ବାରିପଦା: ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚକ୍ଷୁ ବ୍ୟାଙ୍କ ଓ କାର୍ଣ୍ଣିଆ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇପାରୁନି। ଫଳରେ ସାଧାରଣ ରୋଗୀ ଏନେଇ ନାହିଁନଥିବା ହଇରାଣ ହେଉଛନ୍ତି। କେତେକ କଟକ ଭୁବନେଶ୍ବର ଯାଇ ଖର୍ଚ୍ଚାନ୍ତ ହେଉଥିବା ବେଳେ ଆଉ କିଛି ଘରୋଇ ହସ୍ପିଟାଲର ଶୋଷଣର ଶିକାର ହେଉଛନ୍ତି। ଉପରୋକ୍ତ ଅସୁବିଧାରୁ ଜିଲ୍ଲାବାସୀ ତଥା ପଡ଼ୋଶୀ ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ଶହ ଶହ ରୋଗୀଙ୍କୁ ମୁକ୍ତି ଦେବାକୁ ସରକାରଙ୍କ ପକ୍ଷରୁ ପିଆରଏମ ହସ୍ପିଟାଲ ପରିସରରେ ଏକ ଚକ୍ଷୁବ୍ୟାଙ୍କ ଖୋଲାଯିବାର ଘୋଷଣା କରାଯାଇଥିଲା। ଏନେଇ ପ୍ରଥମ ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଘୋଷଣାକୁ ୩ ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲେ ମଧ୍ୟ ଚକ୍ଷୁ ବ୍ୟାଙ୍କ ପ୍ରତିଷ୍ଠା ନେଇ ସେପରି କୌଣସି ପ୍ରକ୍ରିୟା ଦେଖିବାକୁ ମିଳୁନାହିଁ।
ଏବିଷୟରେ ପିଆରଏମ ମେଡିକାଲର ଚକ୍ଷୁ ବିଭାଗର ମୁଖ୍ୟ ଡ଼ଃ. ସୁଚିତ୍ରା ପାଣିଗ୍ରାହୀଙ୍କ ସୂଚନା ଅନୁସାରେ ଅନୁଦାନ ଟଙ୍କାରେ ଭୁବନେଶ୍ୱରରୁ ପରଚେଜ୍ କମିଟି ପକ୍ଷରୁ ୨ଟି ମେସିନ କିଣାଯାଇଥିବା ସମୟରେ ଚକ୍ଷୁ ଓ କାର୍ଣ୍ଣିଆ (ଚକ୍ଷୁର ସ୍ୱଚ୍ଛପଟଳ) ଆଦି ପ୍ରତିରୋପଣ ନିମନ୍ତେ ମୁଖ୍ୟ ମେସିନଗୁଡ଼ିକ ଅଦ୍ୟାବଧି କିଣା ଯାଇପାରିନାହିଁ। ପିଆରଏମ ହସ୍ପିଟାଲରେ ଏନେଇ ଭିତ୍ତିଭୂମି ବ୍ୟବସ୍ଥା ହୋଇଥିବା ଶ୍ରୀମତୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଗତବର୍ଷ କରୋନା କାରଣରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଆବଶ୍ୟକ ଉପକରଣ ପହଞ୍ଚିବା ପରେ କାର୍ଯ୍ୟ ଆରମ୍ଭ ହେବ। ଏଥି ସହିତ ଯେଉଁମାନେ ଚକ୍ଷୁଦାନ କରୁଛନ୍ତି ସେମାନଙ୍କ ଚକ୍ଷୁକୁ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପଠାଯାଉଥିବା ଶ୍ରୀମତୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/download-28.jpg)