ମାଲକାନଗିରି ବ୍ଲକରେ ଜୋରସୋରରେ ଚାଲିଛି ପିସି କାରବାର!

ଠିକାଦାରଙ୍କ ବିଲ କରାଇବା ପାଇଁ ବିଡିଓ ମାଗୁଛନ୍ତି ପିସି

ମାଲକାନଗିରି: ମାଲକାନଗିରି ବ୍ଲକରେ ଚାଲିଛି ଜୋରସୋରରେ ପିସି କାରବାର। ଏନେଇ ଅଭିଯୋଗ ଆଣିଛନ୍ତି ଠିକାଦାର ନନ୍ଦ ଦୁଲାଲ ମଜୁମଦାର। ନନ୍ଦ କରିଥିବା ଅଭିଯୋଗ ଅନୁଯାୟୀ ଗତ ୫ ମାସ ହେଲା ସେ ପିସି ଦେଉନଥିବାରୁ ତାଂକର ବିଲକୁ ଅଟକାଇ ଦିଆଯାଇଛି। ଶୌଚାଳୟ ନିର୍ମାଣ ଏବଂ ଇନ୍ଦିରା ଆବାସ ନିର୍ମାଣ ବାବଦକୁ ସେ ୧୬ ଲକ୍ଷ ୫୮ ହଜାର ଟଂକା ବ୍ଲକରୁ ପାଇବେ ବୋଲି କହିଛନ୍ତି। ତେବେ ସେ ଏହି ଟଂକା ପାଇବା ପାଇଁ ହେଲେ ବିଡିଓଙ୍କୁ ପିସି ଦେବାକୁ ପଡିବ। ସେ ବର୍ତ୍ତମାନ କ୍ଷତି ସହିଥିବା ବେଳେ କିପରି କାମ କରିଥିବା ଟଂକାରୁ ସେ ପିସି ଦେବେ ବୋଲି କହିଛନ୍ତି। ତେଣୁ ସେ ଆଜି ମାଲକାନଗିରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଜର ପରିବାର ସହ ଧାରଣାରେ ବସିଥିଲେ।

ଟଂକା ନମିଳିବା ପର୍ଯ୍ୟନ୍ତ ସେ ଏଠାରେ ହଟିବେ ନାହିଁ ବୋଲି କହିଥିଲେ। ଯଦି ଟଂକା ନମିଳେ ତେବେ ସେ ଆତ୍ମହତ୍ୟା କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେଇଥିଲେ। ସୂଚନା ଅନୁଯାୟୀ ନନ୍ଦ ଦୁଲାଲ ମଜୁମଦାରଙ୍କ ଘର ଏମଭି-୭ ଗ୍ରାମରେ। ସେ ୫ ମାସ ତଳେ ବ୍ଲକ ପ୍ରଶାସନର ନିର୍ଦେଶକ୍ରମେ ଅର୍ଦ୍ଧ ନିର୍ମିତ ଇନ୍ଦିରା ଆବାସଗୁଡିକ ନିର୍ମାଣ କରିଥିବା ବେଳେ ଗୌଡଗୁଡା ପଞ୍ଚାୟତରେ ୧୪ଟି ପାଇଖାନା, ଗୋରାଖୁଣ୍ଡା ପଞ୍ଚାୟତରେ ୩୧ଟି ପାଇଖାନା, ଶିଖପାଲୀ ପଞ୍ଚାୟତରେ ୨୪ଟି ପାଇଖାନା, ତଣ୍ଡାପାଲୀ ପଞ୍ଚାୟତରେ ୨୮ଟି ନୂତନ ପାଇଖାନା, ତମସା ପଞ୍ଚାୟତରେ ୧୭ଟି ନୂତନ ପାଇଖାନା ନିର୍ମାଣ କରିଥିଲେ।

ଗୋଟିଏ ପାଇଖାନା ବାବଦକୁ ସରକାରୀ ଭାବେ ୧୨ ହଜାର ଟଂକା ଖର୍ଚ୍ଚ କରାଯାଇଥିବା ବେଳେ ଇନ୍ଦିରା ଆବାସ ନିର୍ମାଣ ବାବଦକୁ ୨ ଲକ୍ଷ ୯୦ ହଜାର ଟଂକା ଖର୍ଚ୍ଚ ହୋଇଥିଲା।ମୋଟ ୧୬ ଲକ୍ଷ ୫୮ ହଜାର ଟଂକା ସେ ବ୍ଲକରୁ ପାଇବେ।ସେ ବ୍ଲକକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ଗତ ୯ ତାରିଖରେ ସେ ବିଡିଓଙ୍କୁ ଲିଖିତ ଭାବେ ଦରଖାସ୍ତ ମଧ୍ୟ କରିଥିଲେ।କିନ୍ତୁ ବିଡିଓ ତାଂକୁ ପାଇଖାନା ବାବଦକୁ ଏକ ହଜାର ଟଂକା ଏବଂ ଇନ୍ଦିରା ଆବାସ ବାବଦକୁ ଦଶ ହଜାର ଟଂକା ଦେଲେ ହିଁ ସେ ବିଲ କରିବେ।

