ଜୟପୁର: ଜୟପୁର- ମାଲାକାନଗିରି ବିଜୟୱାଡା ରାଂଚି କରିଡ଼ର ଜାତୀୟ ରାଜପଥ ୩୨୬ରେ ଜୟପୁର ବ୍ଲକର ପାତ୍ରପୁଟରେ ୧୮.୭୧କୋଟି ଟଙ୍କାରେ ନିର୍ମାଣ ହେବ ନୂଆ ବ୍ରିଜ୍। ବ୍ରିଜ୍ ପାର୍ଶ୍ବରେ ୨ଟି ବଡ଼ ବ୍ରିଜ୍ ଓ ଗୋଟିଏ ସାନ କଲଭର୍ଟ ସହ ରାସ୍ତା ନିର୍ମାଣ ପାଇଁ ଠିକା ସଂସ୍ଥା ସହ ବର୍ଷକ ତଳେ ଚୁକ୍ତିନାମା କରାଯାଇଥିଲା। ଠିକାସଂସ୍ଥା ପକ୍ଷରୁ ଏଠାରେ କେଉଁ ଆକାରର ବ୍ରିଜ୍ ନିର୍ମାଣ କରିବ ସେ ନେଇ ଡିଜାଇନ୍ ପ୍ରସ୍ତୁତ କରି ରାଜ୍ୟସ୍ତରରେ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଦାଖଲ କରିବ। ଏହା ପରେ ଅନୁମୋଦନ ହେବା ପରେ କାମ ଆରମ୍ଭ କରିବାର ରହିଥିଲା। ବର୍ଷକ ପରେ ବି ଡିଜାଇନ୍ ଆସି ନଥିବାରୁ ଏ ଯାଏଁ କାମ ଆରମ୍ଭ ହୋଇ ପାରିନଥିବା ଏନଏଚ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯୋଗ୍ୟ, ଦିନକୁ ଦିନ ଶହ ଶହ ଭାରୀଯାନ ଏହି ରାସ୍ତାରେ ଯିବା ଆସିବା କରୁଛି। କୋଲାବ ନଦୀ ଉପରେ ବ୍ରିଟିଶ ଅମଳର ଲୁହା ବ୍ରିଜ୍ , ଗୋଟିଏ ପାର୍ଶ୍ବରେ ପାହାଡ଼, ଏବଂ ଏଠାକାର ସବୁଜ ସୁନ୍ଦର ତଥା ଶାନ୍ତ ପରିବେଶ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଟାଣି ଆଣିଥାଏ। ବର୍ଷ ତମାମ ଏହି ସ୍ଥାନରେ ଲୋକେ ପିକନିକ୍ ମନାନ୍ତି। ସେଭଳି ଏହାକୁ ବି ନ ଭାଙ୍ଗି ସେଭଳି ମନୁମେଣ୍ଟ ବା ପର୍ଯ୍ୟଟନ ସ୍ଥଳୀ ଭାବେ ପୂର୍ବଭଳି ରଖିବା ଏବଂ ନୂଆ ବ୍ରିଜ୍ ଆରମ୍ଭ କରିବାକୁ ବହୁ ବୁଦ୍ଧିଜୀବୀ ରାଜନୈତିକ ନେତୃବୃନ୍ଦ ବି ଦାବି କରିଥିଲେ । ଏନଏଚ ପକ୍ଷରୁ ମଧ୍ୟ ଏହି ପୁରୁଣା ବ୍ରିଜକୁ ନ ଭାଙ୍ଗି ନୂଆ ବ୍ରିଜ୍ ନିର୍ମାଣ ପାଇଁ ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ(ଡିପିଆର) ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରାଳୟରେ ଦାଖଲ କରାଯାଇଥିଲା।
ତେବେ କେନ୍ଦ୍ର ସରକାର କେବଳ ନୂଆ ବ୍ରିଜ୍ ନିର୍ମାଣ କରିବା ପାଇଁ ୨୧.୨୭ କୋଟି ଟଙ୍କାର ପ୍ରକଳ୍ପ କରିବା ପାଇଁ ଅନୁମୋଦନ ଦେଇଥିଲେ। ଠିକାସଂସ୍ଥା ୧୮.୭୧କୋଟିରେ ଏହି କାମ ନେଇଛନ୍ତି। ମୁଖ୍ୟ ବ୍ରିଜ୍ ୧୪୦ମିଟର ଲମ୍ବର କରାଯିବ। ଆଉ ଗୋଟିଏ ନାଳ ଉପରେ ସାନ ପୋଲ ୩୫ ମିଟର ଓ କଲଭର୍ଟ ନିର୍ମାଣ କରାଯିବାର ଯୋଜନା କରାଯାଇଛି। ପୁରୁଣା ବ୍ରିଜର ସମ୍ପୂର୍ଣ୍ଣ ରୁପେ ସାଜସଜ୍ଜା କରି ସୁରକ୍ଷିତ କରି ରଖିବା ପାଇଁ କେନ୍ଦ୍ର ସରକାର ସେଭଳି କିଛି ଅନୁଦାନ ଦେଇ ନଥିବା ଏନଏଚ ପକ୍ଷରୁ ସୂଚନା ମିଳିଛି। ଠିକା ସଂସ୍ଥା ଗଭୀର ନଳକୁପ ଖୋଳି ବ୍ରିଜ୍ ଗୁଡିକ ନିର୍ମାଣ କରିବା ଅଂଚଳରେ କଠିନ ପଥର (ହାର୍ଡ ରକ୍ ) ରହିଛି ନାଁ ନାହିଁ ତାହା ଯାଂଚ କରିଛନ୍ତି। ତେବେ ଡିଜାଇନ୍ ବର୍ଷକ ପରେ ଆସି ନଥିବାରୁ କେବେ ସୁଦ୍ଧା କାମ ଆରମ୍ଭ ହେବ ଏବଂ କେବେ ସରିବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।