ଅନଲୋଡ଼ ନହୋଇ ପଦାରେ ପଡ଼ିରହିଲା ପିଡ଼ିଏସ ଚାଉଳ

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତକୁ ଆସିଥିବା ପିଡ଼ିଏସ ଚାଉଳ ଲୋକ ମାନଙ୍କୁ ବଣ୍ଟା ନହୋଇ ରାସ୍ତା କଡରେ ଟ୍ରକରେ ଭର୍ତ୍ତି ହୋଇ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ୬୦୦ବସ୍ତା ପିଡ଼ିଏସ ଚାଉଳ ଓ ଗହମ ଵୋଝେଇକରି ଏକ ଟ୍ରକ ତିନିଦିନ ତଳେ ଧାମନଗର ଗୋଦାମରୁ ରାଜେନ୍ଦ୍ରପୁର ପଞ୍ଚାୟତର ଥଇଳାକୁ ଆସିଥିଲା। ଚାଉଳ ଅନଲୋଡ଼ର ଠିକଣା ଥିଲା ଥଇଳା ଲକ୍ଷ୍ମୀ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ । ଟ୍ରକ ଚାଉଳ ଧରି ପହଂଚିବା ପରେ ବି ଡିଲର ପଏଣ୍ଟ ପାଇନଥିଲା । ଫଳରେ ତିନିଦିନ ଧରି ଚାଉଳ ଓ ଗହମ ଭର୍ତ୍ତି ଟ୍ରକ ରାସ୍ତା ଉପରେ ଛିଡ଼ା ହୋଇଥିଲା। ଏନେଇ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢିଥିଲା। ପରେ ବ୍ଲକ ଯୋଗାଣ ନିରୀକ୍ଷକ ପହଂଚି ଟ୍ରକରୁ ଚାଉଳ ଅନଲୋଡ଼ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ତିନିଦିନ ଧରି କାହିଁକି ପଦାରେ ପିଡ଼ିଏସ ଚାଉଳ ଓ ଗହମ ପଡ଼ିରହିଲା। ଯଦି ଚାଉଳ ଚୋରି ହୋଇଥାନ୍ତା ଏଥିପାଇଁ କିଏ ଦାୟୀ ହୋଇଥାନ୍ତା । ଠିକାଦାର ନା ଯୋଗାଣ ଅଧିକାରୀ ଏମିତି ଅନେକ ପ୍ରଶ୍ନ ଉଠୁଛି ।

ଅନ୍ୟପଟେ କିଛିଦିନ ତଳେ ପିଡିଏସ ଚାଉଳ ଚୋରା ଚାଲାଣ ଘଟଣାରେ ପ୍ରଶାସନ ଭଣ୍ଡାରୀପୋଖରୀ ବ୍ଲକର ଯୋଗାଣ ଠିକାଦାରଙ୍କୁ ନିଲମ୍ବିତ କରି ନୂଆ ଠିକାଦାର ନିଯୁକ୍ତି ଦେଇଥିଲା । ଚୋରା ଚାଲାଣ ପରେ ବି କେହି ଚେତୁ ନଥିବାରୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର