ଖୋର୍ଦ୍ଧା/ବୈପାରିଗୁଡା: ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱ କୁଷ୍ଠରୋଗ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ତେବେ ସବୁଠାରୁ ଚିନ୍ତାର ବିଷୟ ଯେ ସଚେତନତା ଓ ରୋଗ ନିରାକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଜିଲ୍ଲାରେ କୁଷ୍ଠରୋଗୀଙ୍କ ସଂଖ୍ୟାରେ ସେଭଳି ଆଖିଦୃଶିଆ ହ୍ରାସ ଘଟୁନାହିଁ, ବରଂ ବୃଦ୍ଧି ପାଇବାରେ ଲାଗିଛି। ୨୦୧୭-୧୮ରେ ୧୧୮ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୦-୨୧ରେ ଏହା ୧୨୩ ଅଟେ।
ମିଳିଥିବା ତଥ୍ୟାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୦୧୭-୧୮ରେ ୧୧୮ଜଣ କୁଷ୍ଠ ରୋଗୀଙ୍କୁ ଚହ୍ନଟ କରାଯାଇଥିବା ବେଳେ ୨୦୧୮-୧୯ରେ ୧୦୭, ୨୦୧୯-୨୦ରେ ୧୫୩ ଓ ୨୦୨୦-୨୧ରେ ୧୨୩ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ନିୟମିତ ଭାବେ ବର୍ଷର ନିର୍ଦ୍ଧାରିତ ସମୟରେ ଘରଘର ବୁଲି କୁଷ୍ଠରୋଗ ସମ୍ପର୍କରେ ସଚେତନତା କରିବା ଓ ଚିହ୍ନଟ କରିବା କାର୍ଯ୍ୟକ୍ରମ ଠିକଣା ଭାବେ ହୋଇ ପାରୁନଥିବାରୁ ଅନେକ ରୋଗୀ ଚିହ୍ନଟ ହୋଇ ପାରୁନଥିବା କୁଷ୍ଠରୋଗୀଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା କେତେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ, ରୋଗୀଙ୍କ ମଧ୍ୟରେ ରୋଗ ସଂକ୍ରମଣ ଓ ନିଦାନ ନେଇ ଆବଶ୍ୟକ ସଚେତନତା ଅଭାବରୁ ମଧ୍ୟ ନିର୍ଦ୍ଧାରିତ ସମୟରେ ଚିକିତ୍ସା କରାଇବା ଓ ନିର୍ଦ୍ଧାରିତ ସମୟ ଔଷଧ ଖାଇବାରେ ସମସ୍ୟା ଉପୁଜିଥାଏ।
ଏହି ସମସ୍ତ ପ୍ରତି ଦୃଷ୍ଟି ଦେବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା କୁଷ୍ଠରୋଗୀଙ୍କ ସ୍ୱତନ୍ତ୍ର ଆଦର୍ଶ କଲୋନୀରେ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ ବିଭାଗୀୟ କର୍ମକର୍ତାଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଆଦର୍ଶ କଲୋନୀରେ ଥିବା ୩୦ଟି ପରିବାରର ୨୦୦ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗ ଦେଇଥିଲେ। ସେମାନଙ୍କୁ ରୋଗ ସମ୍ପର୍କରେ ସଚେତନତା କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ନିୟମିତ ଭାବେ ପିନ୍ଧୁଥିବା ବସ୍ତ୍ର ଗରମ ପାଣି, ସର୍ଫ ଆଦିରେ ସଫା କରିବା, ହାତଗୋଡ଼ ନିୟମିତ ଭାବେ ସାବୁନରେ ଧୋଇ ଶୁଖିଲା କନାରେ ପୋଛିବା, ବାହାରକୁ ବାହାରିଲେ ମୋଜା ଓ ଜୋତା ବ୍ୟବହାର କରିବା, ନିୟମିତ ଭାବେ ଦିଆଯାଉଥିବା ଔଷଧର ସେବନ କରିବା ଆଦି ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର, ସୁପରଭାଇଜର ସୁନୀଲ ଦତ୍ତ, ଆଶୁତୋଷ ପାତ୍ର, ପ୍ରିୟଙ୍କା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଶଙ୍କର ରାଉତ ଓ ଜୟନ୍ତୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୭୪ତମ ଶ୍ରାଦ୍ଧ ଦିବସ ଅବସରରେ କୁଷ୍ଠ ଦିବସ ପାଳିତ ହୋଇଯାଇଛି। ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତର ଗୈାଡଗୁଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଆଶାକର୍ମୀ ସଭାନେତ୍ରୀ ପ୍ରଣତି ଗରଡା ଅଧ୍ୟକ୍ଷତା କରିଥିବାବେଳେ ଅଗଂନବାଡି କର୍ମୀ ରଶ୍ମିତା ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୋରାପୁଟ ଜିଲ୍ଲାପାଳଙ୍କ ବାର୍ତ୍ତା ପାଠ କରାଯାଇଥିଲା। ମୁଖ୍ୟ ଅତିଥି ରଶ୍ମିତା ନାୟକ ଏବଂ ଜିଲ୍ଲା ଆଶାକର୍ମୀ ସଭାନେତ୍ରୀ ପ୍ରଣତି କୁଷ୍ଠ ରୋଗୀଙ୍କ ପ୍ରତି ଗାନ୍ଧିଜୀଙ୍କର ଆଭିମୁଖ୍ୟ ସଂପର୍କରେ ଉପସ୍ଥିତ ଗ୍ରାମବାସୀଙ୍କୁ ବୁଝାଇଥିଲେ। ଗାନ୍ଧିଜୀ କୁଷ୍ଠ ରୋଗୀଙ୍କୁ ଘୃଣା କରିବା ବଦଳରେ ସେମାନଙ୍କ ପ୍ରତି ଦୟାଶୀଳ ହେବା ପାଇଁ ଆହ୍ୱାନ ଦେବା ସହ ନିଜେ କୁଷ୍ଠ ରୋଗୀଙ୍କର ସେବା କରୁଥିଲେ। ତେଣୁ ଗାନ୍ଧିଜୀଙ୍କର ଶ୍ରାଦ୍ଧ ଦିବସକୁ କୁଷ୍ଠ ଦିବସ ଭାବେ ପ୍ରତିବର୍ଷ ପାଳନ କରାଯାଉଛି। କୁଷ୍ଠ ରୋଗକୁ ସହଜରେ ନିରାକରଣ କରାଯାଇପାରିବ ବୋଲି ପ୍ରକାଶ କରିବା ସହ ପ୍ରାଥମିକ ଅବସ୍ଥାରେ କୁଷ୍ଠ ରୋଗ ଚିହ୍ନଟ କରିବା ସହ ସେମାନଙ୍କୁ ରୋଗାକ୍ରାନ୍ତ ନହେବା ପାଇଁ ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଏଣୁ ସମସ୍ତେ ଏହି କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିବା ସହ ଜିଲ୍ଲାକୁ କୁଷ୍ଠ ମୁକ୍ତ କରିବା ପାଇଁ ଆହ୍ୱାନ ଦେଇ ଉପସ୍ଥିତ ଗ୍ରାମବାସୀଙ୍କ ସମେତ ସମସ୍ତେ କୁଷ୍ଠ ରୋଗ ନିରାକରଣ ନିମନ୍ତେ ଶପଥ ପାଠ କରିଥିଲେ।