ନନ୍ଦ ମଜୁମଦାରଙ୍କ କହିବା ଅନୁଯାୟୀ ଗତ ୨୦୧୪ରେ ପାଇଖାନା ନିର୍ମାଣ ଲାଗି ସରକାର ୧୨ ହଜାର ଟଂକା ଅଟକଳ ରଖିଥିବା ବେଳେ ୨୦୨୧ରେ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥିଲେ ମଧ୍ୟ ସେହି ୧୩ ହଜାର ଟଂକା ରହିଥିବା କହିଥିଲେ।ପାଇଖାନା ନିର୍ମାଣ କଲେ କ୍ଷତି ସହୁଥିବାରୁ କିପରି ସେ ଏକ ହଜାର ଟଂକା ଲେଖାଏଁ ପିସି ଦେବେ ବୋଲି ପ୍ରଶ୍ନ ଉଠାଇଥିଲେ।ବିନା ପିସିରେ ସେ ସମସ୍ତ ବିଲ ପଇସା ଦିଆଯାଉ ବୋଲି ଠିକାଦାର ନନ୍ଦ ବ୍ଲକ ସାମ୍ନାରେ ବସି ଧାରଣା ଦେଇଥିଲେ। ବ୍ଲକ ସାମ୍ନାରେ ନନ୍ଦ ନିଜେ ବସିବା ସହ ପତ୍ନୀ ସୁଲତା ମଜୁମଦାର,ବୃଦ୍ଧ ମାଆ ଉର୍ମିଳା ଏବଂ ଦୁଇ ଛୋଟ ପୁଅଝିଅ ମଧ୍ୟ ବସିଥିଲେ। ଅନ୍ୟଦିଗରେର ନନ୍ଦ ମଜୁମଦାର ସ୍ବୟଂ ସହାୟକ ଗୋଷ୍ଠୀରୁ ସେ ୩ ଲକ୍ଷ ଟଂକା ୫ ପ୍ରତିଶତ ସୁଧରେ ଆଣିଥିବା ବେଳେ ସେହି ଟଂକାକୁ ସେ ତୁରନ୍ତ ପରିଶୋଦ କରିବାପାଇଁ ବିଡିଓଙ୍କ ନିକଟରେ ନେହୁରା ହୋଇଥିଲେ।

କିନ୍ତୁ କେହି ଶୁଣୁନଥିବା ଅଭିଯୋଗ ସେ କରିଥିଲେ। ଋଣ ଦେଇଥିବା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମଧ୍ୟ ଆଜି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ସେହିପରି ସିମେଣ୍ଟ ଦୋକାନରେ ମଧ୍ୟ ବାକି ରହିଥିବାରୁ ସେ ବାରମ୍ବାର ଫୋନ ଯୋଗେ ଟଂକା ମାଗୁଥିବା ସେ କହିଥିଲେ। ବ୍ଲକରେ ପିସି କାରବାର ଚାଲୁନଥିବା ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ମାଲକାନଗିରି ଭଳି ଉପାନ୍ତ ଅଂଚଳରେ କିପରି ଖୋଲାଖୋଲି ଭାବେ ପିସି କାରବାର ଚାଲିଛି ଏଥିରୁ ସହଜରେ ଅନୁମେୟ। ତେବେ ଏନେଇ ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଂକ ସହ ଯୋଗାଯୋଗ ହୋଇ ପାରିନଥିଲା। କିନ୍ତୁ ପିଡି, ଡିଆରଡିଏ ବାଳମୁକୁନ୍ଦ ଭୁୟାଁଙ୍କୁ ପଚରାଯିବାରୁ ଏନେଇ ସେ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଯଦି ଏଥିରେ ଯିଏ ବି ସାମିଲ ଥିବ ସେ ନିଶ୍ଚୟ ଦଣ୍ଡ ପାଇବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର