ସୁନ୍ଦରଗଡ଼ ପିଡିଏସ୍ ଦୁର୍ନୀତି: ମାସିକ ୨୯୩୬ କ୍ବିଣ୍ଟାଲ ବାଟମାରଣା, ମିଲର୍ସ, ବାବୁମାନଙ୍କ ପକେଟରେ ପଶୁଛି କଳା ଟଙ୍କା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ବିପିଏଲ, ଏପିଏଲ, ଅନ୍ତୋଦୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଥିବା ଟଙ୍କିକିଆ ଚାଉଳରେ ବଡ଼ ଧରଣର ଦୁର୍ନୀତି ହେଉଥିବା ଅଭିଯୋଗ ଆସିଛି। ପୂର୍ବରୁ ହିତାଧିକାରୀଙ୍କୁ ନିମ୍ନମାନର ଚାଉଳ ଦିଆଯାଉଥିବା ଅଭିଯୋଗ ଥିଲା, ଏବେ ପଞ୍ଚାୟତକୁ ଆବଣ୍ଟିତ (ଆଲଟମେଣ୍ଟ) ପରିମାଣ ଠାରୁ କମ୍ ଯୋଗାଇ ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଜିଲ୍ଲାକୁ ମାସିକ ୭୩ ହଜାର ୪ ଶହ କ୍ବିଣ୍ଟାଲ ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ଅତି ଚତୁରତାର ସହ ସେଥିରୁ ୨୯୩୬ କ୍ବିଣ୍ଟାଲ ବାଟମାରଣା କରାଯାଉଛି।

ମିଲର୍ସରୁ ଗୋଦାମ, ସେଠାରୁ ବ୍ଲକ ଓ ପଞ୍ଚାୟତ ପଏଣ୍ଟକୁ ଚାଉଳ ପହଞ୍ଚିଲା ବେଳକୁ ୫୦ କେଜି ବସ୍ତାର ଓଜନ ୪୮ କେଜିକୁ ଖସି ଆସୁଛି। ଅର୍ଥାତ ପ୍ରତି ବସ୍ତାରୁ ୨ କେଜି, କ୍ବିଣ୍ଟାଲ ପ୍ରତି ୪ କେଜି ଚାଉଳ ବାଟରେ ଗଳି ଯାଉଛି। ସେ ଟଙ୍କିଆ ଚାଉଳକୁ କଳା ବଜାରରେ କେଜି ପ୍ରତି ୨୦ ଟଙ୍କାରେ ବିକ୍ରି କରି ମିଲର୍ସ ଓ ବାବୁମାନେ ପକେଟରେ ଭର୍ତ୍ତି କରୁଛନ୍ତି। ଏହାକୁ ହିସାବକୁ ନେଲେ ମାସିକ ୨୯୩୬ କ୍ବିଣ୍ଟାଲରେ ପ୍ରାୟ ୫୮ ଲକ୍ଷ ଟଙ୍କା ଅସାଧୁଙ୍କ ମୁଣିରେ ପଶୁଛି। ଏହି ହାରରେ ଜିଲ୍ଲାରେ ଗରିବଙ୍କ ଖାଦ୍ୟରୁ ବାର୍ଷିକ ୬ କୋଟି ୯୬ ଲକ୍ଷ ଟଙ୍କା ହଡ଼ପ କରାଯାଉଛି।

ଉଦାହରଣରେ ଲେଫ୍ରିପଡ଼ା ବ୍ଲକକୁ ନିଆଯାଇପାରେ। ବ୍ଲକକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମେ’ ମାସରେ ୩୦୦୫.୮୫ କ୍ବିଣ୍ଟାଲ ଯୋଗାଇ ଦିଆଯାଇଥିଲା। ଡୁମାବାହାଲ ପଞ୍ଚାୟତକୁ ୧୪୭.୪୯ କ୍ବିଣ୍ଟାଲ, ରାଇଡିହି ପଞ୍ଚାୟତକୁ ୨୦୪.୨୦ କ୍ବିଣ୍ଟାଲ, ଛଟେନପାଲି ପଞ୍ଚାୟତକୁ ୧୫୪.୩୧ କ୍ବିଣ୍ଟାଲ, ଲେଫ୍ରିପଡ଼ା ପଞ୍ଚାୟତକୁ ୨୧୪.୫୩ କ୍ବିଣ୍ଟାଲ, ଦର୍ଲିପାଲି ପଞ୍ଚାୟତକୁ ୧୫୫.୫୪, କ୍ବିଣ୍ଟାଲ, ଗିରିଙ୍ଗକେଲା ପଞ୍ଚାୟତକୁ ୩୧୪.୭୦ କ୍ବିଣ୍ଟାଲ, ଝୁରିମାଲ ପଞ୍ଚାୟତକୁ ୧୮୩.୦୯ କ୍ବିଣ୍ଟାଲ, ଗୁଣ୍ଡିଆଡିହି ପଞ୍ଚାୟତକୁ ୧୪୨.୧୬ କ୍ବିଣ୍ଟାଲ, ଅଲାପକା ପଞ୍ଚାୟତକୁ ୨୩୫.୩୩ କ୍ବିଣ୍ଟାଲ, ବଡ଼ବଙ୍ଗା ପଞ୍ଚାୟତକୁ ୧୧୮.୯୪ କ୍ବିଣ୍ଟାଲ, ରାଜବାହାଲ ପଞ୍ଚାୟତକୁ ୧୨୧.୪୭ କ୍ବିଣ୍ଟାଲ, ହୁର୍ମେଇ ପଞ୍ଚାୟତକୁ ୧୭୭.୪୯ କ୍ବିଣ୍ଟାଲ, କୁଲାବିରା ପଞ୍ଚାୟତକୁ ୧୬୭.୩୩ କ୍ବିଣ୍ଟାଲ, ସର୍ଗିପାଲି ପଞ୍ଚାୟତକୁ ୧୦୬.୯୦ କ୍ବିଣ୍ଟାଲ, ସରଫଗଡ଼ ପଞ୍ଚାୟତକୁ ୨୧୩.୧୧ କ୍ବିଣ୍ଟାଲ, ରାଇବଗା ପଞ୍ଚାୟତକୁ ୧୮୨.୬୫ କ୍ବିଣ୍ଟାଲ ଓ ମଶାବିରା ପଞ୍ଚାୟତକୁ ୧୬୬.୬୧ କ୍ବିଣ୍ଟାଲ ଯୋଗାଇ ଦିଆଯାଇଥିଲା। ଆମେ ଚାଉଳର ପରିମାଣ ସମ୍ପର୍କରେ କିଛି ଯୋଗାଣ ସହାୟକଙ୍କ ଠାରୁ ଜାଣିବାକୁ ଚାହିଥିଲୁ।

ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଯୋଗାଣ ସହାୟକମାନେ ଆଲଟମେଣ୍ଟ ଅନୁସାରେ ଚାଉଳ ପାଉ ନଥିବା ପ୍ରକାଶ କରିଥିଲେ। ୫୦ କେଜି ଚାଉଳ ସହ ବସ୍ତାର ଓଜନ ୫୮୦ ଗ୍ରାମ ରହିବା କଥା। କାଗଜପତ୍ରରେ ସବୁ ଠିକ୍‌ଠାକ୍‌, କିନ୍ତୁ ବସ୍ତା ପ୍ରତି ୨ କେଜି ଚାଉଳ କମ୍ ରହିଥିଲା। ଏହା ବାଦ୍ ବସ୍ତାର ୫୮୦ ଗ୍ରାମ ମଧ୍ୟ ହିସାବ ବାହାରେ ଥିଲା। ତେବେ ଏହା କେବଳ ମେ’ ମାସ କଥା ନୁହେଁ, ପ୍ରତି ମାସରେ ଆଲଟମେଣ୍ଟ ଠାରୁ କମ୍ ଚାଉଳ ଯୋଗାଣ ହେଉଥିବା ଓ ଏହି କାରଣରୁ ହିତାଧିକାରୀଙ୍କୁ ଓଜନ କରି ଦେବା ବେଳେ ଅଡ଼ୁଆରେ ପଡ଼ୁଥିବା ସେମାନେ କହିଥିଲେ।

ଏହି କାରଣରୁ ଗତ ମାସରେ ଗୁରୁଣ୍ଡିଆ ବ୍ଲକର କିଛି ପଞ୍ଚାୟତରେ ଚାଉଳ ନିଅଣ୍ଟ ହୋଇଥିଲା। ହିତାଧିକାରୀ ଖାଲି ହାତରେ ଫେରି ଯାଇଥିବା ସୂଚନା ମିଳିଛି। କେବଳ ଲେଫ୍ରିପଡ଼ା କି ଗୁରୁଣ୍ଡିଆ ବ୍ଲକ ନୁହେଁ, ଜିଲ୍ଲାର ୧୭ଟି ବ୍ଲକରେ ସେ ସମାନ ଅଭିଯୋଗ ରହିଛି। ତେବେ କମ୍ ଚାଉଳ ଯୋଗାଣକୁ ନେଇ ଯୋଗାଣ ସହାୟକମାନେ ଅସନ୍ତୋଷ ପ୍ରକାଶ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଯୋଗାଣ ସହାୟକ ସଂଘ ସଭାପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର