ରାୟଗଡ଼ା: ରାୟଗଡ଼ା ବ୍ଲକର ଖିଲିମିସିଗୁଡା ଗ୍ରାମକୁ ସଂଯୋଗ ପାଇଁ ନାଗାବଳୀ ନଦୀ ଉପରେ ନିର୍ମାଣ ଚାଲିଥିବା ବ୍ରିଜ୍ ଅଧପନ୍ତରିଆ ଅବସ୍ଥାରେ ପଡିଛି। ଫଳରେ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ ଗ୍ରାମବାସୀ ଭାରରେ ବୋହି ନଦୀ ପାର କରି ମେଡ଼ିକାଲ ଆଣିଛନ୍ତି। ଆଣ୍ଠୁଏ ପାଣିରେ ନଦୀ ପାର ହୋଇ ୪ କିମି ଚାଲିବା ପରେ ମିଳିଛି ସ୍ବାସ୍ଥ୍ୟସେବା। ଯାହାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଖିଲିମିସିଗୁଡା ଗ୍ରାମର ବୃଦ୍ଧ ସତ୍ୟବତୀ ମାଣ୍ଡାଙ୍ଗି (୬୦) ଶନିବାର ରାତିରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ମେଡ଼ିକାଲ ଆସିବା ପାଇଁ ନଦୀ ପାର ହେବା ଛଡା ଅନ୍ୟ କିଛି ଉପାୟ ନଥିବାରୁ ଘରେ ହିଁ ପଡି ରହିଥିଲେ। ସକାଳେ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଗ୍ରାମବାସୀ ଭାରରେ ନାଗାବଳୀ ନଦୀ ପାର କରି ଅଟୋ ଯୋଗେ ଜେମାଦେଇପେଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରି ମେଡ଼ିସିନ ଦେବା ପରେ ଏବେ ବୃଦ୍ଧଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

Advertisment

ସୂଚନାଯୋଗ୍ୟ, ଖିଲିମିସିଗୁଡ଼ା ଗ୍ରାମ ସମେତ ୧୫ ଖଣ୍ଡ ଗ୍ରାମକୁ ଯାତାୟାତ ପାଇଁ ନାଗାବଳୀ ନଦୀ ଉପରେ ବ୍ରିଜ ନଥିବାରୁ ଗ୍ରାମବାସୀଙ୍କ ଦାବି ପରେ ରାଜ୍ୟ ସରକାର ଗତ ୪ ବର୍ଷ ତଳେ ବିଜୁ ସେତୁ ନିର୍ମାଣ କରିବା ପାଇଁ ଅନୁମୋଦନ କରିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ରିଜ ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରୁ ନଥିବାରୁ ନଦୀ ପାର ହୋଇ ହିଁ ଗ୍ରାମବାସୀଙ୍କୁ ମେଡ଼ିକାଲ ସହ ସମସ୍ତ କାମରେ ଜିଲ୍ଲା ସଦର ମହକୁମାକୁ ଆସିବାକୁ ପଡୁଛି।