ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ, ଘରୋଇ ହସ୍ପିଟାଲରେ ଭଙ୍ଗାରୁଜା

ଧଉଳି :ଧଉଳି ଥାନା ଅଧୀନ ଲିଙ୍ଗିପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଯୁବ ବ୍ୟବସାୟୀ ସୂର୍ଯ୍ୟକାନ୍ତ ନାୟକଙ୍କ (୩୮) ମୃତ୍ୟୁକୁ ନେଇ ଆଜି ପୂର୍ବାହ୍ନରେ ତୁମୂଳକାଣ୍ଡ ଘଟିଛି । ଶତାଧିକ ଉତ୍ତ୍ୟକ୍ତ ଲୋକ ହସ୍ପିଟାଲ ଭିତରେ ପଶି ଭଙ୍ଗାରୁଜା କରିଥିଲେ । ଏଥିସହିତ ହସ୍ପିଟାଲ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସି ହସ୍ପିଟାଲ କର୍ତୃପକ୍ଷ ତଥା ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଏତିକିରେ ସେମାନଙ୍କର ରାଗ ଥମିନଥିଲ । ମୃତକଙ୍କ ପରିବାରକୁ ଦାବି ମୁତାବକ କ୍ଷତି ପୂରଣ ପ୍ରଦାନ କରିବା ସହ ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଭୁବନେଶ୍ବର – ପୁରୀ ଜାତୀୟ ରଜପଥ ଅବରୋଧ କରିଥିଲେ । ଖବର ପାଇ ଧଉଳି ଥାନା ଅଧିକାରୀ ଦୟାନିଧି ନାୟକଙ୍କ ସମେତ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଖବର ଅନୁଯାୟୀ ଗତ ୧୭ ତାରିଖ ଅପରାହ୍ନରେ ସୂର୍ଯ୍ୟକାନ୍ତ କାମସାରି ଘରକୁ ବାଇକରେ ଫେରୁଥିବା ବେଳେ ରଥିଜେମା ଭଗବତୀ ମନ୍ଦିର ନିକଟରେ ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇ  ଫେରାର ହୋଇଯାଇଥିଲା ।  ଫଳରେ ଘଟଣାସ୍ଥଳରେ ସୂର୍ଯ୍ୟକାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ପରିବାର ଲୋକ ସୂର୍ଯ୍ୟକାନ୍ତଙ୍କୁ ଚିକିତ୍ସା ଲାଗି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଉକ୍ତ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବା ପରିବର୍ତ୍ତେ ଅଧିକ ବିଗିଡ଼ି ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର