଁ ସୂଚନା ଦେଇଛନ୍ତି। ଏହି ସାଲାଇନ୍କୁ ନେଇ କଣ ସମସ୍ୟା ରହିଛି ସେ ସମ୍ପର୍କରେ ଯାଂଚ କରାଯିବ। ଯାଂଚ ରିପୋର୍ଟ ଆସିବା ପରେ ଏନେଇ ରାଜ୍ୟ ଔଷଧ ନିଗମକୁ ଅବଗତ କରାଯିବ। ତେବେ କଟକକୁ ସ୍ଥାନାନ୍ତର ଶିଶୁ ସାଲାଇନ୍ ପାଇଁ ନୁହଁ ବରଂ ବାତଜ୍ବର କାରଣରୁ ସ୍ଥାନାନ୍ତର ହୋଇଛି। ନୂଆ ସାଲାଇନ୍ ଲାଗିବା ପରେ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ କିଛି ସମସ୍ୟା ନାହିଁ ବୋଲି ସେ କହିଛନ୍ତି।
ସୂଚନା ଅନୁସାରେ ଜିଲ୍ଲା ମୁଖ୍ୟଡାକ୍ତରଖାନାର ଡାଇରିଆ ଓ୍ଵାର୍ଡରେ ଚିକିତ୍ସିତ ରୋଗୀଙ୍କୁ ଆଜି ଅପରାହ୍ନରେ ରାଜ୍ୟ ଔଷଧ ନିଗମରୁ ଆସିଥିବା ଉତ୍ତରପ୍ରଦେଶ ଆଲିଗଡ଼ସ୍ଥିତ ସ୍ବରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ୍ ଲିମିଟେଡର ସାଲାଇନ୍ ଆରଏଲ୍ ଦିଆ ଯାଇଥିଲା। ସାଲାଇନ୍ ଲାଗିବାର ୧୦ ମିନିଟ୍ ପରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ ରୋଗୀଙ୍କ ଦେହ ଥରିବା ଆରମ୍ଭ ହେଲା। ପ୍ରବଳ କମ୍ପ ଆସିଲା ଓ କେତେକ ଅଚେତ ହେବା ଭଳି ଶୋଇ ରହିଲେ। ଏହି ଖବର ପ୍ରଚାରିତ ହେବା ପରେ ତୁରନ୍ତ ଡାକ୍ତର ଓ ଏଡିଏମ୍ଓ ଡା. ସ୍ବାଇଁ ସେଠାରେ ପହଞ୍ଚିଥିଲେ। ରୋଗୀଙ୍କ ଶରୀରରେ ଲାଗିଥିବା ସାଲାଇନ୍କୁ ତୁରନ୍ତ କାଢି ଦିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶ ପରେ ଅନ୍ୟ କମ୍ପାନିର ଆରଏଲ୍ ସାଲାଇନ୍ ଲଗା ଯିବାରୁ ସ୍ଥିତି ସ୍ବାଭାବିକ ହୋଇଥିଲା। ଶିଶୁ ବିଭାଗ, ମେଡିସିନ୍ ଓ୍ଵାର୍ଡ, ପ୍ରସୂତୀ ଓ୍ଵାର୍ଡରେ ରୋଗୀଙ୍କୁ ଦିଆଯିବା ପାଇଁ ଥିବା ଏହି ସାଲାଇନକୁ ଜବତ କରାଯାଇଥିଲା। ସେହିପରି ଗୋଦାମରେ ଥିବା ସାଲାଇନକୁ ମଧ୍ୟ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/SUBHAKANTA85-085204524_6.jpg)