ଧର୍ମଶାଳା: ମୂର୍ତ୍ତି ଚୋରି ପାଇଁ ପାଟପୁରର ପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ହୋଇ ପାରିବନାହିଁ। ଧର୍ମଶାଳା ବ୍ଲକ୍ ପାଟପୁର ପଞ୍ଚାୟତ ବଡ଼ବାରିସାହି ଗ୍ରାମସ୍ଥିତ ସିଦ୍ଧ ବଳଦେବଜିଉ ମନ୍ଦିର ପକ୍ଷରୁ ପ୍ରତିବର୍ଷ ରଥଯାତ୍ରା ହୋଇଥାଏ। ଗତବର୍ଷ ନଭେମ୍ବର ୧୧ ତାରିଖ ରାତିରେ ମନ୍ଦିରରେ ପୂଜା ପାଉଥିବା ୬ଟି ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇ ଯାଇଛି। ଫଳରେ ଚଳିତବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ଟ୍ରଷ୍ଟି ବିନୋଦ କୁମାର ଦାଶ ସୂଚନା ଦେଇଛନ୍ତି।

Advertisment

ମୂର୍ତ୍ତି ଚୋରି ଘଟଣାକୁ ୭ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୋରି ଯାଇଥିବା ମଦନମୋହନ, କୃଷ୍ଣ, ରାମ, ରାଧା, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ସଂପର୍କରେ କୌଣସି ସୁରାକ୍ ମିଳୁନାହିଁ। ଚୋରମାନେ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତିଗୁଡ଼ିକୁ ଲୁଟି ନେଇଥିବା ବେଳେ ମଠରେ ଥିବା ଚତୁର୍ଦ୍ଧାମୂର୍ତ୍ତି, ଶାଳଗ୍ରାମ, ପିତଳ ଖଟୁଲି, ଟଙ୍କା କିମ୍ବା ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇନଥିଲେ। ଫଳରେ ଏଥିରେ ଅନ୍ତଃରାଜ୍ୟସ୍ତରୀୟ ଚୋରି ରାକେଟ୍‌ର ହାତଥିବା ସନ୍ଦେହ କରାଯାଉଛି। ଏସଂପର୍କରେ ଟ୍ରଷ୍ଟି ଶ୍ରୀ ଦାଶ ଗତ ନଭେମ୍ବର ୧୨ ତାରିଖରେ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ୬୦୮/୨୨ ନମ୍ବରରେ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି। ରାଜ୍ୟ ବାହାରକୁ ଯାଇ ମଧ୍ୟ ଖୋଳତାଡ଼ କରିଛି। ହେଲେ ଚ‌ୋରି ମୂର୍ତ୍ତି କିମ୍ବା ଚୋରଙ୍କ ସଂପର୍କରେ କୌଣସି ସୁରାକ୍ ମିଳୁନାହିଁ। ମୂର୍ତ୍ତି ନଥିବାରୁ ରଥଯାତ୍ରା ପୂର୍ବର ନୀତିକାନ୍ତିରେ ବାଧା ଉପୁଜିଛି। ଫଳରେ ଚଳିତବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଇଥିବା ଟ୍ରଷ୍ଟି ଶ୍ରୀ ଦାଶ କହିଛନ୍ତି।