କ୍ବାକ୍‌ର ଭୁଲ ଚିକିତ୍ସା ଯୋଗୁ ରୋଗୀର ମୃତ୍ୟୁ ଅଭିଯୋଗ

ବୈପାରିଗୁଡା: କ୍ବାକ୍‌ର ଭୁଲ ଚିକିତ୍ସା ଯୋଗୁ ଜନୈକ ରୋଗୀର ମୃତ୍ୟୁ ହୋଇଯାଇଥିବା ଭଳି ଅଭିଯୋଗ ଆସିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପେନ୍ଦାପଡା ପଞ୍ଚାୟତର ବଡପଡା ଗ୍ରାମର କମୁଳୁ ପୂଜାରୀ (୫୨) ଗତକାଲି ନଅଟା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ହଠାତ୍ କାଶ ଆରମ୍ଭ ହେବା ପରେ ଆଉ ବନ୍ଦ ହେଲା ନାହିଁ। ଯାହାଫଳରେ ପରିବାରର ଲୋକେ କମୁଳୁଙ୍କୁ ରାମଗିରି ସ୍ଥିତ ଏକ ଔଷଧ ଦୋକାନକୁ ନେଇଥିଲେ। କମୁଳୁଙ୍କର କାଶ ବନ୍ଦ ହେଉନଥିବା ଦେଖି ଦୋକାନୀ ଜଣକ କମୁଳୁଙ୍କୁ ଚାରୋଟି ଇଞ୍ଜେକସନ ଦେବାସହ ଦୁଇଟି ସାଲାଇନ ମଧ୍ୟ ଦେଇଥିବା ପରିବାରର ଲୋକଙ୍କ ନିକଟରୁ ପ୍ରକାଶ। ଚିକିତ୍ସା ପରେ କମୁଳୁଙ୍କୁ ଘରକୁ ଫେରାଇ ନିଆ ଯାଇଥିଲା। ତେବେ ସେ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହୋଇ ପଡ଼ିବାରୁ ସନ୍ଧ୍ୟା ସାଢ଼େ ସାତଟା ବେଳକୁ ରାମଗିରି ଡାକ୍ତରଖାନାକୁ ଅଣାଯାଇଥିଲା। ରାମଗିରି ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପରୀକ୍ଷା କରି ଜାଣିପାରିଲେ ଯେ କମୁଳୁଙ୍କର ମୃତ୍ୟୁ ହୋଇଯାଇଛି।

ପରିବାର ଲୋକେ ଡାକ୍ତରଖାନାରୁ ଆଣିବା ପୂର୍ବରୁ ରାମଗିରି ଔଷଧ ଦୋକାନରେ ଚିକିତ୍ସା କରେଇବା ଏବଂ ଚାରୋଟି ଇଞ୍ଜେକସନ ଏବଂ ଦୁଇଟି ସାଲାଇନ ନିଜେ ଔଷଧ ଦୋକାନୀ ଦେଇଥିବା ପ୍ରକାଶ କରିଥିଲେ। ଫାର୍ମାସିଷ୍ଟ ଏସଂପର୍କରେ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀଙ୍କୁ ଜଣାଇବାରୁ ଦୋକାନୀ ନାମରେ ମେଡିକାଲ ଲିଗାଲ କେଶ୍ ଦରଜ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫାର୍ମାସିଷ୍ଟ କେଶ୍ ଦାଖଲ କରିବା ପରେ ରାମଗିରି ଫାଣ୍ଡି ଏଏସ୍ଆଇ ବଳରାମ ହିକକା ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବୈପାରିଗୁଡା ଆଣିଥିଲେ। ବୈପାରିଗୁଡା ଠାରେ ଆଜି ଶବ ବ୍ୟବଚ୍ଛେଦ କରାଯିବା ସହ କେଶ୍ ନମ୍ବର-୪୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର