ସ୍ବାସ୍ଥ୍ୟସେବାର ବିକଳଚିତ୍ର; ପାହାଡିଆ ରାସ୍ତାରେ ୫ କିମି ଭାରରେ ବୁହାହେଲା ରୋଗୀ

କୋରାପୁଟ: କୋରାପୁଟ ଜିଲ୍ଲାରେ ସୁଧୁରୁନି ସ୍ବାସ୍ଥ୍ୟ ସେବା। ପରିସ୍ଥିତି ଏପରି ହୋଇଛି ଯେ ଜିଲ୍ଲାରେ ଲୋଡା ପଡୁଛି ଭାର ଆମ୍ବୁଲାନ୍ସ। ସ୍ୱାଧୀନତାର ଦୀର୍ଘ ଏତେ ବର୍ଷ ପରେ ବି ଗାଁକୁ ଯୋଡା ଯାଇପାରୁନି ରାସ୍ତା। ଯାହା ଫଳରେ ଭାରରେ ବୁହାହେଉଛନ୍ତି ରୋଗୀ। ଘଟଣା ଘଟିଛି କୋରାପୁଟ ଜୟପୁର ବ୍ଲକ କେବିଡ଼ି ପଞ୍ଚାୟତ ଅନ୍ତର୍ଗତ ହରଡାଗୁଡା ଗାଁରେ। ଗାଁକୁ ରାସ୍ତା ନ ଥିବାରୁ ୬ କିଲୋମିଟର ବୋହି କରି ଆଣିଥିଲେ ପରିବାରବର୍ଗ। ଏହାପରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେଁ ଏସଏଲଏନ ମେଡିକାଲ କଲେଜକୁ ପଠାଯାଇଥିଲା।

ମିଳିଥିବା ସୂଚନା ମୁତାବକ ବ୍ଲକର ହରଡାଗୁଡା ଗାଁର ଅଭିରାମ ସିରକାଙ୍କୁ ଭୀଷଣ ପେଟ ବ୍ୟଥା ହୋଇଥିଲା। ସେ ସଂଗେ ସଂଗେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସ ନିର୍ଦ୍ଦାରିତ ସମୟରେ ଆସିଥିଲା ସତ। କିନ୍ତୁ ପାହାଡ ଉପରେ ହରଡାଗୁଡା ଗାଁ ରହିଥିବାରୁ ରାସ୍ତା ନ ଥିଲା। ଏହିଠାକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି ମାଳିଗୁଡା ଗାଁରେ ଅଟକି ରହିଥିଲା। ରୋଗୀଙ୍କୁ ପରିବାରବର୍ଗ ଦୀର୍ଘ ଛଅ କିଲୋମିଟର ପାହାଡିଆ ରାସ୍ତାରେ ଅଭିରାମଙ୍କୁ ଭାରରେ ବୋହି କରି ଆଣିଥିଲେ। ମାଳିଗୁଡ଼ାରେ ପୂର୍ବରୁ ଅପେକ୍ଷା କରିଥିବା ଆମ୍ବୁଲାନ୍ସରେ ରୋଗୀକୁ କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲା।

ଏନେଇ ରୋଗୀଙ୍କ ସମ୍ପର୍କୀ ରଘୁ ସିରକା କହିଛନ୍ତି ଯେ ଗାଁରେ ରାସ୍ତା ନିର୍ମାଣ କରିବାକୁ ନେଇ ବହୁବାର କୋରାପୁଟ ଜିଲ୍ଲାପାଳ ଓ ଜୟପୁର ବଡିଓଙ୍କୁ ଅଭିଯୋଗ ଦେଇଛୁ। କିନ୍ତୁ ଗାଁକୁ ରାସ୍ତାଖଣ୍ଡେ ତିଆରି କରି ଦେଉନାହାନ୍ତି। ଫଳରେ ପ୍ରତିଦିନ ଗାଁରେ ଏହି ସମସ୍ୟା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏନେଇ ଗାଁର ୱାର୍ଡ ମେମ୍ବର ପ୍ରଫୁଲ ସିରକା କହିଛନ୍ତି ଯେ ୨୦୧୯ ଭୋଟ ବେଳେ ଗାଁକୁ ରାସ୍ତା ନ ହେଲେ ଭୋଟ ଦେବୁନାହିଁ ବୋଲି ଅଡି ବସିଥିଲୁ। ଏହାପରେ ରାସ୍ତା ଖୁବଶୀଘ୍ର ହେବ ବୋଲି ରାଜନେତାଙ୍କଠାରୁ ପ୍ରତିଶୃତି ମିଳିଥିଲା। ଭୋଟ ଶେଷ ହେବାକୁ ବସିଲାଣି କିନ୍ତୁ ରାସ୍ତା ନାହିଁ। ଆଜି ଭାଇକୁ ବୋହି କରି ଆଣିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର