ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ହେଉଛି ମୟୂରଭଂଜ ଜିଲ୍ଲାର ଦ୍ୱିତୀୟ ବୃହତ୍ତମ ଡାକ୍ତରଖାନା। ପୂର୍ବରୁ ଉକ୍ତ ଡାକ୍ତରଖାନା ବିଭିନ୍ନ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛି କିନ୍ତୁ ବର୍ତମାନ ଉକ୍ତ ସ୍ୱାସ୍ଥକେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଥିବା ଅଭିଯୋଗ ହେଉଛି। ଡାକ୍ତରଖାନରେ ପ୍ରସୂତି ରୋଗ ବିଶେଷଜ୍ଞ ଥାଇ ମଧ୍ୟ ୬୦ ପ୍ରତିଶତ ପ୍ରସୂତି ମହିଳାଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଉଛି। ଫଳରେ ପ୍ରସୂତି ଓ ତାଙ୍କ ପରିବାର ଅଧିକ ହୋଇରାଣ ହେବା ସହିତ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି। ଏହା ବ୍ୟତୀତ ଡୁ୍ୟଟି ସମୟରେ ମଧ୍ୟ ଡାକ୍ତରଖାନାର ଡାକ୍ତରମାନେ ନିଜ କ୍ଲିନିକ ଓ ବସାରେ ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି।
ହସ୍ପିଟାଲକୁ ବିଳମ୍ବରେ ଡୁ୍ୟଟି ଆସୁଥିବାର ମଧ୍ୟ ଦେଖିବାକୁ ମିଳେ। ସବୁଠାରୁ ଦୁଃଖର ବିଷୟ ଯେ ଉକ୍ତ ଚିକିତ୍ସାଳୟରେ ଚକ୍ଷୁ ରୋଗ ବିଶେଷଜ୍ଞ, ଚର୍ମରୋଗ ବିଶେଷଜ୍ଞ ସମେତ ଅନ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତ ହେଉ ନଥିବାରୁ ସାଧାରଣ ରୋଗୀଙ୍କୁ ବାରିପଦା ଯିବାକୁ ପଡୁଛି। ତେବେ ବାମନଘାଟୀ ଅଂଚଳ ହେଉଛି ଖଣି ଖାଦାନ ପ୍ରଭାବିତ ଓ ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ଏଣୁ ଅଧିକାଂଶ ଲୋକ କିଡ୍ନି ରୋଗରେ ପିଡୀତ।
ତେବେ ଉକ୍ତ ଡାକ୍ତରକାନାରେ ଡାଇଲେସିସ୍ ବ୍ୟବସ୍ଥା ନଥିବାରୁ ଅଂଚଳବାସୀ ହୋଇରାଣ ହୋଇ ବାରିପଦା, କଟକ, ଟାଟାନଗର ପ୍ରଭୃତି ସ୍ଥାନକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ। ତେବେ ସେ ସମସ୍ୟା ସମ୍ବନ୍ଧରେ ଦୈନିକ ସମ୍ବାଦ ଖବର କାଗଜରେ ପ୍ରକାଶ ପାଇବା ପରେ ଡାଇଲେସିସ୍ ସେନ୍ଟର ସ୍ଥାପ୍ଖଚ୍ଛ କରାଗଲା। ଗତ ୪ ସେପ୍ଟେମ୍ବର ୨୦୨୩ ରେ ରାଜ୍ୟର ତତକାଳୀନ ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ରାଇରଙ୍ଗପୁର ଗସ୍ତରେ ଆସି ରାଇରଙ୍ଗପୁର ମେଡିକାଲର ଆଇପିଡି ଗୃହ ଉଦଘାଟନ କରିଥିଲେ। ଉପଖଣ୍ଡବାସୀ ଖୁସିହେଲେ ଯେ ବର୍ତମାନ ରୋଗୀଙ୍କୁ ନୂତନ ଆଇପିଡି ଗୃହରେ ଉତ୍ତମ ଚିକିତ୍ସା ମିଳିବ, ଆଉ ଚଟଣାରେ ଶୋଇ ଚିକିତ୍ସ୍ୟା ହେବାକୁ ପଡିବ ନାହିଁ। କିନ୍ତୁ ଉଦଘାଟନ ହେବାର ସପ୍ତାହେ ନହେଉଣୁ ନୂତନ ଗୃହରେ ପ୍ରାୟ ୭୦ ପ୍ରତିଶତ ରୋଗୀ ଶଯ୍ୟା ବଦଳରେ ଚଟାଣରେ ଶୋଇ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଥିଲା ଏବଂ ବର୍ତାମାନର ୪୦ ଡିଗ୍ରିର ଅଧିକ ଗ୍ରୀଷ୍ମରେ ମଧ୍ୟ ସେହି ଚଟାଣରେ ଚିକିତ୍ସତ ହେଉଥିବା ଦେଖିବାକୁ ମିଳୁଛି।
ତେବେ ହସ୍ପିଟାଲର ଦୂରାବସ୍ଥା କେବେ ସୁଧୁରିବ ତାହା ଦେଖିବାକୁ ବାକି ରହିଲା। ଏଣୁ ଉପଖଣ୍ଡ ଚିକିତ୍ସାଳୟରେ ମିଳୁଥିବା ସମସ୍ତ ସୁବିଧା ଯୋଗାଇଦେବା ସହିତ ଖାଲି ପଡିଥିବା ଡାକ୍ତର ନିଯୁକ୍ତ ଯଥାଶିଘ୍ର କରାଯାଉ ବୋଲି ଉପଖଣ୍ଡବାସୀ ଦାବି କରିଛନ୍ତି। ଏହାବ୍ୟତିତ ନବନିର୍ମିତ ୪ ମହାଲା ବିଶିଷ୍ଟ ଆଇପିଡି ବିଲ୍ଡିଂରେ ଲିଫ୍ଟ ବ୍ୟବସ୍ଥା ନତିବାରୁ ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ।ଲିଫ୍ଟ ପାଇଁ ସ୍ଥାନରେ ପ୍ଲାଇଉଡ୍ ଦେଇ ଛେକି ଦିଆଯାଇଛି। ତେବେ ନବ ନିର୍ମିତ ଆଇପିଡି ଗୃହରେ ନିର୍ମାଣ ସମୟରେ ଲିଫ୍ଟ ଲଗାଯିବାର ଅକଳ ଥିଲା କିନ୍ତୁ ଲଗାଯାଇନଥିବା ସୂଚନା ମିଳିଛି।